ବିଧାନସଭାରେ ଆଗତ ହେବ ଅନ୍ତରୀଣ ବଜେଟ୍ ! ୪ ମାସ ପାଇଁ ୫୬ ହଜାର ୯୨୧ କୋଟିର ବ୍ୟୟବରାଦ

154

କନକ ବ୍ୟୁରୋ : ଆଜି ବିଧାନସଭାରେ ଆଗତ ହେବ ଅନ୍ତରୀଣ ବଜେଟ୍ । ୨୦୧୯-୨୦ ବର୍ଷ ପାଇଁ ଅନ୍ତରୀଣ ବଜେଟ୍ ଆଗତ କରିବେ ରାଜ୍ୟ ସରକାର । ଏହା ଚଳିତ ନିବୀନ ସରକାରଙ୍କର ଶେଷ ବଜେଟ ହେବ । ଏହି ବଜେଟକୁ ଆଜି ଗୃହରେ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ଶଶି ଭୂଷଣ ବେହେରା । ପ୍ରାୟ ୧ ଲକ୍ଷ ୩୨ ହଜାର ୬୬୦ କୋଟିର ବଜେଟ୍ ପ୍ରସ୍ତୁତ କରାଯାଇଛି । ଯାହା ଗତବର୍ଷ ମୂଳ ବଜେଟ୍ ତୁଳନାରେ ପାଖାପାଖି ୧୦ ପ୍ରତିଶତ ଅଧିକ ବୋଲି କୁହାଯାଉଛି । ଆସନ୍ତା ଆର୍ଥିକ ବର୍ଷର ପ୍ରଥମ ୪ ମାସ ପାଇଁ ପ୍ରାୟ ୫୬ ହଜାର ୯୨୧ କୋଟିର ଲେଖାନୁଦାନକୁ ୮ ତାରିଖ ଦିନ ବିଧାନସଭାରେ ପାରିତ କରାଯିବ ।

ଏହା ଭିତରେ କେବଳ କାଳିଆ ଯୋଜନା ପାଇଁ ୧୭୦୦ କୋଟି ଟଙ୍କାର ବ୍ୟବସ୍ଥା ରହିବ ବୋଲି ଜଣାପଡିଛି । ରାଜ୍ୟ ସରକାର କଂଟିଜେନ୍ସି ଫଣ୍ଡରୁ ୭୫୦କୋଟି ଟଙ୍କା ଆଣି କାଳିଆ ଯୋଜନାରେ ହିତାଧିକାରୀଙ୍କୁ ଦେଉଛନ୍ତି । ୨୦୧୮-୧୯ ଆର୍ଥିକ ବର୍ଷରେ ୧ଲକ୍ଷ ୨୦ହଜାର କୋଟି ୨୮କୋଟି ଟଙ୍କା ବଜେଟ୍ ଅନୁମୋଦିତ ହୋଇଥିଲା । ପରେ ଅତିରିକ୍ତ ବଜେଟରେ ୧୨ହଜାର ୭୯୦କୋଟି ଟଙ୍କା ଖର୍ଚ୍ଚ ପାଇଁ ଗୃହ ଅନୁମତି ଦେଇଥିଲା । ଆଗକୁ ନିର୍ବାଚନ ଥିବାରୁ ଏହି ବଜେଟ୍ରେ ବଡ ଘୋଷଣା କରିପାରନ୍ତି ସରକାର । ତେବେ କାହା ଉପରେ ଫୋକସ ରହିବ ତାହା ଉପରେ ନଜର ରହିଛି  ।