କନକ ବ୍ୟୁରୋ : ଚଳିତ ଶିକ୍ଷାବର୍ଷରୁ ସ୍କୁଲ ବ୍ୟାଗ୍ ଓଜନ ନିୟମକୁ କଡ଼ାକଡ଼ି କରାଯାଇଛି । ରାଜଧାନୀର ବିଭିନ୍ନ ସ୍କୁଲରେ ଚାଲିଛି ସ୍କୁଲ ବ୍ୟାଗ ଯାଂଚ । ପିଲାଙ୍କ ବସ୍ତାନୀ ବୋଝ ନେଇ ଆଜି ରାଜଧାନୀରେ ଶିଶୁ ଅଧିକାର ଆୟୋଗ ସ୍କ୍ୱାର୍ଡ ପକ୍ଷରୁ ଯାଂଚ କରାଯାଇଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏହି ଯାଂଚ କରାଯାଇଛି । ସ୍କ୍ୱାର୍ଡରେ ଅଭିଭାବକ, ସାମାଜିକ କର୍ମୀ ଓ ଅନ୍ୟମାନେ ସାମିଲ ହୋଇଥିଲେ । ଦୀର୍ଘଦିନ ଧରି ପିଲାଙ୍କ ଉପରେ ବସ୍ତାନି ବୋଝ ହେଉଥିବା ଦୀର୍ଘଦିନ ଧରି ହୋଇଆସୁଥିଲା । ଏହା ପରେ ଶିଶୁ ଅଧିକାର ଆୟୋଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।
ସ୍କୁଲରେ ବସ୍ତାନୀ ବୋଝ ଯାଂଚ ବେଳେ କନକ ନ୍ୟୁଜ ସାମନାରେ ପିଲା କହିଛନ୍ତି ଯନ୍ତ୍ରଣାର କାହାଣୀ । ଓଜନିଆ ବ୍ୟାଗ ବୋଝରେ କେମିତି ସେମାନେ ଭାରାକ୍ରାନ୍ତ ହେଉଛନ୍ତି ସେ କଥା ବଖାଣିଛନ୍ତି । କେତେବେଳେ ଅଧିକ ବହିର ଆବଶ୍ୟକତା ରହୁଛି ତ ଆଉ କେବେ ଶିକ୍ଷକ ଶିକ୍ଷୟିତ୍ରୀ ବାଧ୍ୟ କରୁଛନ୍ତି ଅଧିକ ବହି ଖାତା ଆଣିବା ପାଇଁ । ଓଜନିଆ ବସ୍ତାନୀ ବୋଝରେ ବେକ, କାନ୍ଧ, ପିଠି ଓ ମେରୁଦଣ୍ଡ ଯନ୍ତ୍ରଣା ଭୋଗୁଛନ୍ତି ଛାତ୍ରଛାତ୍ରୀ । ବର୍ଷ ବର୍ଷ ଧରି ସେମାନେ ଏପରି ଯନ୍ତ୍ରଣା ଭୋଗୁଥିବା କଥା କ୍ୟାମେରା ସାମନାରେ କହିଛନ୍ତି ।
ସ୍କୁଲ ବ୍ୟାଗ୍ ଓଜନ ନିୟମ ପାଳନ କରିବାକୁ ଗତ ମାର୍ଚ୍ଚ ମାସରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଥିଲା । ତେବେ ଅଧିକାଂଶ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ନିୟମକୁ ପାଳନ କରୁ ନାହାନ୍ତି । ତେଣୁ ନିୟମ ପାଳନ ହେଉଛି କି ନାହିଁ, ତାହାର ଲଗାତାର ଯାଂଚ ହେଉଛି ।