ଓଡ଼ିଶା ପୋଲିସ ସଂଘର ସଭାପତି ସତ୍ୟଜିତ୍ ମିଶ୍ର ନିଲମ୍ବିତ : ପୋଲିସ ପାଇଁ ସୁରକ୍ଷା ଦାବି ପଡ଼ିଲା ମହଙ୍ଗା

486

କନକ ବ୍ୟୁରୋ : ଓଡ଼ିଶା ପୋଲିସ ସଂଘର ସଭାପତି ସତ୍ୟଜିତ୍ ମିଶ୍ର କାର୍ଯ୍ୟରୁ ନିଲମ୍ବିତ । ବାଲିଆପାଳ ଆଇଆଇସିଙ୍କୁ ଆକ୍ରମଣ ଘଟଣାରେ ପୋଲିସ ପାଇଁ ସୁରକ୍ଷା ଦାବି କରିଥିଲେ ସତ୍ୟଜିତ ମିଶ୍ର । ପୋଲିସ ଅସୁରକ୍ଷିତ ବୋଲି ଗଣମାଧ୍ୟମରେ ଏସିପି ସତ୍ୟଜିତ ମିଶ୍ର ବୟାନ  ତାଙ୍କ ପାଇଁ ମହଙ୍ଗା ପଡିଛି । ସତ୍ୟଜିତ ମିଶ୍ରଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି ପୋଲିସ ଡିଜି ଆର.ପି.ଶର୍ମା ।

ବାଲିଆପାଳରେ ନାବାଳକ ମୃତ୍ୟୁ ପରେ ପୋଲିସକୁ ଆକ୍ରମଣ କରିଥିଲେ ଉତ୍ତ୍ୟକ୍ତ ଲୋକେ । ଏପରିକି ସ୍ଥାନୀୟ ଆଇଆଇସିଙ୍କୁ ମଧ୍ୟ ଆକ୍ରମଣ ହୋଇଥିଲା । ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଆଇଆଇସିଙ୍କୁ ପିଟିଥିଲେ ଉତ୍ୟକ୍ତ ଲୋକେ । ଏହାପରେ ସତ୍ୟଜିତ ମିଶ୍ର ପୋଲିସ ଅଧିକାରୀଙ୍କ ପାଇଁ ସୁରକ୍ଷା ମାଗିଥିଲେ । ଏସମ୍ପର୍କରେ ପ୍ରତିବାଦ କରି ସେ ଏକ ସାମ୍ବାଦିକ ସମ୍ମିଳନୀ ଡକାଇଥିଲେ ।

ସତ୍ୟଜିତ ମିଶ୍ର ପ୍ରଶ୍ନ କରିଥିଲେ, ପୁଲିସ ଅଧିକାରୀ ନିଜ ଜୀବନକୁ କାହିଁକି ବିପଦରେ ରଖି କାମ କରିବେ । ଏହାକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଥିଲା । ଜଣେ ପୁଲିସ ଅଧିକାରୀଙ୍କ ଏଭଳି ବୟାନକୁ ଅନେକ ନାପସନ୍ଦ କରିଥିଲେ ।