ବଜେଟ ଯୋଗୁଁ ରାଜ୍ୟରେ ଉପରେ ବଢ଼ିଲା ଆର୍ଥିକ ଚାପ : ସବୁ କ୍ଷେତ୍ରରେ କମିବ କେନ୍ଦ୍ରୀୟ ଅନୁଦାନ

130

କନକ ବ୍ୟୁରୋ :  କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଗତ କରିଥିବା ବଜେଟର ହିସାବ କିତାବ ଦେଖି ରାଜ୍ୟ ସରକାରଙ୍କ ମୁଣ୍ଡ ଗୋଳମାଳ ହୋଇଗଲାଣି । ଆଜି ଅର୍ଥ ବିଭାଗର ବରିଷ୍ଠ ଅଧିକାରୀମାନେ ଏକାଠି ବସି କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କ ବଜେଟ୍ ଟିଭିରେ ଦେଖୁଥିଲେ, ପରେ ଏହା ଉପରେ ହିସାବ କିତାବ କରାଯାଇଥିଲା । ଅଳ୍ପ କିଛି କ୍ଷେତ୍ରକୁ ଛାଡିଦେଲେ, ଅନ୍ୟ ସବୁ କ୍ଷେତ୍ରରେ କେନ୍ଦ୍ରୀୟ ଅନୁଦାନ କମିବ । ଜିଏସଟି ବାବଦ ରାଜ୍ୟ ଅଂଶ ମଧ୍ୟ ପ୍ରଭାବିତ ହେବ ।

ଅର୍ଥାତ୍ ଆର୍ଥିକ ଚାପରେ ରାଜ୍ୟର ଅର୍ଥନୀତି ଚାପି ହୋଇଯିବା ସମ୍ଭାବନା ଅଧିକ । ରାଜ୍ୟ ସରକାରଙ୍କର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, କେନ୍ଦ୍ର ବଜେଟରେ ଆବଣ୍ଟିତ ହୋଇଥିବା ଅର୍ଥରାଶିରେ ବହୁତ ଖୁସି ହେବା ଭଳି କଥା କିଛି ନାହିଁ । ଶିକ୍ଷା, ସ୍ବାସ୍ଥ୍ୟ ଓ ମହିଳା ଶିଶୁ କଲ୍ୟାଣ ବିଭାଗରେ ଅନୁଦାନ ଅଳ୍ପ ବୃଦ୍ଧି ପାଇଛି । କିନ୍ତୁ ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା, ସ୍ବଚ୍ଛ ଭାରତ ମିସନ, ଜାତୀୟ ରାଜପଥ, ଅନୁସୂଚିତ ଜାତି ଓ ଜନଜାତି ବିଭାଗ ସଂପର୍କିତ ଅନେକ େଯାଜନାରେ ଅର୍ଥରାଶି କମିଛି । ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ଅର୍ଥ ରାଶି ସମାନ ରହିଛି ।

ରାଜ୍ୟ ସରକାରଙ୍କର କହିବା କଥା ହେଉଛି, କେନ୍ଦ୍ରୀୟ ବଜେଟ୍ ଆଗତ ପୂର୍ବରୁ ରାଜ୍ୟ ବଜେଟ୍ ଉପସ୍ଥାପନ କରାଯାଇଥିଲା । ସେଥିରେ ସର୍ବନିମ୍ନ ୧୦% ଅଧିକ ଅର୍ଥ ମିଳିବ ବୋଲି ପୂର୍ବାନୁମାନ କରି ଅର୍ଥ ବରାଦ କରାଯାଇଛି । ଏବେ କେନ୍ଦ୍ର ଅର୍ଥ ରାଶି କମାଇ ଦେଇଛନ୍ତି । ଅତଏବ ସେସବୁ କ୍ଷେତ୍ରରେ ବିକାଶ ପ୍ରକ୍ରିୟା ପ୍ରଭାବିତ ତ ହେବ, ରାଜ୍ୟ ଉପରେ ସାଂଘାତିକ ଚାପ ପଡିବ । ଏହାର ଆଉ ଏକ କାରଣ ହେଉଛି, କେନ୍ଦ୍ର ସରକାର ଦ୍ରବ୍ୟ ଓ ସେବା କରରୁ ଯେତିକି ପରିମାଣର ଟିକସ ଆଦାୟ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି, ତାହା ପ୍ରଭାବିତ ହେଲାଣି ।

