ସାରା ରାଜ୍ୟରେ ଆଜିଠୁ ସ୍ୱତନ୍ତ୍ର କରୋନା ଅଭିଯାନ : ୩୧ ଜୁଲାଇ ପର୍ଯ୍ୟନ୍ତ ଘର ଘର ବୁଲିବେ ଆଶା ଦିଦି ଓ ଏଏନଏମ କର୍ମୀ, ଲକ୍ଷଣ ଥିବା ବ୍ୟକ୍ତିଙ୍କ କରୋନା ପରୀକ୍ଷା ପାଇଁ କରିବେ ସୁପାରିଶ

219

କନକ ବ୍ୟୁରୋ : କରୋନା ସଂକ୍ରମଣ ରୋକିବା ପାଇଁ ଆଜି ଠାରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି ଓଡିଶା ସରକାର । ଗାଁ ଗହଳି ଓ ସହରର ବସ୍ତି ଅଂଚଳରେ ଘରକୁ ଘର ବୁଲି କରୋନା ଲକ୍ଷଣ ଥିବା ଲୋକଙ୍କୁ ଚିହ୍ନଟ କରାଯିବ । ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବେ ଆଶା ଓ ଏଏନଏମ କର୍ମୀ । ୧୬ଜୁନରୁ ୩୧ ଜୁଲାଇ ପର୍ଯ୍ୟନ୍ତ ଚାଲିବ ସ୍ୱତନ୍ତ୍ର ଅଭିଯାନ । ଯାହାର କରୋନା ଲକ୍ଷଣ ଦେଖାଯିବ ସେମାନଙ୍କ ଯାଂଚ ପାଇଁ ସୁପାରିଶ କରିବେ ଆଶା ଓ ଏଏନଏମ । ଏହି ସୂଚନା ଦେଇଛନ୍ତି ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ।

କାରଣ, ଲକ୍ଷଣ ଥିବା ଲୋକଙ୍କ ଠାରୁ ସଂକ୍ରମଣର ଅଧିକ ଆଶଙ୍କା ରହିଛି । ଏହାସହ କରୋନା ପରୀକ୍ଷଣ ହାର କମିବା ନେଇ ସ୍ପଷ୍ଟୀକରଣ ରଖିଛନ୍ତି ରାଜ୍ୟ ସରକାର । ଆଇସିଏମଆରର ନୂଆ ଗାଇଡଲାଇନ ଅନୁସାରେ କରୋନା ପରୀକ୍ଷା କରାଯାଉଥିବା ନେଇ ରାଜ୍ୟ ସରକାର ସୂଚନା ଦେଇଛନ୍ତି । ଓଡିଶାରେ ଆଜି ସୁଦ୍ଧା ୨ଲକ୍ଷ ସନ୍ଦିଗ୍ଧଙ୍କ କରୋନା ପରୀକ୍ଷା ସରିଛି । ବର୍ତମାନ ଲକ୍ଷଣ ଥିବା ସନ୍ଦିଗ୍ଧ ଓ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ କରୋନା ପରୀକ୍ଷା ନେଇ ଆଇସିଏମଆରର ନୂଆ ଗାଇଡଲାଇନ ଜାରି କରିବା ପରେ ମୁକାବିଲା ରଣନୀତି ବଦଳାଇଛନ୍ତି ରାଜ୍ୟ ସରକାର ।