ଓଡ଼ିଶାରେ ବାଣିଜ୍ୟ, ନିବେଶ, ପର୍ଯ୍ୟଟନ କ୍ଷେତ୍ରରେ ପର୍ଯ୍ୟାପ୍ତ ସୁଯୋଗ : ରାଜ୍ୟର ବିକାଶକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ଭିଜନ୍ ୨୦୩୦, ଦକ୍ଷିଣ କୋରିଆର ପୁଞ୍ଜିନିବେଶ ପ୍ରସ୍ତାବକୁ ସ୍ୱାଗତ

463

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଜନ୍ ୨୦୩୦ । ରାଜ୍ୟର ବିକାଶକୁ ଦୃଷ୍ଟିରେ ରଖି ନିବେଶକୁ ଗୁରୁତ୍ୱ ଦେଉଛନ୍ତି ମୁଖ୍ୟମନ୍ତ୍ରୀ । ଏହି କ୍ରମରେ ଓଡିଶାରେ ପୁଣି ପୁଞ୍ଜିନିବେଶ କରିବ କୋରିଆ । ଏଥିପାଇଁ ଆଜି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି କୋରିଆର ୪୬ ଜଣିଆ ପ୍ରତିନିଧି ଦଳ । ଓଡ଼ିଶାରେ ଦକ୍ଷିଣ କୋରିଆର ପୁଞ୍ଜିନିବେଶ ପ୍ରସ୍ତାବକୁ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶା ଓ ଦକ୍ଷିଣ କୋରିଆର ମିଳିତ ଉଦ୍ୟମରେ ରାଜ୍ୟରେ ଅଧିକରୁ ଅଧିକ ନିବେଶ ସମ୍ଭବ ହୋଇପାରିବ । ପ୍ରସ୍ତାବିତ ପୋସ୍କୋ ପ୍ରକଳ୍ପ ବିଫଳ ହେବା ପରେ ଓଡିଶାରୁ ମୁହଁ ଫେରାଇ ନେଇଥିଲା କୋରିଆ । ପୋସ୍କୋ ସମୟର ଅଭିଜ୍ଞତାକୁ ଆଧାର କରି ପୁଣି ଓଡିଶାରେ ନୂଆ ପ୍ରକଳ୍ପ ପ୍ରତିଷ୍ଠା କରିବାକୁ ଆଗ୍ରହ ଦେଖାଇଛିି କୋରିଆ ।

