୪ର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ : ୩ଜଣ ପୋଲିଂ ଅଧିକାରୀ ନିଲମ୍ବିତ, ଭଦ୍ରକରେ ସର୍ବାଧିକ ୬୮ ପ୍ରତିଶତ ମତଦାନ

214

କନକ ବ୍ୟୁରୋ : ସନ୍ଧ୍ୟା ୬ଟାରେ ଅଧିକାଂଶ ସ୍ଥାନରେ ଚତୁର୍ଥ ପର୍ଯ୍ୟାୟ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ମାତ୍ର କିଛି ସ୍ଥାନରେ ଭିଭିପ୍ୟାଟ, ଇଭିଏମ ତ୍ରୁଟି ଯୋଗୁଁ ବିଳମ୍ବରେ ମତଦାନ ଆରମ୍ଭ ହୋଇଥିବାରୁ ସନ୍ଧ୍ୟା ୬ଟା ପରେ ମଧ୍ୟ ମତଦାନ ଜାରି ରହିଛି । ଯେଉଁ ମତଦାନ କେନ୍ଦ୍ରଗୁଡ଼ିକରେ ମତଦାନ ଜାରି ରହିଛି, ସେସବୁ ସ୍ଥାନଗୁଡ଼ିକରେ ରାତି ୮ରୁ ୯ଟା ସୁଦ୍ଧା ଶେଷ ହୋଇଯିବ ବୋଲି ଆଶା କରାଯାଉଛି ।

ମୁଖ୍ୟ ନିର୍ବାଚନ ଅଧିକାରୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଚତୁର୍ଥ ପର୍ଯ୍ୟାୟରେ ଓଡ଼ିଶାରେ ୬ଟି ଲୋକସଭା ଓ ୪୧ଟି ବିଧାନସଭା ଆସନରେ ମତଦାନ ହୋଇଛି । ଭଦ୍ରକରେ ସର୍ବାଧିକ ୬୮ପ୍ରତିଶତ ହୋଇଥିବା ବେଳେ ମୟୂରଭଂଜ ଲୋକସଭା ଆସନରେ ସର୍ବାଧିକ ୬୬ ପ୍ରତିଶତ ମତଦାନ ହୋଇଛି । ଯାଜପୁରରେ ୬୫ ପ୍ରତିଶତ, କେନ୍ଦ୍ରାପଡ଼ାରେ ୬୫ ପ୍ରତିଶତ ମତଦାନ ହୋଇଛି । ଅନ୍ୟପଟେ ଉଭୟ ବାଲେଶ୍ୱର ଓ ଜଗତସିଂହପୁର ଲୋକସଭା ଆସନରେ ୬୪-୬୪ ପ୍ରତିଶତ ମତଦାନ ହୋଇଛି । ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।

ସମ୍ଭାବ୍ୟ ବାତ୍ୟାକୁ ନେଇ ପ୍ରସ୍ତୁତ ଅଛୁ ବୋଲି ସିଇଓ କହିଛନ୍ତି । ସେ କହିଛନ୍ତି ଯେ, ବାତ୍ୟା ‘ଫୋନି’କୁ ନେଇ ଆମେ କ୍ରମାଗତ ନିର୍ବାଚନ ଆୟୋଗ ଓ ଜିଲ୍ଲାମାନଙ୍କରେ ନିର୍ବାଚନ ଅଧିକାରୀଙ୍କ ସହିତ ଯୋଗାଯୋଗ ରହିଛି । ବିଗତ ଦିନରେ ହୋଇଥିବା ୩ଟି ପର୍ଯ୍ୟାୟ ତୁଳନାରେ ଚଳିତ ପର‌୍ୟ୍ୟାୟରେ ଭଲ ମତଦାନ ହେବ ବୋଲି ଆଶା କରାଯାଉଛି ।

ଏହାସହ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ୩ଜଣ ପୋଲିଂ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି । ପୋଲିଂ କମ୍ପାର୍ଟମେଣ୍ଟକୁ ଯାଇ ମତଦାତାଙ୍କୁ ସହଯୋଗ କରିବା ନିୟମ ନାହିଁ କିନ୍ତୁ ଏଭଳି କାମ କରିଥିବା ୩ ଜଣ ପୋଲିଂ କର୍ମଚାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଯାଜପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଝାରପୁର ଆସନର ୧୯୯ ନମ୍ବର ବୁଥରେ ପୋଲିଂ କର୍ମଚାରୀ ବୈକୁଣ୍ଠନାଥ ମଲ୍ଲିକ, ୧୩୫ ନମ୍ବର ବୁଥରେ ଦେବେନ୍ଦ୍ର ତ୍ରିପାଠୀ ଓ ସୁକିନ୍ଦା ଆସନର ୧୯୬ ନମ୍ବର ବୁଥରେ ଜନାର୍ଦ୍ଦନ ପୃଷ୍ଟିଙ୍କୁ ନିଲମ୍ବନ କରାଯାଇଛି ।