ପର୍ଯ୍ୟଟନ ଋତୁରେ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିରେ ଜମୁଛି ଭିଡ଼ : ମନମୁଗ୍ଧ କଲା ଭଳି ପରିବେଶ, ନେଚରପାର୍କ, ହିଲଭିୟୁ ପାର୍କ, ସାଇଲେଣ୍ଟ ଭ୍ୟାଲିରେ ସେଲ୍ଫି ନେବା ସହ ବଣଭୋଜିର ମଜା ନେଉଛନ୍ତି ପର୍ଯ୍ୟଟକ

404

କନକ ବ୍ୟୁରୋ : ପର୍ଯ୍ୟଟନ ଋତୁରେ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିରେ ପର୍ଯ୍ୟଟକଙ୍କ ଭିଡ଼ । ଘନ ଝାଉଁ ବଣ, କଫି ବଗିଚା ଓ ଅଙ୍କାବଙ୍କା ଘାଟି ରାସ୍ତାରେ ପରିପୂର୍ଣ ଦାରିଙ୍ଗବାଡ଼ିରେ ପାହାନ୍ତିଆ ଶୀତର ମଜା ନେବାକୁ ପ୍ରତିଦିନ ଶହ ଶହ ପର୍ଯ୍ୟଟକ ଭିଡ଼ ଜମାଉଛନ୍ତି । ଦାରିଙ୍ଗବାଡ଼ିର ସୁନ୍ଦର ପରିବେଶ, ସବୁଜ ଅରଣ୍ୟ ପର୍ଯ୍ୟଟକଙ୍କୁ ଅନନ୍ୟ ଅନୁଭୂତି ପ୍ରଦାନ କରୁଛି । ଏଠାକାର  ଶାନ୍ତ ବାତାବରଣ, ଆଦିବାସୀ ସଭ୍ୟତା ଓଡିଶାର ଭୂସ୍ୱର୍ଗର ସୌନ୍ଦର୍ଯ୍ୟକୁ ବହୁଗୁଣିତ କରୁଛି । ହାଡ଼ ଭଙ୍ଗା ଜାଡ଼କୁ ଖାତିର ନକରି ଦୂରଦୁରାନ୍ତରରୁ ଏହି ହିଲ୍ ଷ୍ଟେସନକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି ।

କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ରାଜ୍ୟର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନସ୍ଥଳୀ । ଓଡିଶାର ଭୂସ୍ୱର୍ଗ ଭାବେ ପରିଚିତ ପ୍ରକୃତିର ନୈସର୍ଗିକ ସୌନ୍ଦର୍ଯ୍ୟରେ ଭରପୂର ଦାରିଙ୍ଗବାଡି ଏକାନ୍ତରେ ହେଉ ଅବା ପରିବାର ସହ ସମୟ ବିତାଇବା ପାଇଁ ଏକ ପ୍ରକୃଷ୍ଟ ଭ୍ରମଣସ୍ଥଳୀ । ସମୁଦ୍ର ପତ୍ତନ ଠାରୁ ପ୍ରାୟ ୩ହଜାର ଫୁଟ ଉଚ୍ଚରେ ଅବସ୍ଥିତ ଦାରିଙ୍ଗବାଡି ।  ଦାରିଙ୍ଗବାଡିର ମନମୁଗ୍ଧ କଲା ଭଳି ପରିବେଶ, ଚିଲ୍ଡ଼ରେଂସ୍ ପାର୍କ, ନେଚରପାର୍କ, ହିଲଭିୟୁ ପାର୍କ, କିରିକୁଟି ପ୍ରକୃତି ଲଭର୍ସ ପଏଣ୍ଟ ଓ ସାଇଲେଣ୍ଟ ଭ୍ୟାଲିରେ  ସେଲ୍ଫି ନେବା ସହ ବଣଭୋଜିର ମଜା ଉଠାଉଛନ୍ତି ପର୍ଯ୍ୟଟକ ।

ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ରହିବା ପାଇଁ ଜଙ୍ଗଲବିଭାଗ ପକ୍ଷରୁ ଇକୋ କଟେଜର ବ୍ୟବସ୍ଥା କରାଯାଇଛି । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ   ଇକୋ କଟେଜରେ ଦେଶୀ ଖାଦ୍ୟ ସହ ରାତିରେ କ୍ୟାମ୍ପ ଲବସକ୍ସ ର ମଧ୍ୟ ବ୍ୟସ୍ଥାରହିଛି ଯାହା ପର୍ଯ୍ୟଟକଙ୍କୁ ବେଶ ଆନନ୍ଦ ନେଉଛନ୍ତି । ଏହାସହ ଦାରିଙ୍ଗବାଡିରେ ଛୋଟ ବଡ଼ ଲଜ୍ ମଧ୍ୟ ରହିଛି ।

ହେଲେ ସବୁଠାରୁ ଦୁଃଖର କଥା ହେଲା ପର୍ଯ୍ୟଟନ ବିଭାଗର ଦୂରଦୃଷ୍ଟି ଅଭାବରୁ ଦାରିଙ୍ଗବାଡ଼ିର ବିକାଶ ହୋଇପାରୁନାହିଁ । ଦାରିଙ୍ଗବାଡ଼ିରେ ଅନେକ ହୋଟେଲ ଓ ଲଜ୍ ଥିଲେ ବି ଅଧିକ ମୂଲ୍ୟ ନେଉଥିବାରୁ ପର୍ଯ୍ୟଟକ ଅସନ୍ତୋଷ ପ୍ରକାଶ କରୁଛନ୍ତି । ସରକାର ଏଥିପ୍ରତି ଧ୍ୟାନ ଦେଲେ ଅଧିକ ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ଆସନ୍ତେ ବୋଲି ମତ ଦେଇଛନ୍ତି ପର୍ଯ୍ୟଟକ ।