ରାଜ୍ୟର ବିକାଶ ପାଇଁ ସର୍ବଦା ଚେଷ୍ଟିତ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ଭବିଷ୍ୟତ ଚିନ୍ତା କରି ବିଭିନ୍ନ ସମୟରେ ବିଦେଶୀ କମ୍ପାନୀଙ୍କୁ ରାଜ୍ୟରେ ନିବେଶ କରିବା ପାଇଁ ଉତ୍ସାହିତ କରୁଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ପ୍ରଚୁର ମାତ୍ରାରେ ଖଣିଜ ସମ୍ପଦ ଗଚ୍ଛିତ ରହିଛି । ବାଣିଜ୍ୟ, ନିବେଶ ଓ ପର୍ଯ୍ୟଟନ କ୍ଷେତ୍ରରେ ରାଜ୍ୟରେ ପର୍ଯ୍ୟାପ୍ତ ସୁଯୋଗ ରହିଛି । ନିବେଶକ ସଂଖ୍ୟା ବଢ଼ିଲେ ରାଜ୍ୟର ବକାଶ ଅଧିକ ଗତିଶୀଳ ହୋପାରିବ । ଆଉ ଏଥିପାଇଁ ଖୁବ ଶୀଘ୍ର ରାଜ୍ୟରେ ଘୋଷଣା ହେବ ଭିଜନ୍ ୨୦୩୦ । ରାଜ୍ୟରେ ଉତ୍ପାଦିତ ଧାତୁର ୫୦ ପ୍ରତିଶତ ରାଜ୍ୟରେ ହିଁ ବିନିଯୋଗ ହେବ । କୋରିଆର ବାଣିଜ୍ୟିକ ଟିମ୍ ସହ ଆଲୋଚନ ପରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଉଭୟ ପକ୍ଷର ଆଲୋଚନା ପରେ ଓଡ଼ିଶାରେ ପୁଞ୍ଜିନିବେଶ କରିବା ପାଇଁ ଆଗ୍ରହୀ ହୋଇଛି ଦକ୍ଷିଣ କୋରିଆ । ବୈଦୁତିକ, ପେଟ୍ରୋଲିୟମ୍, ବୟନ ଶିଳ୍ପ, ପର୍ଯ୍ୟଟନ, ରସାୟନ, ଧାତବ ଓ ଖାଦ୍ୟ ପ୍ରକିୟାକରଣ ଶିଳ୍ପରେ ପୁଞ୍ଜିନିବେଶ କରିବାକୁ ଆଗ୍ରହ ପ୍ରକାଶ କରିିଛନ୍ତି । ଏହା ବ୍ୟତୀତ ଓଡ଼ିଶାର ପାଣିପାଗ ଓ ପରିବେଶକୁ ଦେଖି କୃଷି , ମତ୍ସ୍ୟସମ୍ପଦ, ହର୍ଟିକଲଚର, ଇସ୍ପାତ ,ସେବା ଓ ଭିତ୍ତିଭୂମି ବିକାଶରେ ମଧ୍ୟ ଓଡ଼ିଶାରେ ପୁଞ୍ଜିନିବେଶ କରିବା ଦିଗରେ ଆଗ୍ରହୀ ଦକ୍ଷିଣ କୋରିଆ । ତେବେ ଏସବୁ ପାଇଁ ଭିତ୍ତିଭୂମି, ଶିଳ୍ପ ପରିବେଶ ଓ ମାନବ ସମ୍ବଳ କ୍ଷେତ୍ରରେ ସହଯୋଗ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ  ।

ଅନ୍ୟପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାୟ ୨୦୦ ମିଲିୟନ୍ ୟୁଏସ୍ ଡଲାର ବିନିମୟରେ ଓଡ଼ିଶାରେ ଖୁବଶୀଘ୍ର ବିଶ୍ୱସ୍ତରୀୟ ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା ହେବ । ୧୫୦୦୦ ଲୋକଙ୍କୁ ଆଠୋଟି ଷ୍ଟ୍ରିମରେ ଦକ୍ଷତା ବିକାଶ ପ୍ରଶିକ୍ଷଣ ଦିିଆଯିବ ବୋଲି ସୂଚନା ଦେଇଛନ୍ତି ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗଚୀ ।

କୋରିଆର ପ୍ରତିନିଧି ଦଳ ଓଡ଼ିଶା ଗସ୍ତରେ ଆସିବା ପରେ ସମ୍ପର୍କ ମଜଭୁତ ହେବା ସହ ଅଧିକ ନିବେଶର ସୁଯୋଗ ରହିଛି । ଓଡ଼ିଶାରେ ବିଦେଶୀ ନିବେଶ ବୃଦ୍ଧି ପାଇବା ଦ୍ୱାରା ରାଜ୍ୟର ବିକାଶ ହେବାସହ ଯୁବଗୋଷ୍ଠୀଙ୍କୁ ଚାକିରି ସୁଯୋଗ ମଧ୍ୟ ମିଳିପାରିବ । କର୍ମସଂସ୍ଥାନର ସନ୍ଧାନ ପାଇଁ ରାଜ୍ୟ ତଥା ଦେଶ ବାହାରକୁ ଯିବାକୁ ପଡ଼ିବ ନାହିଁ । ପ୍ରାକୃତିକ ପ୍ରାଚୁର୍ଯ୍ୟରେ ଭରପୁର ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ବିଭିନ୍ନ ସମୟରେ ଦେଶ ବାହାର କମ୍ପାନୀମାନେ ଆଗ୍ରହ ଦେଖାଉଛନ୍ତି । ଏହାଦ୍ୱାରା ରାଜ୍ୟ ଲାଭବାନ ହେବାସହ ଜନତା ମଧ୍ୟ ଲାଭବାନ ହୋଇପାରିବେ ।