କନକ ବ୍ୟୁରୋ : କରୋନା କଟକଣା ଯୋଗୁ ଯାତ୍ରା ବନ୍ଦ । କରୋନା ପାଇଁ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଗତ ୧୫ ତାରିଖରୁ ଯାତ୍ରାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇ କଳାକାର, ଯାତ୍ରା ସହ ସମ୍ପୃକ୍ତ ମ୍ୟୁଜିସିଆନ୍ ତଥା ଅନ୍ୟ ଅପରେଟର୍ମାନଙ୍କୁ ଅନିର୍ଦ୍ଦିଷ୍ଟ ସମୟ ଯାଏ ଛୁଟି ଦିଆଯାଇଛି । ଉତ୍ତର ବାଲେଶ୍ବରର ପ୍ରାୟ ୩୦ ଯାତ୍ରାପାର୍ଟି ମାଲିକ ଏବେ ଚିନ୍ତାରେ। ୧୫ଶହରୁ ଅଧିକ କଳାକାର ହାତ ବାନ୍ଧି ବସିଛନ୍ତି। ବେପାର ସିଜିନ୍ରେ ଯଦି ଏ କଟକଣା ଆହୁରି ଅଧିକ ଦିନ ଲାଗିରହେ ତେବେ କୋଟି କୋଟି ଟଙ୍କାର ଘାଟା ହେବ। ଉପାସରେ ରହିବା ଭଳି ସ୍ଥିତି ସୃଷ୍ଟି ହେବ ବୋଲି କହିଛନ୍ତି ଯାତ୍ରା ପାର୍ଟି ମାଲିକ।
ନାଚିନ୍ଦା ପଞ୍ଚାୟତ ବାଗ ଗ୍ରାମର ତାରିଣୀ ଗଣନାଟ୍ୟର ମାଲିକ ଲକ୍ଷ୍ମୀକାନ୍ତ ରାଉଳ। ତାରିଣୀ ଗଣନାଟ୍ୟ ସହ ରୟାଲ ଚ୍ୟାଲେଞ୍ଜ ଅପେରା ନାମରେ ଦୁଇଟି ଅନୁଷ୍ଠାନ ଅଛି। ଚଳିତ ବର୍ଷ ସେ ଯାତ୍ରା ପାର୍ଟି ପାଇଁ ପାଖାପାଖି କୋଟିଏ ଟଙ୍କା ଖର୍ଚ୍ଚ କରିଛନ୍ତି। ବିଶ୍ବକର୍ମା ପୂଜାରୁ ଯାତ୍ରା ଆରମ୍ଭ ହୋଇଥିଲା। ଏପ୍ରିଲ ମାସ ଶେଷ ପର୍ଯ୍ୟନ୍ତ ପୂରା ବୁକିଂ ଥିଲା। ଏଥିପାଇଁ ଆଡଭାନ୍ସ ବି ନେଇ ସାରିଛନ୍ତି। ଯାତ୍ରା ନ ହେଲେ ଟଙ୍କା ଫେରାଇବାକୁ ପଡ଼ିବ। ଟଙ୍କା ନ ଆସିଲେ ଚୁକ୍ତି କରିଥିବା କଳାକାରମାନଙ୍କୁ କେମିତି ଟଙ୍କା ଦେବେ ସେ ଚିନ୍ତାରେ ପଡ଼ିଯାଇଛନ୍ତି ଲକ୍ଷ୍ମୀକାନ୍ତ। ଖାଲି ମାଲିକ ନୁହନ୍ତି, ଦୁଇଟି ଯାତ୍ରା ପାର୍ଟିର ପ୍ରାୟ ୧୦୦ କଳାକାରମାନେ ବି ଚିନ୍ତାରେ। ସେହିପରି ଜଳେଶ୍ବର ବ୍ଲକ୍ ଅଧୀନସ୍ଥ ନିମପୁର ଗ୍ରାମର ମା ସର୍ବମଙ୍ଗଳା ଅପେରାର ମାଲିକ ରମେଶ ଚନ୍ଦ୍ର ଦାସ ପ୍ରାୟ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ଗ୍ରାମାଞ୍ଚଳର କଳାକାରମାନଙ୍କୁ ନେଇ ଯାତ୍ରା ପାର୍ଟି ଆରମ୍ଭ କରିଥିଲେ। ଯାତ୍ରା ବନ୍ଦ ଥିବାରୁ ଯାତ୍ରା କିପରି ଟଙ୍କା କିପରି ଫେରି ପାଇବେ ଏବେ ତାକୁ ନେଇ ସେ ଚିନ୍ତାରେ ପଡ଼ିଛନ୍ତି।