ବଢ଼ିଲା ନିର୍ମାଣ ଶ୍ରମିକଙ୍କ ପେନସନ୍ ! ୩୦୦ରୁ ୫୦୦ ଟଙ୍କାକୁ ବୃଦ୍ଧି, ଝିଅ ବାହାଘରରେ ୫୦ ହଜାର ସହାୟତା ଦେବେ ସରକାର

219

କନକ ବ୍ୟୁରୋ : ନିର୍ମାଣ ଶ୍ରମିକମାନେ ପେନସନ୍ ବାବଦରେ ଏଣିକି ୩୦୦ ଟଙ୍କା ପରିବର୍ତ୍ତେ ୫୦୦ ଟଙ୍କା ପାଇବେ । ନିର୍ମାଣ ଶ୍ରମିକମାନଙ୍କ ପାଇଁ ପେନସନ୍ ଓ ସହାୟତାର ପରିମାଣକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୃଦ୍ଧି କରିଛନ୍ତି । ଏହାସହିତ ୮୦ ବର୍ଷ ବୟସରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କ ପେନସନ ରାଶିକୁ ୫୦୦ ଟଙ୍କାରୁ ୭୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ହିତାଧିକାରୀମାନେ ଏହି ବର୍ଦ୍ଧିତ ପେନସନ୍ ୨୦୧୯ ଫେବ୍ରୁଆରିରୁ ପାଇବେ ।

ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ଶ୍ରମିକମାନଙ୍କ ପାଇଁ ବିବାହ ଓ ମୃତ୍ୟୁ ସହାୟତା ମଧ୍ୟ ବୃଦ୍ଧି କରାଯାଇଛି । ନିର୍ମାଣ ଶ୍ରମିକମାନେ ସର୍ବାଧିକ ଦୁଇଟି ଝିଅ ଥିଲେ ସେମାନଙ୍କ ଝିଅମାନଙ୍କ ବିବାହ ପାଇଁ ପୂର୍ବରୁ ୨୫ ହଜାର ଟଙ୍କା ସହାୟତା ପାଉଥିଲେ । ଏବେ ଏହି ପରିମାଣକୁ ୫୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ସ୍ବାଭାବିକ ମୃତ୍ୟୁ କ୍ଷେତ୍ରରେ ସହାୟତା ପରିମାଣକୁ ୧ ଲକ୍ଷ ଟଙ୍କାରୁ ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିବାବେଳେ ଦୁର୍ଘଟଣାଜନିତ ମୃତ୍ୟୁ ପାଇଁ ଥିବା ୨ ଲକ୍ଷ ଟଙ୍କା କ୍ଷତିପୂରଣ ରାଶିକୁ ୪ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ।