ବେପାର ଉପରେ କରୋନା ପାହାର : ତାଲାବନ୍ଦ ପରେ ଓଡିଶାରେ ଦୈନିକ ୪୦୦କୋଟିରୁ ୨୦ କୋଟିକୁ ଖସିଲା ଖୁଚୁରା ବେପାର

275

କନକ ବ୍ୟୁରୋ : ଲକଡାଉନର ସାତ ଦିନ ପରେ ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟବସାୟ ଉପରେ ବଡ ପ୍ରଭାବ ପଡିଛି । ତାଲା ବନ୍ଦ ପୂର୍ବରୁ ଓଡିଶାରେ ଖୁଚୁରା ବଜାରରେ ଦୈନିକ ପ୍ରାୟ ୪ଶହ କୋଟି ଟଙ୍କାର କାରବାର ହେଉଥିଲା । ଏବେ ଏହା ମାତ୍ର ୨୦ ରୁ ୨୫ କୋଟି ଟଙ୍କାକୁ ଖସି ଆସିଛି । ବ୍ୟବସାୟୀ ସଂଘ ଏଥିରେ ଚିନ୍ତା ପ୍ରକଟ କରି କହିଛି, ବର୍ତମାନ ଅବସ୍ଥାରେ ବ୍ୟବସାୟୀ ମାନେ ଘୋର କ୍ଷତି ସହୁଛନ୍ତି । ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟରେ ଏବେ କେବଳ ତେଜରାତି ଦୋକାନ ଖୋଲା ରହୁଛି ।

ପ୍ରତ୍ୟେକ ଦିନ ପ୍ରାୟ ୧୦ ରୁ ୧୫ କୋଟି ଟଙ୍କା ରିଟେଲରମାନଙ୍କର କ୍ଷତି ହେଉଛି । ଏନେଇ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ଅବଗତ କରିବେ ବୋଲି କହିଛି ବ୍ୟବସାୟୀ ମହାସଂଘ । ସେପଟେ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ବିକ୍ରି ଉପରେ ମଧ୍ୟ ବଡ ଧରଣର ପ୍ରଭାବ ପଡିଛି । ତାଲା ବନ୍ଦ ପରେ ପେଟ୍ରୋଲ ଓ ଡିଜେଲ ବିକ୍ରି ପ୍ରାୟ ୮୫ ପ୍ରତିଶତ ହ୍ରାସ ପାଇଛି । ଆଉ ୧୪ ଦିନ ବାକି ରହିଥିବାରୁ ପେଟ୍ରୋଲ ବିକ୍ରି ଆହୁରି କମିବାର ଆଶଙ୍କା କରାଯାଉଛି ।