ପାହାଡ଼ କାଟି ନିଜ ଗାଁକୁ ରାସ୍ତା କରିଥିବା ବିହାରର ଦଶରଥ ମାଂଝୀ ଦେଶବ୍ୟାପୀ ଚର୍ଚ୍ଚିତ ହୋଇଥିଲେ । ‘ମାଉଣ୍ଟେନ ମ୍ୟାନ’ ଭାବେ ଖ୍ୟାତ ମାଂଝୀଙ୍କୁ ନେଇ ନିର୍ମାଣ ହୋଇଥିଲା ଚଳଚ୍ଚିତ୍ର । ଏବେ ପାହାଡ଼ କାଟି ଗାଁ ଜମିକୁ ଶସ୍ୟଶ୍ୟାମଳା କରାଇ ଚର୍ଚ୍ଚାକୁ ଆସିଛନ୍ତି ଆଉ ଜଣେ ମାଂଝୀ । କେନ୍ଦୁଝର ଜିଲ୍ଲାର ଗୋନାସିକା ଅଞ୍ଚଳର ଦୈତାରୀ ନାଏକ ଦୀର୍ଘ ତିନି ବର୍ଷ ପରିଶ୍ରମ କରି ଦେଢ଼ କିଲୋମିଟର ପର୍ଯ୍ୟନ୍ତ ପାହାଡ଼ କାଟି ନାଳ ତିଆରି କରିବା ପରେ ତାଙ୍କ ଗ୍ରାମ ତଳବୈତରଣୀର ଟାଙ୍ଗରା ହୋଇ ପଡ଼ିରହିଥିବା ପ୍ରାୟ ୪ଶହ ଏକର ଜମି ଏବେ ଶସ୍ୟଶ୍ୟାମଳା । ତାଙ୍କର ଏଇ ପାହାଡ଼ କଟାକୁ ଦେଖି ପ୍ରଥମେ ସ୍ଥାନୀୟ ଲୋକେ ପରିହାସ କରୁଥିଲେ । ବର୍ତ୍ତମାନ ତାଙ୍କ ପାଇଁ ଗାଁର ସମସ୍ତଙ୍କ ପେଟକୁ ଦାନା ମିଳୁଛି । ଆଜିର ଶ୍ରମକାତର ଯୁବପିଢ଼ିଙ୍କ ପାଇଁ ଦୈତାରୀ ଜଣେ ଉଜ୍ଜ୍ୱଳ ଦୃଷ୍ଟାନ୍ତ ।
କେନ୍ଦୁଝର ଜିଲ୍ଲାର ପାହାଡ଼ ଜଙ୍ଗଲ ଘେରା ଗୋନାସିକା ପର୍ବତମାଳାର ଉପରେ ରହିଛି ତଳବୈତରଣୀ ଗାଁ। ଏହି ଗାଁରେ ରୁହନ୍ତି ୧୧୩ଟି ଆଦିବାସୀ ପରିବାର । ଏହାର ଉପରମୁଣ୍ଡରେ ରହିଛି ପବିତ୍ର ବୈତରଣୀର ଉତ୍ପତ୍ତିସ୍ଥଳ । ବୈତରଣୀର ଉତ୍ପତ୍ତିସ୍ଥଳରେ ଗାଁଟି ହୋଇଥିଲେ ବି ବର୍ଷତମାମ ଗାଁକୁ ପାଣି ନିଅଣ୍ଟ ପଡ଼େ । ଫଳତଃ ଗାଁରେ କେବେ ବି ଚାଷବାସ ହୋଇ ପାରେନାହିଁ । ଅବସ୍ଥା ଏମିତି ହୁଏ ଯେ ବେଳେବେଳେ ଖାଇବାକୁ ମୁଠାଏ ଫସଲ ଅମଳ କରିହୁଏ ନାହିଁ । ଏମିତି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ନିଜ ପିଲାଛୁଆଙ୍କ ପାଟିରେ ଟିକେ ଦାନା ଦେବାକୁ ଅଣ୍ଟା ଭିଡ଼ିଥିଲେ ଦୈତାରୀ ନାଏକ (୭୫) ।
ତାଙ୍କୁ ଯେତେବେଳ ୬୭ ବର୍ଷ ହୋଇଥିଲା, ସେତିକିବେଳେ ସେଇ ବେଲମୂଳ ପାହାଡ ଉପରେ ଥିବା ତାଙ୍କ ଜମି ବର୍ଷ ବର୍ଷ ଧରି ପଡ଼ିଆ ପଡ଼ୁଥିଲା । ବର୍ଷା ଦିନେ କେବେ କେବେ ଧାନ ବୁଣିଲେ ଗଛ ହେଉଥିଲା ସତ, କିନ୍ତୁ ବର୍ଷା ଛାଡ଼ିଗଲେ ଗଛ ମରି ଯାଉଥିଲା । କେବେ ବି ଫସଲ ଅମଳ ହୋଇ ପାରୁ ନ ଥିଲା । ବର୍ଷତମାମ ନିଜ ପରିବାର ଚଳେଇବାକୁ ଦୈତାରୀଙ୍କୁ ମୂଲ ମଜୁରି କିମ୍ବା କାଠ କାଟି ଚଳିବାକୁ ପଡ଼ୁଥିଲା । ପାଖାପାଖି ୮ ବର୍ଷ ତଳେ ୨୦୧୦ ରେ ଦୈତାରୀ ଗାଁ ପାଖ ଦେଇ ବହିଯାଉଥିବା ବୈତରଣୀ ନଦୀର ପାଣିକୁ ନିଜ ଜମିକୁ ନେବାକୁ ଚିନ୍ତା କରିଥିଲେ । ଏଥିପାଇଁ ନିଜେ ପ୍ରଥମେ କୋଡ଼ିକୋଦାଳ ଧରି ପାହାଡ଼ କାଟିବା ଆରମ୍ଭ କରିଥିଲେ ।