କେନ୍ଦୁଝରର ମାଉଣ୍ଟେନ୍ ମ୍ୟାନ୍ ଦୈତାରୀ ନାଏକ ! ପାହାଡ଼ କାଟି କେନାଲ ଖୋଳିଲେ

କେନ୍ଦୁଝରର ମାଉଣ୍ଟେନ୍ ମ୍ୟାନ୍ ଦୈତାରୀ ନାଏକ ! ପାହାଡ଼ କାଟି କେନାଲ ଖୋଳିଲେ

ପାହାଡ଼ କାଟି ନିଜ ଗାଁକୁ ରାସ୍ତା କରିଥିବା ବିହାରର ଦଶରଥ ମାଂଝୀ ଦେଶବ୍ୟାପୀ ଚର୍ଚ୍ଚିତ ହୋଇଥିଲେ । ‘ମାଉଣ୍ଟେନ ମ୍ୟାନ’ ଭାବେ ଖ୍ୟାତ ମାଂଝୀଙ୍କୁ ନେଇ ନିର୍ମାଣ ହୋଇଥିଲା ଚଳଚ୍ଚିତ୍ର । ଏବେ ପାହାଡ଼ କାଟି ଗାଁ ଜମିକୁ ଶସ୍ୟଶ୍ୟାମଳା କରାଇ ଚର୍ଚ୍ଚାକୁ ଆସିଛନ୍ତି ଆଉ ଜଣେ ମାଂଝୀ । କେନ୍ଦୁଝର ଜିଲ୍ଲାର ଗୋନାସିକା ଅଞ୍ଚଳର ଦୈତାରୀ ନାଏକ ଦୀର୍ଘ ତିନି ବର୍ଷ ପରିଶ୍ରମ କରି ଦେଢ଼ କିଲୋମିଟର ପର୍ଯ୍ୟନ୍ତ ପାହାଡ଼ କାଟି ନାଳ ତିଆରି କରିବା ପରେ ତାଙ୍କ ଗ୍ରାମ ତଳବୈତରଣୀର ଟାଙ୍ଗରା ହୋଇ ପଡ଼ିରହିଥିବା ପ୍ରାୟ ୪ଶହ ଏକର ଜମି ଏବେ ଶସ୍ୟଶ୍ୟାମଳା । ତାଙ୍କର ଏଇ ପାହାଡ଼ କଟାକୁ ଦେଖି ପ୍ରଥମେ ସ୍ଥାନୀୟ ଲୋକେ ପରିହାସ କରୁଥିଲେ । ବର୍ତ୍ତମାନ ତାଙ୍କ ପାଇଁ ଗାଁର ସମସ୍ତଙ୍କ ପେଟକୁ ଦାନା ମିଳୁଛି । ଆଜିର ଶ୍ରମକାତର ଯୁବପିଢ଼ିଙ୍କ ପାଇଁ ଦୈତାରୀ ଜଣେ ଉଜ୍ଜ୍ୱଳ ଦୃଷ୍ଟାନ୍ତ ।

କେନ୍ଦୁଝର ଜିଲ୍ଲାର ପାହାଡ଼ ଜଙ୍ଗଲ ଘେରା ଗୋନାସିକା ପର୍ବତମାଳାର ଉପରେ ରହିଛି ତଳବୈତରଣୀ ଗାଁ। ଏହି ଗାଁରେ ରୁହନ୍ତି ୧୧୩ଟି ଆଦିବାସୀ ପରିବାର । ଏହାର ଉପରମୁଣ୍ଡରେ ରହିଛି ପବିତ୍ର ବୈତରଣୀର ଉତ୍ପତ୍ତିସ୍ଥଳ । ବୈତରଣୀର ଉତ୍ପତ୍ତିସ୍ଥଳରେ ଗାଁଟି ହୋଇଥିଲେ ବି ବର୍ଷତମାମ ଗାଁକୁ ପାଣି ନିଅଣ୍ଟ ପଡ଼େ । ଫଳତଃ ଗାଁରେ କେବେ ବି ଚାଷବାସ ହୋଇ ପାରେନାହିଁ । ଅବସ୍ଥା ଏମିତି ହୁଏ ଯେ ବେଳେବେଳେ ଖାଇବାକୁ ମୁଠାଏ ଫସଲ ଅମଳ କରିହୁଏ ନାହିଁ । ଏମିତି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ନିଜ ପିଲାଛୁଆଙ୍କ ପାଟିରେ ଟିକେ ଦାନା ଦେବାକୁ ଅଣ୍ଟା ଭିଡ଼ିଥିଲେ ଦୈତାରୀ ନାଏକ (୭୫) ।

ତାଙ୍କୁ ଯେତେବେଳ ୬୭ ବର୍ଷ ହୋଇଥିଲା, ସେତିକିବେଳେ ସେଇ ବେଲମୂଳ ପାହାଡ ଉପରେ ଥିବା ତାଙ୍କ ଜମି ବର୍ଷ ବର୍ଷ ଧରି ପଡ଼ିଆ ପଡ଼ୁଥିଲା । ବର୍ଷା ଦିନେ କେବେ କେବେ ଧାନ ବୁଣିଲେ ଗଛ ହେଉଥିଲା ସତ, କିନ୍ତୁ ବର୍ଷା ଛାଡ଼ିଗଲେ ଗଛ ମରି ଯାଉଥିଲା । କେବେ ବି ଫସଲ ଅମଳ ହୋଇ ପାରୁ ନ ଥିଲା । ବର୍ଷତମାମ ନିଜ ପରିବାର ଚଳେଇବାକୁ ଦୈତାରୀଙ୍କୁ ମୂଲ ମଜୁରି କିମ୍ବା କାଠ କାଟି ଚଳିବାକୁ ପଡ଼ୁଥିଲା । ପାଖାପାଖି ୮ ବର୍ଷ ତଳେ ୨୦୧୦ ରେ ଦୈତାରୀ ଗାଁ ପାଖ ଦେଇ ବହିଯାଉଥିବା ବୈତରଣୀ ନଦୀର ପାଣିକୁ ନିଜ ଜମିକୁ ନେବାକୁ ଚିନ୍ତା କରିଥିଲେ । ଏଥିପାଇଁ ନିଜେ ପ୍ରଥମେ କୋଡ଼ିକୋଦାଳ ଧରି ପାହାଡ଼ କାଟିବା ଆରମ୍ଭ କରିଥିଲେ ।

ଯଦିଓ ପ୍ରଥମେ ନିଜ ଗାଁ ଲୋକେ ଦୈତାରୀଙ୍କୁ ଏଭଳି କାମ ପାଇଁ ପରିହାସରେ ଉଡ଼ାଇ ଦେଇଥିଲେ, କିନ୍ତୁ ନିଜ ପରିବାର ଲୋକଙ୍କ ସମର୍ଥନ ପାଇଥିଲେ ଦୈତାରୀ। ପ୍ରଥମେ ପ୍ରଥମେ ନିଜେ ପାହାଡ଼ କାଟିବା କାମରେ ନିଜକୁ ବର୍ଷ ବର୍ଷ ଧରି ନିୟୋଜିତ କରିବା ପରେ ଅଳ୍ପ କିଛି ପାହାଡ଼ କାଟିବାକୁ ସମର୍ଥ ହେଲେ। ସେତିକିରେ ପାଣି ଆସିଲା। ଏହା ଦେଖି ପରିବାର ଲୋକେ ତାଙ୍କୁ ସହଯୋଗ କରିବାକୁ ଆଗେଇ ଆସିଲେ। ତାଙ୍କର ଅନ୍ୟ ତିନି ଭାଇ କ୍ଷେତ୍ରବାସୀ ନାଏକ, ଶିବ ନାଏକ, ଲକ୍ଷ୍ମଣ ନାଏକଙ୍କ ସମେତ କକା ମାୟାଧର ନାଏକ, ଗୋପାଳ ନାଏକ, ଶୁକଦେବ ନାଏକ ତାଙ୍କୁ ପାହାଡ଼ କାଟିବାରେ ସହଯୋଗ କଲେ। ଫଳରେ ଦୀର୍ଘ ତିନିବର୍ଷ ଅକ୍ଳାନ୍ତ ପରିଶ୍ରମ କରିବା ପରେ ତାଙ୍କର ଟାଙ୍ଗରା ଜମିକୁ ବୈତରଣୀର ପାଣି ଛୁଇଁଲା। ୨୦୧୩ ମସିହା ବେଳକୁ ଜମିରେ ପାଣି ମାଡ଼ିବା ପରେ ଆରମ୍ଭ ହେଲା ଚାଷବାସ । ତେବେ ଖାଲି ଦୈତାରୀଙ୍କ ପରିବାର ନୁହେଁ, ଏହି ପାହାଡ଼ ଉପରେ ଥିବା ଗ୍ରାମବାସୀଙ୍କ ପ୍ରାୟ ୪ଶହ ଏକର ଜମି ଜଳସେଚିତ ହେଉଛି ଏହି ପାଣିରେ । ଗତ ୫ ବର୍ଷ ଧରି ଧାନଚାଷଠୁ ଆରମ୍ଭ କରି ମକା, ବଜରା, ରାଶି, ସୋରିଷ ଭଳି ଚାଷରେ ତଳବୈତରଣୀ ଗାଁ ଆଜି ଶସ୍ୟ ଶ୍ୟାମଳା। ଏଇ ନାଳ ଖୋଳା ପରଠାରୁ ଏହାର ରକ୍ଷଣାବେକ୍ଷଣ ଓ ବର୍ଷାଦିନ ଆସିଲେ ଏହାକୁ ପରିଷ୍କାର କରିବା ଦାୟିତ୍ୱ ବି ନେଉଛନ୍ତି ଦୈତାରୀ । ଦିନେ ଯେଉଁ ଗାଁ ଲୋକେ ଦୈତାରୀଙ୍କ ଉଦ୍ୟମକୁ ହସରେ ଉଡ଼ାଇ ଦେଉଥିଲେ, ସେମାନେ ଆଜି ଦୈତାରୀଙ୍କ ପାଇଁ ବର୍ଷ ତମାମ ଦାନା ପାଉଛନ୍ତି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe