ରାଜ୍ୟରେ କରୋନାରେ ଆଉ ୧୪ଜଣଙ୍କ ମୃତ୍ୟୁ । ମୋଟ କରୋନା ମୃତ୍ୟୁସଂଖ୍ୟା ୨୮୬ରେ ପହଞ୍ଚିଲା । ୧୦ଦିନରେ ୧୦୯ ଜୀବନ ନେଲାଣି କରୋନା ।

214

କନକ ବ୍ୟୁରୋ : ରାଜ୍ୟରେ ଧୀରେ ଧୀରେ ବଢ଼ିଚାଲିଛି ମୃତକଙ୍କ ସଂଖ୍ୟା । ୨୪ ଘଂଟା ମଧ୍ୟରେ କରୋନାରେ ଆଉ ୧୪ ଜଣ ପ୍ରାଣ ହରାଇଛନ୍ତି । ଗଞ୍ଜାମରୁ ୬ ଜଣ, ଖୋର୍ଦ୍ଧା- ନୟାଗଡରୁ ୩ ଜଣ ଲେଖାଁଏ ଓ ରାୟଗଡା, ସୁନ୍ଦରଗଡରୁ ଜଣେ ଲେଖାଁଏ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାସହ ରାଜ୍ୟରେ ମୃତ୍ୟୁସଂଖ୍ୟା ୨୮୬ ହୋଇଛି । ଅଗଷ୍ଟ ମାସର ପ୍ରଥମ ୧୦ ଦିନରେ ୧୦୯ଜଣଙ୍କ ଜୀବନ ନେଇଛି କରୋନା । ଏମାନଙ୍କ ମଧ୍ୟରେ କେବଳ ଗଞ୍ଜାମରେ ୧୦ ଦିନରେ ୪୩ ଜଣ ପ୍ରାଣ ହରାଇଲେଣି । କେବଳ ଗଞ୍ଜାମରେ ବର୍ତମାନ ସୁଦ୍ଧା ୧୩୭ ଜଣଙ୍କ ମୃତ୍ୟୁ ହେଲାଣି । ସେହିଭଳି ଖୋର୍ଧାରେ ୩୮ ଓ କଟକରେ ୧୧ ଓ ଗଜପତିରେ ୧୬ ଜଣ ପ୍ରାଣ ହରାଇଛନ୍ତି ।
ସେପଟେ ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ଆଉ ୧୫ ଶହ ୨୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୯୪୮ ଜଣ ଥିବାବେଳେ ସ୍ଥାନୀୟ ଅଂଚଳରୁ ଅଛନ୍ତି ୫୮୯ ଜଣ । ସର୍ବାଧିକ ଆକ୍ରାନ୍ତ ଗଞ୍ଜାମରୁ ୨୩୩ ଜଣଚିହ୍ନଟ ହୋଇଛନ୍ତି । ସେହିଭଳି ଖୋର୍ଦ୍ଧାରୁ ୨୧୮ ଜଣ ନୂଆ ଆକ୍ରାନ୍ତ ସାମ୍ନାକୁ ଆସିଛି । ତେବେ ୨୪ ଘଂଟାରେ ଚିନ୍ତା ବଢାଇଛି ଢେଙ୍କାନାଳ । ଜିଲ୍ଲାରେ ୧୦୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଭଦ୍ରକରେ ୭୦, ବଲାଙ୍ଗିରର ୫୯ ଓ ବାଲେଶ୍ୱରରେ ୪୩ ଜଣ ନୂଆ ଆକ୍ରାନ୍ତ ସାମ୍ନାକୁ ଆସିଛନ୍ତି । ଏହା ସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୪୭ ହଜାର ୪୫୫ । ଏମାନଙ୍କ ମଧ୍ୟରୁ ୩୧ ହଜାର ୭ ଶହ ୮୪ ଜଣ ସୁସ୍ଥ ହୋଇଥିଲାବେଳେ ଆକ୍ଟିଭ ମାମଲା ରହିଛି୧୫ ହଜାର ୩ ଶହ ୩୪ । ଗତ ୨୪ ଘଂଟା ମଧ୍ୟରେ ମୋଟ ୧୯ ହଜାର ୧ ଶହ୭୬ ନମୁନା ପରୀକ୍ଷା ହୋଇଛି । ଅଗଷ୍ଟ ମାସ ପ୍ରଥମ ୧୦ ଦିନରେ ୧୫ ହଜାର ୫ ଶହ ୭୮ ପଜିଟିଭ ଚିହ୍ନଟ ହୋଇଛନ୍ତି ।