ଆସନ୍ତାକାଲି ପଣାସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି : ଜାଣନ୍ତୁ ଏହି ପର୍ବର ସାମାଜିକ ଓ ଆଧ୍ୟାତ୍ମିକ ଭିତ୍ତିଭୂମି

265

ପଣାସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତିକୁ ଓଡିଆ ନବବର୍ଷ ଭାବରେ ପାଳନ କରାଯାଏ । ସାଧାରଣତଃ ଅପ୍ରେଲ ୧୪କୁ ପଣାସଂକ୍ରାନ୍ତି ରୂପରେ ପାଳନ କରାଯାଏ । ଏହିଦିନ ଠାରୁ ବସନ୍ତ ଋତୁୁର ଶେଷ ଓ ଗ୍ରୀଷ୍ମ ଋତୁୁର ଆରମ୍ଭ ହୋଇଥାଏ । ଓଡିଆ ପଞ୍ଜିକାର ଗଣନା ଅନୁସାରେ ମହାବିଷୁବ ସଂକ୍ରାନ୍ତିକୁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବେ ଗଣନା କରାଯାଏ । ଏହି ସମୟରେ ସୂର୍ଯ୍ୟର କିରଣ ବୃଦ୍ଧି ପାଇବା ସହ ହଜମ କ୍ରିୟା ମଧ୍ୟ ବୃଦ୍ଧି ପାଇଥାଏ । ଗରିଷ୍ଠ ଖାଦ୍ୟ ହଜମ ହେଇଥିବାରୁ ବୁଟଛତୁ ପରି ଗରିଷ୍ଠ ଖାଦ୍ୟପଦାର୍ଥ ଗ୍ରହଣ କରାଯାଏ । ଏଣୁ ଏହାର ଅନ୍ୟନାମ ଛତୁଆ ସଂକ୍ରାନ୍ତି । ଏହିଦିନ ଓଡିଆ ପରିବାରରେ ଦେବଦେବୀଙ୍କ ସ୍ୱତନ୍ତ୍ର ପୂଜା, ଭୋଗ ଓ ହୋମ ଆଦି କରାଯାଏ ।

ଗ୍ରୀଷ୍ମର ପ୍ରଭାବ ଯୋଗୁଁ ଦେହର ତାପଶକ୍ତିକୁ ସମ ଅବସ୍ଥାକୁ ଆଣିବା ପାଇଁ ପଣାପାନ କରାଯାଏ । ଏଣୁ ଏହାକୁୁ ପଣାସଂକ୍ରାନ୍ତି କୁହାଯାଏ । ପଣାସଂକ୍ରାନ୍ତି ଦିନ ପଥିକଙ୍କ ପାଇଁ ପଣାଛତ୍ର ଦିଆଯାଇଥାଏ । ଏହି ସଂକ୍ରାନ୍ତି ଠାରୁ ବାୟୁୁର ଗତି ପ୍ରଖର ହୋଇଥାଏ । ଏହି ଦିନ ଝାମୁ ବ୍ରତର ଉଦଯାପନ ମଧ୍ୟ ହୋଇଥାଏ । ଅଗ୍ନିର ପ୍ରକୋପରୁ ରକ୍ଷା ପାଇବା ପାଇଁ ଏହି ଦିନ ହନୁମାନ ଜୟନ୍ତୀ ପାଳନ କରାଯାଏ । ବିଭିନ୍ନ ଦୃଷ୍ଟିରୁ ବିଚାର କଲେ ମହାବିଷୁବ ସଂକ୍ରାନ୍ତି ସାମାଜିକ, ଆଧ୍ୟାତ୍ମିକ ଓ ପାରିବାରିକ ଭିତ୍ତିଭୂମିକୁ ସୁଦୃଢ କରିବାରେ ସାହାଯ୍ୟ କରିଥାଏ ।