ବଦଳିଲା ପାଗ : ସକାଳୁ ପାଗ କୋହଲା ରହିବା ସହ ଝିପି ଝିପି ବର୍ଷା, ଆଜିଠୁ କିଛି ସ୍ଥାନରେ ବର୍ଷା ସମ୍ଭାବନା

678

କନକ ବ୍ୟୁରୋ : ପୁଣି ବଦଳିଲା ପାଗ । ସକାଳୁ ସକାଳୁ ପାଗ କୋହଲା ସାଙ୍ଗକୁ ଆରମ୍ଭ ହୋଇଛି ଝିପିଝିପି ବର୍ଷା । ଏଭଳି ପାଗ ଆସନ୍ତା ୮ତାରିଖ ପର୍ଯ୍ୟନ୍ତି ଲାଗି ରହିବ । ଏହି ସମୟରେ ଓଡିଶାର ଅର୍ଦ୍ଧାଧିକ ଜିଲ୍ଲାରେ ଘଡଘଡି ସହ ବର୍ଷା ହେବ । ସ୍ଥାନେ ସ୍ଥାନେ ଝଡ ବର୍ଷା ବି ହୋଇପାରେ । ପରିସ୍ଥିତିକୁ ନଜରରେ ରଖି ୫ ଦିନ ପର୍ଯ୍ୟନ୍ତ ଅଧିକାଂଶ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବିଶେଷକରି ଉପକୂଳ ଓଡିଶାରେ ଅଧିକ ଘଡଘଡି , ବଜ୍ରପାତ ଓ ହାଲୁକା ବର୍ଷା ହେବାର ସମ୍ଭାବନା ଥିବାରୁ ସତର୍କତା ଅବଲମ୍ବନ କରିବାକୁ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି ।

ଆଜି କେନ୍ଦୁଝର , ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହୋଇପାରେ । ସେହିପରି ଆଜି ଅପରାହ୍ନରୁ ଆସନ୍ତାକାଲି ସକାଳ ଭିତରେ କେନ୍ଦୁଝର, ମୟୂରଭଞ୍ଜ, ସମେତ ବାଲେଶ୍ୱର, କନ୍ଧମାଳ, ରାୟଗଡା, ବୌଦ୍ଧ, ସୁନ୍ଦରଗଡ, କଳାହାଣ୍ଡି, ଢ଼େଙ୍କାନାଳ ଓ କଟକ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଆସନ୍ତାକାଲି ବର୍ଷା ପରିମାଣ ବଢ଼ିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର ।