ବାତ୍ୟା ପରେ ପୁଣି ଥରେ ଅଣ୍ଟା ସଳଖି ଠିଆ ହେଉଛି ଓଡ଼ିଶା : ସରକାର କହିଲେ, ସ୍ୱାଭାବିକ ହେଲା ଜଳ ଯୋଗାଣ, ଯୁଦ୍ଧକାଳୀନ ଭିତରେ ଚାଲିଛି ଭିତ୍ତିଭୂମି ପୁନରୁଦ୍ଧାର

75

କନକ ବ୍ୟୁରୋ : ମେ ୮ ତାରିଖ ସୁଦ୍ଧା ଫୋନି ପ୍ରଭାବିତ ସମସ୍ତ ସହର ଓ ଗାଁରେ ପିଇବା ପାଣି ଯୋଗାଣ ସ୍ୱାଭାବିକ ହୋଇଛି । ଗୃହ ଓ ସହରାଂଚଳ ବିକାଶ ବିଭାଗ ସଚିବ ଏହି ସୂଚନା ଦେଇଛନ୍ତି । ମେ ମାସ ୬ ତାରିଖ ସୁଦ୍ଧା ପୁରୀ, ୭ ତାରିଖ ସୁଦ୍ଧା ଭୁବନେଶ୍ୱର ଏବଂ ୮ ତାରିଖ ସୁଦ୍ଧା କଟକରେ ଜଳ ଯୋଗାଣ ସ୍ୱାଭାବିକ କରାଯାଇଛି । ଗ୍ରାମାଂଚଳରେ ୨ହଜାର ୨୫୨ ପାଇପ ୱାଟର ସପ୍ଲାଇ ସ୍କିମକୁ କାର୍ଯ୍ୟକ୍ଷମ କରାଯାଇଛି । ଭଦ୍ରକ, କଟକ, କେନ୍ଦ୍ରାପଡା, ଯାଜପୁର ଓ ଜଗତସିଂହପୁରରେ ପାଇପ ୱାଟର ସପ୍ଲାଇ ସମ୍ପୁର୍ଣ୍ଣ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ୪୨୬ଟି, ପୁରୀରେ ୨୭୫ଟି ପାଇପ ୱାଟର ସପ୍ଲାଇ ସ୍କିମ କାର୍ଯ୍ୟକ୍ଷମ ହୋଇଛି । ଏଯାଏଁ ୩୧ଲକ୍ଷ ଲିଟର ପାଣି ଟ୍ୟାଙ୍କର ଯୋଗେ ଯୋଗାସରିଛି ।

ସେହିପରି ଫୋନି ମାଡରେ ୧୩ଟି ଜିଲ୍ଲାର ୨୯୧ କିଲୋମିଟର ଡ୍ରେନ, ୭୫୦ କିଲୋମିଟର ରାସ୍ତା, ୩୬୭ଟି କଲଭର୍ଟ ଏବଂ ୨୭ଟି ଆହାର କେନ୍ଦ୍ର ପ୍ରଭାବିତ ହୋଇଥିଲା । ଏସବୁଥିରେ ପୁନରୁଦ୍ଧାର କାମ ଏବେ ବି ଜାରି ରହିଛି ବୋଲି ସୂଚନା ଦେଇଛନ୍ତି ସଚିବ । ଆସନ୍ତାକାଲି ଠାରୁ ସମସ୍ତ ଆହାର କେନ୍ଦ୍ର ଆରମ୍ଭ ହେବ । ମୋବାଇଲ ସେବାକୁ କିପରି ସ୍ୱାଭାବିକ କରାଯାଇପାରିବ ସେ ଦିଗରେ ଠୋସ ପଦକ୍ଷେପ ନିଆଯାଇଥିବା ସେ ସୂଚନା ଦେଇଛନ୍ତି । ଖୋର୍ଦ୍ଧାରେ ୬୫ପ୍ରତିଶତ, ଭୁବନେଶ୍ୱରରେ ୭୨ ପ୍ରତିଶତ, ପୁରୀରେ ୩୫ ପ୍ରତିଶତ ଏବଂ କଟକରେ ୮୨ ପ୍ରତିଶତ ମୋବାଇଲ ସେବା ସ୍ୱାଭାବିକ ହୋଇଛି । ଏହି କାମକୁ ଯୁଦ୍ଧକାଳୀନ ଭିତିରେ ତ୍ୱାରାନ୍ୱିତ କରାଯାଉଛି ।

ସେହିପରି ୧୩ ଜିଲ୍ଲାରେ ମୋଟ ୫୨୪ କୋଟି ଟଙ୍କାର ସହରାଂଚଳ ଭିତ୍ତିଭୂମି କ୍ଷତି ହୋଇଥିବା ଆକଳନ କରାଯାଇଛି । ଦକ୍ଷତା ବିକାଶ ବିଭାଗର ୫୧ଟି ଅନୁଷ୍ଠାନ ନଷ୍ଟ ହୋଇଛି । ଯାହାର ମୁଲ୍ୟ ୩୦ କୋଟି ୫୭ ଲକ୍ଷ ବୋଲି ଜଣାପଡିଛି । ପରିମଳ ବ୍ୟବସ୍ଥା ସ୍ୱାଭାବିକ କରିବାପାଇଁ ୫ ହଜାର ଶ୍ରମିକ, ୬୦୦ସୁପରଭାଇଜର ଲାଗିଛନ୍ତି । ଏଥିସହ କାମରେ ଲାଗିଛି ୯୪୩ଟି ଜେସିବି, ଟ୍ରାକ୍ଟର ଓ ଡମ୍ପର । ଭୁବନେଶ୍ୱରରେ ୪୩୦ଜଣ ଏବଂ କଟକରେ ୨୭୫ଜଣ କୁଶଳୀ କର୍ମଚାରୀ ବିଦ୍ୟୁତ କାମ କରୁଥିବା ସୂଚନା ମିଳିଛି ।