ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ପ୍ରକାଶ ପାଇଲା ମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା : ନବୀନ ସବୁଠୁ ଧନୀ ଏବଂ ତୁଷାରକାନ୍ତି ଗରିବ, ଭଉଣୀଙ୍କଠାରୁ ଆଣିଥିବା ୧୫ଲକ୍ଷ ଋଣ ସୁଝି ନାହାନ୍ତି ମୁଖ୍ୟମନ୍ତ୍ରୀ

699

କନକ ବ୍ୟୁରୋ : ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ପ୍ରକାଶ ପାଇଛି ମନ୍ତ୍ରୀଙ୍କ ତାଲିକା । କିଛି ମନ୍ତ୍ରୀ ୨୦୧୯ ମାର୍ଚ୍ଚ ଶେଷ ଏବଂ ଆଉ କେତେ ଜଣ ଜୁଲାଇ ଶେଷ ପର୍ଯ୍ୟନ୍ତ ନିଜ ସମ୍ପତିର ବିବରଣୀ ଦେଇଛନ୍ତି । ନବୀନଙ୍କ ସହିତ ତାଙ୍କ କ୍ୟାବିନେଟର ଏକାଧିକ ମନ୍ତ୍ରୀ କୋଟିପତି ଥିବା ଏଥିରେ ଦର୍ଶାଯାଇଛି । ପୂର୍ବଭଳି ସବୁଠାରୁ ଧନୀ ଅଛନ୍ତି ନିଜେ ମୁଖ୍ୟମନ୍ତ୍ରୀ । ୨୦୧୯ ମାର୍ଚ୍ଚ ସୁଦ୍ଧା ତାଙ୍କ ସମ୍ପତିର ପରିମାଣ  ୬୩.୬୪ କୋଟି ଥିବା କୁହାଯାଇଛି । ୨୦୧୮ ତୁଳନାରେ ନବୀନଙ୍କ ସମ୍ପତି ପ୍ରାୟ ୧୪କୋଟି ଟଙ୍କା ବୃଦ୍ଧି ପାଇଛି । ନବୀନଙ୍କ ପାଖରେ ଏବେବି ୧୯୮୦ ମଡେଲର ଆମ୍ବାସାଡ଼ର କାର ଥିବା ବେଳେ ୨ଲକ୍ଷରୁ ଅଧିକ ଟଙ୍କାର ଜୁଏଲାରୀ ମଧ୍ୟ ଅଛି । କିନ୍ତୁ ନିଜ ଭଉଣୀଙ୍କ ଠାରୁ ସେ ଆଣିଥିବା ୧୫ ଲକ୍ଷ ଟଙ୍କାର ଋଣ ସେ ଏ ଯାଏଁ ପରିଶୋଧ କରିନଥିବା ଜଣାପଡିଛି ।

ପଞ୍ଚାୟତି ରାଜ ମନ୍ତ୍ରୀ ପ୍ରତାପ ଜେନା ଓ ତାଙ୍କ ପରିବାର ପାଖରେ ୧୦ କୋଟି ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ରହିଛି । ପ୍ରତାପଙ୍କ ପାଖରେ ୧୮୦ଗ୍ରାମ ସୁନା ଓ ତାଙ୍କ ପତ୍ନୀ ଡେଜିଙ୍କ ପାଖରେ ୬୦୦ଗ୍ରାମ ସୁନା ଓ ୨କିଲୋ ରୁପା ଅଛି ।ସେହିପରି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଓ ତାଙ୍କ ପତ୍ନୀ ଓ ଝିଅଙ୍କ ପାଖରେ ୩୨ଲକ୍ଷ ଟଙ୍କା ନଗଦ ରହିଛି  । ତାଙ୍କର ପ୍ରାୟ ୧କୋଟି ଟଙ୍କାର ବ୍ୟାଙ୍କ ଜମା ଓ ୨କୋଟି ଟଙ୍କାର ସ୍ଥାୟୀ ଜମା ରହିଛି । ମନ୍ତ୍ରୀ ନବ ଦାସଙ୍କ ପାଖରେ ଲାଇସେନ୍ସ ପ୍ରାପ୍ତ ୨ଟି ରିଭଲବର ଏବଂ ଗୋଟିଏ ରାଇଫଲ ଥିବା  ସ୍ୱୀକାର କରିଛନ୍ତି । କୃଷି ମନ୍ତ୍ରୀ ଅରୁଣ ସାହୁ ଓ ତାଙ୍କ ମୋଟ ସମ୍ପତିର ପରିମାଣ ୬୭ ଲକ୍ଷ ଟଙ୍କା । ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କ ସମ୍ପତିର ପରିମାଣ ପାଖାପାଖି ୨କୋଟି ଟଙ୍କା ବୋଲି ସେ ଦର୍ଶାଇଛନ୍ତି ।

ସେହିଭଳି ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କର ସମ୍ପତି ୪୨ ଲକ୍ଷ ଟଙ୍କା ଥିବା ବେଳେ ନିରଞ୍ଜନ ପୂଜାରୀ ୩୫ଲକ୍ଷ ଟଙ୍କା ସମ୍ପତିର ମାଲିକ । ମନ୍ତ୍ରୀ ମଣ୍ଡଳର ସବୁଠାରୁ ଗରିବ ହେଉଛନ୍ତି ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା । ତାଙ୍କ ମୋଟ ସମ୍ପତିର ପରିମାଣ ୨୫ଲକ୍ଷ ୬୦ହଜାର ଟଙ୍କା ବୋଲି ସେ ଦର୍ଶାଇଛନ୍ତି ।