ଉଦଘାଟିତ ହେଲା ଓଡିଶା ସ୍କିଲସ ୨୦୧୮ ! ବିଶ୍ୱ ଦକ୍ଷତା ପାଇଁ ରାଜ୍ୟର ମିଶନକୁ ସାମ୍ନାକୁ ଆଣିଲେ ନବୀନ, ପ୍ରତିଯୋଗୀତାରେ ବିଜେତାଙ୍କ ପାଇଁ ପୁରସ୍କାର ଘୋଷଣା

29

କନକ ବ୍ୟୁରୋ : ଦକ୍ଷତା ବିକାଶକୁ ନେଇ ଉଦଘାଟିତ ହୋଇଛି ରାଜ୍ୟ ସରକାରଙ୍କର ସବୁଠାରୁ ବଡ କାର୍ଯ୍ୟକ୍ରମ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ସ୍କିଲସ୍ ୨୦୧୮ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି । କଟକର ଜବାହରଲାଲ ନେହରୁ ଇନଡୋର ଷ୍ଟାଡିୟମରେ କାର୍ଯ୍ୟକ୍ରମର ଆୟୋଜନ ହୋଇଛି । ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ମଧୁ ବାବୁଙ୍କ ଜନ୍ମ ଦିବସରେ ଓଡିଶା ସ୍କିଲସ କମ୍ପିଟିସନ ଆୟୋଜନ କରି ଅତ୍ୟନ୍ତ ଖୁସି । ରାଜ୍ୟ ସରକାର ପ୍ରଥମ ଥର ପାଇଁ ଦକ୍ଷତାକୁ ନେଇ ରାଜ୍ୟସ୍ତରୀୟ ପ୍ରତିଯୋଗୀତା କରିଛନ୍ତି । ଏହି ପ୍ରତିଯୋଗୀତା ସମସ୍ତଙ୍କ ପାଇଁ ଏକ ସୁଯୋଗ ନେଇ ଆସିଛି ନିଜର ଦକ୍ଷତା ଦେଖାଇବା ପାଇଁ । ରାଜ୍ୟର ଆଇଟିଆଇ ଗୁଡିକ ଜାତୀୟ ସ୍ତରରେ ମଧ୍ୟ ଖ୍ୟାତି ହାସଲ କରିଛନ୍ତି ।

naveen pattanaik

ଏଥିପାଇଁ ମୁଖ୍ୟମନ୍ତ୍ରୀ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗକୁ ଅଭିନନ୍ଦନ ଜଣାଇଛନ୍ତି । ୬ଟି କ୍ଷେତ୍ରରୁ ୨୫ ଦକ୍ଷତା ଦିଗରେ ବହୁ ପ୍ରତିଯୋଗୀଙ୍କୁ ଦେଖି ସେ ଆନନ୍ଦିତ । ପ୍ରତିଯୋଗୀତାରେ ବିଜେତାଙ୍କ ପାଇଁ ପୁରଷ୍କାର ରାଶି ଘୋଷଣା କରିଛନ୍ତି ନବୀନ । ଗୋଲ୍ଡ ବିଜେତାଙ୍କୁ ୧ ଲକ୍ଷ, ସିଲଭର ବିଜେତାଙ୍କୁ ୭୫ ହଜାର ଓ କାଂସ୍ୟ ପଦକ ବିଜେତାଙ୍କୁ ୫୦ ହଜାର ଟଙ୍କାର ପୁରଷ୍କାର ରାଶି ମିଳିବ । ସେହିଭଳି ବିଶ୍ୱ ସ୍ତରୀତ ପ୍ରତିଯୋଗୀତା ପାଇଁ ରାଜ୍ୟର ମିଶନ କଥା କହିଛନ୍ତି ନବୀନ । ଗୋଟିଏ ଗୋଲଡ, ୨ଟି ସିଲଭର ଓ ୩ଟି ବ୍ରୋଂଜ ପାଇଁ ଲକ୍ଷ ରହିଥିବା ସେ କହିଛନ୍ତି । ଏହି ଅବସରରେ ସ୍କିଲ୍ଡ ଇନ୍ ଓଡିଶା ଲୋଗୋ ଉନ୍ମୋଚିତ ହୋଇଛି । ସେହିପରି ରାଜଧାନୀ ସ୍ଥିତ ଇଡ୍କୋ ପ୍ରଦର୍ଶନୀ ପଡିଆରେ ପ୍ରତିଯୋଗୀତା ମାନ ଆୟୋଜିତ ହେଉଛି ।

ସେପଟେ ବିଜେପି ପକ୍ଷରୁ ମଧ୍ୟ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । କଟକର ସତୀଚୌରା ଛକ ନିକଟସ୍ଥ ବିଏସଏନଏଲ ପଡିଆରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିଶେଷ କରି ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ପାଇଁ ତାଲିମ ବ୍ୟବସ୍ଥା ରହିଛି । କଟକର ପ୍ରସିଦ୍ଧ ତାରକସି କାମରେ ନିୟୋଜିତ ଶ୍ରମିକଙ୍କ ପାଇଁ ମଧ୍ୟ ଦକ୍ଷତା ବିକାଶ କେନ୍ଦ୍ର ଉଦଘାଟିତ ହୋଇଛି । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଗ୍ୟାସ ପାଇପଲାଇନ୍ ପ୍ରକଳ୍ପ ପାଇଁ ପ୍ରଶିକ୍ଷଣର ବ୍ୟବସ୍ଥା ରହିଛି । ଏହା ସହ ରିକଗନିସନ୍ ଅଫ୍ ପ୍ରାୟର ଲର୍ଣିଂ ବା ଆରପିଏଲ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି ।