ଗୃହବିଭାଗର ୨୦୧୭ ମସିହାର ଶ୍ୱେତପତ୍ର ! ମାତିଛନ୍ତି ଡକାୟତ ଓ ଲୁଟେରା,୮ ଜିଲ୍ଲାରେ ଉଦବେଗଜନକ ମାଓ ସମସ୍ୟା

31

କନକ ବ୍ୟୁରୋ : ସରକାର ପ୍ରକାଶ କଲେ ଶ୍ୱେତପତ୍ର । ଗୃହ ବିଭାଗ ପକ୍ଷରୁ ୨୦୧୭ ମସିହାର ଶ୍ୱେତପତ୍ର ପ୍ରକାଶ କରାଯାଇଛି । ଶ୍ୱେତପତ୍ରରେ ସରକାର ପ୍ରକାଶ କରିଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ଡକାୟତ ଓ ଲୁଟେରା ମାତିଛନ୍ତି । ଚୋରି, ଡକାୟତି ସଂଖ୍ୟା ଦେଖିଲେ ଜଣାପଡୁଛି ଯେ ଏହାର ପରିମାଣ ଯଥେଷ୍ଟ ଅଧିକ । ୨୦୧୬ ତୁଳନାରେ ୨୦୧୭ରେ ଅଧିକ ପୋଲିସ ନିଯୁକ୍ତି ପାଇଥିଲେ ମଧ୍ୟ ଅପରାଧର ତଦନ୍ତରେ କିନ୍ତୁ ପୋଲିସକୁ ଆଖିଦୃଶିଆ ସଫଳତା ମିଳିନି । ଦିନକୁ ରାଜ୍ୟରେ ହାରାହାରି ୪୩ଟି ଲୁଟତରାଜ ହେଉଛି । ଦିନକୁ ୬ଟି ଦୁ୍ଷ୍କର୍ମ ମାମଲା ହେଉଥିବାବେଳେ ପ୍ରାୟ ୩୭ ପ୍ରତିଶତ ମାମଲାର ତଦନ୍ତ ସରୁନି ।

naveen

ଏବେ ଆସନ୍ତୁ ଜାଣିବା କ’ଣ ରହିଛି ସରକାରଙ୍କ ଶ୍ୱେତପତ୍ରରେ ?
୮ଟି ଜିଲ୍ଲାରେ ମାଓ ସମସ୍ୟା ଉଦ୍ବେଗଜନକ ରହିଥିବା ସରକାର ଶ୍ୱେତପତ୍ରରେ ଦର୍ଶାଇଛନ୍ତି । ଦୈନିକ ରାଜ୍ୟରେ ହାରାହାରି ୩ଟି ହତ୍ୟାକାଣ୍ଡ ଘଟୁଥିବା ମଧ୍ୟ ଶ୍ୱେତପତ୍ରରେ ପ୍ରକାଶ ପାଇଛି । ଏହା ସହ ରାଜ୍ୟରେ ଦିନକୁ ୫ରୁ ଅଧିକ ଲୁଣ୍ଠନ ମାମଲା ସାମନାକୁ ଆସୁଛି । ୧୧ଟି ସିନ୍ଧି ଚୋରି ଓ ୨୫ଟି ଚୋରି ମାମଲା ଦୈନିକ ଘଟୁଥିବା ଶ୍ୱେତପତ୍ରରେ ଦର୍ଶାଇଛନ୍ତି ସରକାର । ଏହା ସହ ରାଜ୍ୟରେ ଦୈନିକ ଘଟୁଛି ୮ଟି ଠକେଇ ଘଟଣା । ପ୍ରତି ଦିନ ପ୍ରାୟ ୬ଟି ବଳାକ୍ରାର ଭଳି ଜଘନ୍ୟ ମାମଲା ମଧ୍ୟ ସାମନାକୁ ଆସୁଛି । ଦିନକୁ ପ୍ରାୟ ୭ଟି ଦଙ୍ଗା ଘଟଣା ମଧ୍ୟ ସାମନାକୁ ଆସୁଥିବା ଦର୍ଶାଇଛନ୍ତି ସରକାର । ଏହା ସହ ପ୍ରତି ଦିନ ୧୫ଟି ଯୌତୁକ ମାମଲା ସାମନାକୁ ଆସୁଥିବା ବେଳେ ପ୍ରତି ସପ୍ତାହରେ ୯ଟି ଯୌତୁକଜନିତ ହତ୍ୟା ମାମଲା ମଧ୍ୟ ସାମନାକୁ ଆସୁଛି ।

ଏହା ସହ ଦିନ ପିଛା ଯୌତୁକ ନିର୍ଯାତନା ମାମଲା ସଂଖ୍ୟା ମଧ୍ୟ ୯ ରହିଛି । ସେହିପରି ଦୈନିକ ୫ଟି ଏସଟି ନିର୍ଯାତନା ମାମଲା ସହ ୨ଟି ଏସସି ନିର୍ଯାତନା ମାମଲା ମଧ୍ୟ ସାମନାକୁ ଆସୁଥିବା ଶ୍ୱେତପତ୍ରରେ ଦର୍ଶାଇଛନ୍ତି ସରକାର । ତେବେ ସବୁଠାରୁ ବଡ କଥା ହେଉଛି ଯେତିକି ମାମଲା ରୁଜୁ ହୋଇଛି ତାର ୫୦ ପ୍ରତିଶତ ଘଟଣାରେ ଚାର୍ଜସିଟ୍ ମଧ୍ୟ ଦାଖଲ ହୋଇପାରି ନାହିଁ । ଦୁଷ୍କର୍ମ ମାମଲା ମଧ୍ୟରୁ ପ୍ରାୟ ୩୭ ପ୍ରତିଶତ ମାମଲାରେ ଅଭିଯୋଗ ଫର୍ଦ୍ଦ ଦାଖଲ ହୋଇପାରି ନାହିଁ । ଲୁଣ୍ଠନରେ ମଧ୍ୟ ୫୫ ପ୍ରତିଶତ ମାମଲାର ତଦନ୍ତ ସରୁନାହିଁ । ସେହିପରି ଚୋରି ଘଟଣା ତଦନ୍ତରେ ପୋଲିସକୁ ମାତ୍ର ୨୫ ପ୍ରତିଶତ ସଫଳତା ମିଳିଛି ।