ଜଳପଥରେ ଆତଙ୍କବାଦୀ ଆକ୍ରମଣ ନେଇ ଗୁଇନ୍ଦା ସୂଚନା : ତଟ ସୁରକ୍ଷା ବଢିଲା, ଅସ୍ତରଙ୍ଗ ଉପକୂଳରେ ନୌସେନା ଓ ପୁଲିସର ମିଳିତ ପାଟ୍ରୋଲିଂ

639

କନକ ବ୍ୟୁରୋ : ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ସମୁଦ୍ରପଥରେ ଆତଙ୍କବାଦୀ ଆକ୍ରମଣର ଆଶଙ୍କା ରହିଛି । ଏନେଇ ଗୁଇନ୍ଦା ସୂଚନା ମିଳିବା ପରେ ଉପକୂଳ ସୁରକ୍ଷାକୁ କଡାକଡି କରାଯାଇଛି । ଓଡିଶାର ୪୮୦ କିଲୋମିଟର ସାମୁଦ୍ରିକ ପଥରେ ଥିବା ୭ ଜିଲ୍ଲାର ଏସପିମାନଙ୍କୁ ଗୃହବିଭାଗ ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି ।  ଏହାକୁ ଭିତ୍ତି କରି ପୁରୀ ଜିଲ୍ଲାର ୭ଟି ସାମୁଦ୍ରିକ ଥାନାରେ ଜଳପଥ ପାଟ୍ରୋଲିଂକୁ କଡା କଡି କରାଯାଇଛି ।  ସାମୁଦ୍ରିକ ଥାନା ପୋଲିସ ସହିତ ତଟରକ୍ଷୀ କର୍ମଚାରୀ ମିଳିତ ଭାବେ ଉପକୂଳକୁ ସୁରକ୍ଷା ଦେଉଛନ୍ତି । ଇଂଟରସେପ୍ଟର ସ୍ପିଡ ବୋଟରେ ଚାଲିଛି ପାଟ୍ରୋଲିଂ । 

ଏଥିରେ ନୌସେନାର ଅବସରପ୍ରାପ୍ତ ୮ଜଣ ସଦସ୍ୟଙ୍କ ସହିତ ସାମୁଦ୍ରିକ ଥାନାର ପୋଲିସ ପକ୍ଷରୁ ମିଳିତ ଭାବେ ପାଟ୍ରୋଲିଂ କରାଯାଉଛି । ଜଳପଥରେ ଆତଙ୍କବାଦୀ ହମଲା ଏବଂ ଅନୁପ୍ରବେଶକୁ ପ୍ରତିହତ କରିବାପାଇଁ ନିୟମିତ ଭାବେ ଏହି ପାଟ୍ରୋଲିଂ କରାଯାଉଛି । ମତ୍ସ୍ୟଜୀବୀମାନେ ଜଳପଥରେ ସନ୍ଦେହଜନକ ଅବସ୍ଥାରେ କୌଣସି ବ୍ୟକ୍ତିଙ୍କୁ ଦେଖିଲେ ତୁରନ୍ତ ଥାନାକୁ ଖବର ଦେବାପାଇଁ ସେମାନଙ୍କୁ ପରାମର୍ଶ ଦିଆଯାଇଛି । ଅସ୍ତରଙ୍ଗ ସାମୁଦ୍ରିକ ଥାନାରେ ଚିଲିକା ନୌସେନାର କ୍ୟାପଟେନଙ୍କ ନେତୃତ୍ୱରେ ଏକ ଟିମ ସ୍ଥାନିୟ ମତ୍ସ୍ୟଜୀବୀ ଓ ଜନସାଧାରଣଙ୍କୁ ଏ ସମ୍ପର୍କରେ ସଚେତନ କରାଇଛନ୍ତି ।