ଜୁନ ମାସରେ କେନ୍ଦ୍ର ସରକାର ୧ଲକ୍ଷ ୨୦ ହଜାର କୋଟି ଟାର୍ଗେଟ ଥିଲା । ହେଲେ ୧ଲକ୍ଷ କୋଟି ଛୁଇଁପାରିଲା ନାହିଁ । ମେ’ ମାସରେ ମଧ୍ୟ ୧ଲକ୍ଷ ୩ ହଜାର କୋଟି ଟଙ୍କା ଆଦାୟ ହୋଇଥିଲା । କେନ୍ଦ୍ରରେ ଯେତେବେଳେ ଟିକସ ଆଦାୟ କମୁଛି, ସ୍ବାଭାବିକ ଭାବେ ରାଜ୍ୟ ଅଂଶ କମିବ ।

ଉଲ୍ଲେଖଯୋଗ୍ୟ, ୨୦୧୯-୨୦ ଆର୍ଥିକ ବର୍ଷ ଲାଗି ରାଜ୍ୟ ସରକାର ଯେଉଁ ବଜେଟ୍ ଉପସ୍ଥାପନ କରିଛନ୍ତି, ସେଥିରେ ଆର୍ଥିକ ଚାପ ଜଳ ଜଳ ହୋଇ ଦିଶୁଥିଲା । କେଉଁଠି ନା କେଉଁଠି ଧରାପଡିଯାଉଥିଲା, ଅଧିକ ପୁଞ୍ଜି ଖର୍ଚ୍ଚ ପାଇଁ ଅର୍ଥ ଚିନ୍ତା ସରକାରଙ୍କୁ ଘାରିଛି । ଯେଉଁଥିପାଇଁ ଟିକସ ବୃଦ୍ଧି ଦର୍ଶାଇବା ପରେ ବି ରାଜ୍ୟ ସରକାର ଦୀର୍ଘ ଦିନ ବ୍ୟବଧାନରେ ବିତ୍ତୀୟ ନିଅଣ୍ଟ ସୀମା (୩%) ଅତିକ୍ରମ କରିଥିଲେ । ଅବଶ୍ୟ ଏ କ୍ଷେତ୍ରରେ ଥିବା ୦.୫% ଅତିରିକ୍ତ ସୁବିଧା ନେବା ପାଇଁ ଓଡ଼ିଶା ହକଦାର ବୋଲି ଅର୍ଥ ବିଭାଗ ସଫେଇ ଦେଇଥିଲା ।

କିନ୍ତୁ ରାଜ୍ୟ ସରକାରଙ୍କର ଋଣ ଉପରେ ନିର୍ଭରଶୀଳତା କ୍ରମଶଃ ବଢିଲାଣି ଏକଥା ଅର୍ଥନୀତିଜ୍ଞମାନେ ସୂଚାଇଥିଲେ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ନିଜ ବଜେଟକୁ ସମତୁଲ ବୋଲି ଦାବି କରିଥିଲେ । କିନ୍ତୁ ଦେଖାଯାଇଥିଲା, ପାଖାପାଖି ୧ଲକ୍ଷ ୧୫ ହଜାର ୨ଶହ ୬୬ କୋଟି ଟଙ୍କା ବିଭିନ୍ନ କ୍ଷେତ୍ରରୁ ମିଳୁଥିଲା ଓ ସରକାର ଋଣ ଓ ଅନ୍ୟାନ୍ୟ ପ୍ରାପ୍ତିରୁ ୨୩ହଜାର ୭୩୪ କୋଟି ଟଙ୍କା ଭରଣା କରିବେ ବୋଲି ଯୋଜନା କରିଥିଲେ । ଏବେ କେନ୍ଦ୍ର ସରକାରଙ୍କ ବଜେଟ ସ୍ଥିତିକୁ ଆହୁରି ଗମ୍ଭୀର କରିଦେବା ସମ୍ଭାବନାକୁ ଏଡାଇ ଦେଇ ହେବନାହିଁ ।