ପଛପଟୁ ଆସି କଚାଡ଼ିଲା ହାତୀ : ବୃଦ୍ଧ ମୃତ, ମହିଳା ଗୁରୁତର

393

କନକ ବ୍ୟୁରୋ : ହାତୀ ଆକ୍ରମଣରେ ଜଣେ ମୃତ ଓ ଜଣେ ଆହତ । ଦେବଗଡ଼ ବନଖଣ୍ଡ ଅଞ୍ଚଳରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ମୃତ ବୃଦ୍ଧ ହେଉଛନ୍ତି ଲୁଲଙ୍ଗ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବଡ଼କୁଦର ଗ୍ରାମର ବାସିନ୍ଦା ୬୫ ବର୍ଷିୟ ଶନିଆ କୁଦର । ସକାଳ ପ୍ରାୟ ୮ଟା ପରେ ସେ ବିଲକୁ ଯିବା ରାସ୍ତାରେ ତାଙ୍କ ଅଜାଣତରେ ପଛପଟୁ ଗୋଟାଏ ହାତୀ ଆସି ଥୋଡ଼ପାହାଡ଼ରେ ତାଙ୍କୁ ଉଠାଇ କଚାଡ଼ି ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ବନବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିଛନ୍ତି।

ତେବେ ସେହି ହାତୀ ଆକ୍ରମଣରେ ଗୁରୁତର ଆହତ ହୋଇଥିବା ମହିଳା ଜଣକ ହେଉଛନ୍ତି କଣ୍ଟାବାହାଳ ଗ୍ରାମପଞ୍ଚାୟତ ଅଞ୍ଚଳର ଶୁଣ୍ଢିନାଳୀ ଗ୍ରାମବାସିନୀ ୫୮ ବର୍ଷୀୟ ସୀତା ସାହୁ। ଆଜି ସକାଳୁ ସୀତା ଶୌଚହେବା ଲାଗି ପଦାକୁ ଯାଇଥିବା ବେଳେ ପଛଆଡୁ ହାତୀଟି ଆସି ତାଙ୍କୁ ଉଠାଇ ନେଇ କଚାଡ଼ି ଦେଇଥିଲା। କଚଡ଼ା ଖାଇ ସୀତାଙ୍କ କମର ଓ ପିଠିରେ ଖୁବ୍ ଆଘାତ ଲାଗିଛି।

ଚିକିତ୍ସା ନିମନ୍ତେ ତାଙ୍କୁ ପ୍ରଥମେ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଉନ୍ନତ ଚିକିତ୍ସା ଲାଗି ସେଠାରୁ ତାଙ୍କୁ ସମ୍ବଲପୁରସ୍ଥିତ ବୁର୍ଲା ବଡ଼ ମେଡିକାଲ୍କୁ ସ୍ଥାନାନ୍ତର କରଯାଇଛି । ବନବିଭାଗ କର୍ମଚାରୀମାନେ ସେଠାକୁ ଯାଇ ଘଟଣାର ଅନୁଧ୍ୟାନ କରିଛନ୍ତି।