କନକ ବ୍ୟୁରୋ : କରୋନା ଭୂତାଣୁର ପ୍ରଭାବ କେବଳ ଯେ ମଣିଷ ଉପରେ ପଡ଼ିଛି, ତା’ ନୁହେଁ । ଜୀବଜନ୍ତୁ ବି ବହୁ ପରିମାଣରେ ପ୍ରଭାବିତ ହେଉଛନ୍ତି । ଲକ୍ଡାଉନ୍ ଯୋଗୁଁ କେଉଁଠି ଜୀବଜନ୍ତୁଙ୍କୁ ଖାଇବାକୁ ମିଳୁନି ତ ଆଉ କେଉଁଠି ଖାଦ୍ୟ ଦେଇନପାରି ଲୋକେ ପୋଷାପ୍ରାଣୀକୁ ବାହାରେ ଛାଡ଼ି ଦେଉଛନ୍ତି। କିନ୍ତୁ ଏଭଳି ଏକ ବିପତ୍ତି ସମୟ କଇଁଛଙ୍କ ପାଇଁ ଆଶୀର୍ବାଦ ସଦୃଶ ହୋଇଛି । ୭ଲକ୍ଷରୁ ଅଧିକ ଅଲିଭ୍ ରିଡ୍ଲେ କଇଁଛ ଓଡ଼ିଶା ଉପକୂଳରେ ଅଣ୍ଡା ଦେଇ ଫେରିଯାଇଛନ୍ତି । ଟ୍ରଲର୍ ମାଡ଼ରେ କଇଁଛଙ୍କ ମୃତ୍ୟୁ ହୋଇନି କି ଦୁର୍ବୃତ୍ତଙ୍କ ଦ୍ୱାରା ଅଣ୍ଡା ଫଟା ଯାଇନି ।
ଏହାକୁ ନେଇ ପରିବେଶବିତ୍ ଓ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଆଶ୍ୱସ୍ତ ହୋଇଛନ୍ତି । ପରିବେଶ ପାଇଁ ଏହି ସମୟ ଅନୁକୂଳ ବୋଲି ମତପ୍ରକାଶ କରିଛନ୍ତି। ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଚଳିତବର୍ଷ ଗହୀରମଥା ଓ ଋଷିକୂଲ୍ୟା ମୁହାଣରେ ପ୍ରାୟ ୭ ଲକ୍ଷ ଅଲିଭ୍ ରିଡ୍ଲେ ସାମୂହିକ ଅଣ୍ଡାଦାନ କରିଛନ୍ତି । ଦେଶ ଓ ବିଦେଶର କୋଣ ଅନୁକୋଣରୁ ଆସିଥିବା କଇଁଛ ବିନା ବାଧାରେ ଓଡ଼ିଶା ଉପକୂଳରେ ଅଣ୍ଡା ଦେଇ ଫେରିଛନ୍ତି । କାରଣ ଲକ୍ଡାଉନ୍ ପାଇଁ ଏବେ ସାରା ଦେଶ ଠପ୍ ହୋଇଥିବାରୁ ସମୁଦ୍ର ବେଳାଭୂମି ତଥା ଅଲିଭ୍ ରିଡ୍ଲେଙ୍କ ଅଣ୍ଡାଦାନ ସ୍ଥାନରେ ଲୋକେ ପହଞ୍ଚିପାରୁ ନ ଥିବାରୁ କଇଁଚଙ୍କ ସାମୂହିକ ଅଣ୍ଡାଦାନ ବୃଦ୍ଧି ପାଇଥିବା ଜଣାପଡ଼ିଛି ।
ବନ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ଚଳିତବର୍ଷ ଅଣ୍ଡାଦାନ ବେଳେ ଏକ ଅଦ୍ଭୂତ ସଂଯୋଗ ଦେଖିବାକୁ ମିଳିଥିଲା। ଲୋକଙ୍କ ଯାତାୟାତ ପାଇଁ ଅନେକ ସମୟରେ କଇଁଛଙ୍କ ଅଣ୍ଡାଦାନ ବାଧାପ୍ରାପ୍ତ ହୋଇଥାଏ। ତେବେ ଚଳିତବର୍ଷ ପ୍ରଥମଥର ପାଇଁ ଦିନବେଳା କଇଁଛଙ୍କ ଗଣ ଅଣ୍ଡାଦାନ ଦେଖିବାକୁ ମିଳିଛି। ଗତ ସପ୍ତାହରେ ପ୍ରାୟ ୪ ଦିନ ଧରି କଇଁଛମାନେ ବେଳାଭୂମିର ନିର୍ଜନ ପରିବେଶରେ ଅଣ୍ଡାଦାନ କରିପାରିଛନ୍ତି। ଗତବର୍ଷ ଗଣ ଅଣ୍ଡାଦାନ ଦେଖିବାକୁ ମିଳି ନଥିଲା। ଓଡ଼ିଶାର ସବୁ ସ୍ଥାନରେ କଇଁଛଙ୍କ ଅଣ୍ଡାଦାନ ସଂଖ୍ୟା ବଢ଼ିଛି। କୌଣସି ବି ସ୍ଥାନରେ ଅଣ୍ଡା ନେଇଯିବା କିମ୍ବା ଫଟାଇବା ପରି ଘଟଣା ସାମ୍ନାକୁ ଆସିନି। ଭିତରକନିକାକୁ ସବୁଠାରୁ ଅଧିକ କଇଁଛ ଆସିଥିବା ବେଳେ ଏହା ତଳକୁ ଋଷିକୂଲ୍ୟା ମୁହାଣ ରହିଛି।
ପରିବେଶବିତ୍ଙ୍କ ମତରେ ମଣିଷ ଏବେ ଲକ୍ଡାଉନ୍ରେ ଥିବାରୁ ଓଡ଼ିଶା ବେଳାଭୂମିରେ କଇଁଛଙ୍କ ସାମୂହିକ ଅଣ୍ଡାଦାନ ଆଶାତୀତ ଭାବେ ବଢ଼ିଛି। କରୋନାର ଭୟାବହତା ଜନସାଧାରଣଙ୍କୁ ଘରେ ରହିବାକୁ ଏକପ୍ରକାର ବାଧ୍ୟ କରିଥିବା ବେଳେ ଗହୀରମଥା ଓ ଋଷିକୂଲ୍ୟା ଭଳି ସମୁଦ୍ର ବେଳାଭୂମିକୁ ଚଳିତବର୍ଷ ୭ଲକ୍ଷରୁ ଅଧିକ କଇଁଛ ଆସିପାରିଛନ୍ତି। ବନବିଭାଗ ତଥ୍ୟ ଅନୁସାରେ, ପାଖାପାଖି ୩ ଲକ୍ଷ ୨୮ ହଜାର କଇଁଛ ଦିନ ବେଳା ବେଳାଭୂମିରେ ଅଣ୍ଡା ଦେଇଛନ୍ତି। ମାର୍ଚ୍ଚ ଶେଷ ସପ୍ତାହର ଗୋଟିଏ ଦିନ ସକାଳେ ୭୨ ହଜାର ୧୪୨ କଇଁଛ ଅଣ୍ଡା ଦେବା ପାଇଁ ବେଳାଭୂମିରେ ପହଞ୍ଚିଥିଲେ। ଇତି ମଧ୍ୟରେ ଗହୀରମଥାରେ ସାମୂହିକ ଅଣ୍ଡାଦାନର ପର୍ବ ଶେଷ ହୋଇଛି। ଚଳିତବର୍ଷ ଗହୀରମଥାକୁ ୪ ଲକ୍ଷରୁ ଅଧିକ କଇଁଛ ଆସିଥିବା ରେକର୍ଡ କରାଯାଇଛି। ତେଣୁ ଉଭୟ ଗହୀରମଥା ଓ ଋଷିକୂଲ୍ୟାକୁ ପାଖାପାଖି ୭ ଲକ୍ଷ କଇଁଛ ଅଣ୍ଡା ଦେଇଥିବା ଆଶା କରାଯାଉଛି।