ପଶ୍ଚିମ ଓଡ଼ିଶାର ସମସ୍ତ ସହରରେ ବୃଦ୍ଧି ପାଉଛି ତାପମାତ୍ରା ! ବଲାଙ୍ଗୀର ରାଜ୍ୟର ସବୁଠୁ ଉତ୍ତପ୍ତ ସହର

31

କନକ ବ୍ୟୁରୋ : ସାରା ରାଜ୍ୟରେ ଗ୍ରୀଷ୍ମ ଲହରୀ ବହୁ ଥିବାବେଳେ ଗତକାଲି ରାଜ୍ୟର ୧୩ଟି ସହରରେ ପାରଦ ୪୦ଡିଗ୍ରି ଉପରେ ରହିଥିଲା । ଏଥିରେ ୩ଟି ସହରରେ ପାରଦ ୪୩ଡିଗ୍ରି ଅତିକ୍ରମ କରିଛି । ପଶ୍ଚିମ ଓଡ଼ିଶାର ସମସ୍ତ ସହରରେ ତାପମାତ୍ରା ବଢ଼ୁଥିବାବେଳେ ଉପକୂଳ ଓଡ଼ିଶାରେ ପାରଦ ୪୦ଡିଗ୍ରି ତଳକୁ ଖସିଛି । କିନ୍ତୁ ସାରା ରାଜ୍ୟରେ ଗତକାଲି ବି ଅସହ୍ୟ ତାତି ଅନୁଭୂତ ହୋଇଛି । ବଲାଙ୍ଗୀର ଗତକାଲି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି ।

tempratue rise

ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ଗତକାଲି ରାଜ୍ୟରେ ପ୍ରବଳ ଖରା ଅନୁଭୂତ ହୋଇଥିବାବେଳେ ଆସନ୍ତା କିଛି ଦିନ ପର୍ୟ୍ୟନ୍ତ ଏହିଭଳି ପାଗ ଲାଗି ରହିବ । ସେହିପରି ଏବେ ସମୁଦ୍ରରୁ ସ୍ଥଳ ଭାଗକୁ ପବନ ବହୁଥିବାରୁ ଉପକୂଳ ଓଡ଼ିଶାରେ ତାତି ଅପେକ୍ଷାକୃତ କମ୍ ରହିଛି । ପ୍ରାୟ ସମସ୍ତ ସ୍ଥାନରେ ୪୦ଡିଗ୍ରି ତଳେ ପାରଦ ରହିଛି । କିନ୍ତୁ ଦିନବେଳା ଟାଣ ଖରା ହେଉଥିବାରୁ ଅପରାହ୍ନରେ କାଳବୈଶାଖୀର ସମ୍ଭାବନା ଅଛି । ଆସନ୍ତା ୪୮ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷାପବନ ହେବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଗତକାଲି ଅପରାହ୍ନରେ ଚାନ୍ଦବାଲିରେ କାଳବୈଶାଖୀ ଜନିତ ବର୍ଷା ପବନ ହୋଇଛି । ଏଥିରେ ୧୧ମିଲିମିଟର ବର୍ଷା ହୋଇଥିବାବେଳେ ପ୍ରାୟ ୫୦କିମି ବେଗରେ ପବନ ବହିଛି ।

Heat Wave

ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ପଶ୍ଚିମ ଓଡ଼ିଶାର ପ୍ରାୟ ସମସ୍ତ ସ୍ଥାନରେ ପାରଦ ୪୦ଡିଗ୍ରି ଉପରେ ଥିବାବେଳେ ବଲାଙ୍ଗୀର ଏବଂ ଏହା ନିକଟବର୍ତ୍ତୀ ସହରରେ ପାରଦ ୪୩ଡିଗ୍ରି ଉପରେ ରହିଛି ବଲାଙ୍ଗୀର ଓ ସୋନପୁରରେ ରାଜ୍ୟର ସର୍ବାଧିକ ତାପମାତ୍ରା ୪୩.୨ଡିଗ୍ରି ରେକର୍ଡ ହୋଇଥିବାବେଳେ ଟିଟିଲାଗଡ଼ରେ ୪୩ଡିଗ୍ରି ରେକର୍ଡ ହୋଇଛି । ସେହିପରି ଅନୁଗୁଳରେ ୪୧.୭, ଝାରସୁଗୁଡ଼ାରେ ୪୧.୨, ସମ୍ବଲପୁରରେ ୪୨, ସୁନ୍ଦରଗଡ଼ରେ ୪୦, ହୀରାକୁଦରେ ୪୨.୧, ତାଳଚେରରେ ୪୦.୭, ଭବାନିପାଟଣାରେ ୪୧.୨, ଫୁଲବାଣୀରେ ୪୦.୨, ମାଲକାନଗିରିରେ ୪୦.୬, ଢେଙ୍କାନାଳରେ ୪୦.୩ ଡିଗ୍ରି ରେକର୍ଡ ହୋଇଛି । ସେହିପରି ଭୁବନେଶ୍ୱରରେ ୩୯.୪, କଟକରେ ୩୮.୪, ଚାନ୍ଦବାଲିରେ ୩୮.୭, ବାଲେଶ୍ୱରରେ ୩୫.୧, ପାରାଦୀପରେ ୩୨, ଗୋପାଳପୁରରେ ୩୨, ପୁରୀରେ ୩୩.୬ଡିଗ୍ରି ରେକର୍ଡ ହୋଇଛି ।