ବାଙ୍ଗାଲୋରରେ ଫଶି ରହିଛନ୍ତି ଓଡିଆ ଶ୍ରମିକ : ବେଆଇନ୍ ଛଟେଇ କରିବା ସହ ପାଉଣା ଦେଉନି କମ୍ପାନୀ

34

କନକ ବ୍ୟୁରୋ : ବାଙ୍ଗାଲୋରର ଜିଗାନୀ ସହରରେ ଫଶି ରହିଛନ୍ତି ଓଡିଆ ଶ୍ରମିକ । ବାଙ୍ଗାଲୋରର ଜିଗାନୀ ସହରରେ କାମ କରୁଥିବା ଏହି ଓଡିଆ ମାନଙ୍କୁ ବେଆଇନ ଭାବେ କମ୍ପାନୀ ଛଟେଇ କରିବା ସହ ବାକି ଥିବା ପାଉଣା ମଧ୍ୟ ଦେଉ ନାହିଁ । ଏଣୁ ବର୍ତ୍ତମାନ ସେମାନେ ଅତି ଦୟନୀୟ ସ୍ଥିତିରେ ଥିବା ଜଣା ପଡିଛି । କେଲିନ ପ୍ୟାକ୍ସ ଲିମିଟେଡ ନାମକ କମ୍ପାନୀରେ ଏହି ଶ୍ରମିକ ମାନେ କାମ କରୁଥିଲେ । ୨୦୦୯ ମସିହାରୁ ସେଠାରେ କାମ କରୁଥିବା ବେଳେ କିଛି ଦିନ ତଳେ ପାଉଣା ବୃଦ୍ଧି ଓ ଅନ୍ୟାନ୍ୟ ସୁବଧା ନେଇ ଦାବି କରିଥିଲେ । ହେଲେ କମ୍ପାନୀ କର୍ତ୍ତୃପକ୍ଷ ତାଙ୍କ ଦାବି ଶୁଣିବା ପରିବର୍ତ୍ତେ ତାଙ୍କୁ ଛଟେଇ କରିଦେଇଛନ୍ତି । ଏନେଇ ସୋସିଆଲ ମିଡିଆ ଜରିଆରେ ଏହି ଶ୍ରମିକ ମାନେ ଉଦ୍ଧାର କରିବା ପାଇଁ ଓଡିଶା ସରକାରଙ୍କୁ ଅନୁରୋଧ କରିଥିବା ଦେଖିବାକୁ ମଳିଛି ।

ସବୁଠାରୁ ସମ୍ବେଦନଶୀଳ କଥା ହେଲା କମ୍ପାନୀ ବାକି ରହିଥିବା ଦରମା ଦେଉ ନଥିବାରୁ ସେମାନେ ଓଡିଶା ଫେରି ଆସିବାକୁ ମଧ୍ୟ ସକ୍ଷମ ହେଉ ନାହାଁନ୍ତି । ଅପରପକ୍ଷରେ ଅତି ଅସ୍ୱାସ୍ଥ୍ୟକର ଓ ଦୟନୀୟ ପରିବେଶରେ ସେମାନେ ସେଠାରେ ରହୁଥିବା ଦେଖିବାକୁ ମିଳିଛି । କମ୍ପାନୀ ବାକି ଦରମା ଦେଉ ନଥିବାରୁ ଛଟେଇ ହୋଇଥିବା ଓଡିଆ ଶ୍ରମିକ ଘରଭଡା ଦେଇପାରୁ ନାହାଁନ୍ତି । ରାସନ ଦୋକାନ ଠାରୁ ଛୋଟ ଛୋଟ ହୋଟେଲରେ ବାକି କରି ଖାଉଥିବାରୁ ସହର ଛାଡି ଓଡିଶା ଫେରିପାରୁ ନାହାଁନ୍ତି । ବର୍ତମାନ ଟଙ୍କା ଖର୍ଚ୍ଚ ହୋଇଯିବା ସହ ଘରେ ଆନୁସଙ୍ଗିକ ସାମଗ୍ରୀ ବି ଆଉ ନଥିବାରୁ ଚଳିବା ମୁସ୍କିଲ ହୋଇଗଲାଣି । କମ୍ପାନୀ ଚାପରେ ସ୍ଥାନୀୟ ପୁଲିସ ଓଡିଆ ଶ୍ରମିକଙ୍କୁ ମାଡ ମାରୁଥିବା ଅଭିଯୋଗ ହୋଇଛି । ଓଡିଶା ଫେରାଇ ଆଣିବା ପାଇଁ ରାଜ୍ୟ ସରକାରଙ୍କୁ ଗଣମାଧ୍ୟମ ଜରିଆରେ ଗୁହାରି କରିଛନ୍ତି ଫଶିଥିବା ଓଡିଆ ଶ୍ରମିକ ।