ଚକ୍ରାନ୍ତ କରି ଚନ୍ଦ୍ରକାନ୍ତଙ୍କୁ ମାରିଲା ଚୀନ । ସୀମା ଉତ୍ତେଜନାରେ ଦେଶ ମାତୃକାର ସୁରକ୍ଷା ପାଇଁ ପ୍ରାଣବଳୀ ଦେଲେ ଓଡ଼ିଆ ପୁଅ । ସହିଦ ପୁଅକୁ ମାନେ ପକାଇ ମା କନ୍ଧୁଛି । ଭଉଣୀ ଝୁରୁଛି । ପୁଅର ବୀରତା ପାଇଁ ଛାତ ଗର୍ବରେ ଫୁଲି ଉଠୁଥିଲେ ବି ଅସହାୟ ବାପର ଲୁହ ବୋଲ ମାନୁନି

727

କନକ ବ୍ୟୁରୋ : ଆଖିରେ ଲୁହ ଆଉ ଅନ୍ତରରେ କୋହ । ବୀର ପୁତ୍ରକୁ ହରାଇ ମାଟି ମା’ ଆଜି କାନ୍ଦୁଛି । ଗେଲ୍ହା ପୁଅର ସ୍ମୁତିକୁ ସାଉଣ୍ଟି ସହିଦ ପୁଅର ଅମର କାହାଣୀ ବଖାଣୁଛି ସ୍ନେହମୟୀ ମା’ । ହାତରେ ବନ୍ଧୁକୁ ଧରି ମୃତ୍ୟୁକୁ ଛାଇକରି ଚାଲୁ ଚାଲୁ ବୀର ପୁତ୍ର ଦେଶ ପାଇଁ ଜୀବନ ଦେଇଛି ପୁଅ । ଚୀନର ହୀନ ଚକ୍ରାନ୍ତରେ ଶିକାର ହୋଇ ଗଲୱାନ୍ ଘାଟିରେ ଦେଶପାଇଁ ଜୀବନ ଦେଲେ ଓଡ଼ିଆ ମାଟିର ପୁଅ । ବାପାମା’ଙ୍କ ଏକମାତ୍ର ରୋଜଗାରିଆ ପୁଅ ଦେଶ ପାଇଁ ଜୀବନଦେବା ପରେ ମନରେ ଗର୍ବ ଅନୁଭବ କରୁଥିଲେ ହେଁ ଗରିବ ବାପାମା’ଙ୍କ ମନ ମାନୁନି ।

ସଂକ୍ରମଣର ଅଜଣା ଭୟ ଭିତରେ ବୀର ଯବାନଙ୍କୁ ହରାଇ ପୁରା ଦେଶ ସ୍ତବ୍ଧ । ଆଲୋଚନାର ଆଳ ଦେଖାଇ ଭାରତ ପଛରୁ ଛୁରି ମାରିଛି ପଡ଼ୋଶୀ ଦେଶ । ଚୀନର ଚକ୍ରାନ୍ତ ପାଇଁ ସୀମାରେ ବହୁଛି ଭାରତ ମାଟିର ବୀରଯବାନଙ୍କ ରୁଧିର । ଭାରତ-ଚୀନ ସୀମା ଗଲୱାନ ଘାଟିରେ ୧୫ ରାତିରେ ହୋଇଥିବା ଉତ୍ତେଜନାରେ ସହିଦ ହୋଇଥିବା ୨୦ଯବାନଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶାର ୨ଜଣ ଯବାନ । କନ୍ଧମାଳ ଜିଲ୍ଲା ରାଇକିଆ ବିଅରପାଙ୍ଗା ଗାଁର ଚନ୍ଦ୍ରକାନ୍ତ ପ୍ରଧାନ ଭାରତ ଚୀନ୍ ସୀମାରେ ସହିଦ ହୋଇଛନ୍ତି ।

ବଡ଼ ପୁଅକୁ ଏତେ ଦୂର ଛାଡ଼ିବା ପାଇଁ ଅମଙ୍ଗ ହେଉଥିବା ବାପା ଆଜି ପୁତ୍ର ବିୟୋଗରେ କୋହକୁ ସମ୍ଭାଳି ପାରୁନାନ୍ତି । ଗର୍ବରେ ଛାତି ଫୁଲି ଉଠୁଥିଲେ ବି ଆଖିରୁ ଅନବରତ ଲୁହ ବହୁଛି । ବହୁକଷ୍ଟରେ ପୁଅକୁ ପାଠ ପୁଅକୁ ମଣିଷ କରିଥିବା ବାପା ପୁଅର ସହିଦ ହେବାର ଖବରକୁ ସହ୍ୟ କରିପାରୁନାହାନ୍ତି । ମାଟ ମା’ ପାଇଁ ଲଢ଼ିବାକୁ ଯାଇଥିବା ପୁଅକୁ ବିଦାୟ ଦେବାବେଳେ ପୁଅକୁ ଟିକେ ମନଭରି ସ୍ନେହ କରିପାରିନଥିବା ମା’ ଆଉ ଦେଖିବନି ପୁଅର ମୁହଁ । ଅଫେରା ଦୁନିଆକୁ ଚାଲିଗଲା ଗେହ୍ଲା ପୁଅ । ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ବାହୁନି ବାହୁନି କାନ୍ଦୁଛି ମା’ । ବହୁକଷ୍ଟରେ ପୁଅକୁ କଲେଜ ପଢ଼ାଇଥିବା ବାପାମା’ଙ୍କ ମନ ମାନୁନି ।

କେବଳ ବାପାମା’ ଭାଇଭଉଣୀ ନୁହେଁ ସାରା ଗାଁ ଆଜି ଚନ୍ଦ୍ରକାନ୍ତଙ୍କୁ ହରାଇ କାନ୍ଦୁଛି । ବୀର ପୁତ୍ରର ଲହୁରେ ଆଜି ମା’ ମାଟି ଭିଜୁଛି । ଦେଶର ତ୍ରିରଙ୍ଗା ବୀର ପୁତ୍ରକୁ କୋଳେଇ ନେଇ ଆଜି ରାହା ଧରି କାନ୍ଦୁଛି ।