ହତଭାଗା ମୁଁ , ଶେଷ ସମୟରେ ବାପାଙ୍କୁ ଟିକେ ଦେଖିପାରିଲନି । ପାଖରେ ଟଙ୍କା ନଥିବାରୁ ଘରକୁ ଫେରିପାରୁନଥିଲେ ଓଡ଼ିଆ ଯୁବକ । ଦେବଦୂତ ସାଜି କଳାକାରଙ୍କ ନିକଟରେ ଉଭାହେଲେ ସବ୍ୟସାଚୀ । ଗୁହାରୀ ଶୁଣି ଓଡ଼ିଶାରୁ ମଦୁରାଇ ବସ୍ ପଠାଇଲେ । କ୍ୱାରେଣ୍ଟିନରେ ହେଉ ପଛେ ବାପାଙ୍କ ଦଶାହ କର୍ମ କଲେ ଯୁବକ ।

560
କନକ ବ୍ୟୁରୋ : ମୁଁ ଏତେ ଅଭାଗା ଯେ, ଶେଷ ସମୟରେ ବାପାଙ୍କୁ ଟିକେ ଦେଖିପାରିଲିନି । ତାଲାବନ୍ଦ ଭିତରେ ବାପା ଚାଲିଗଲେ, ହେଲେ କଠୋର କଟକଣା ଯୋଗୁଁ ମଲା ଶେଯରେ ତାଙ୍କୁ ତୁଳସୀ ପାଣି ଟିକିଏ ଦେଇପାରିଲିନି କି  ବାପାଙ୍କ ମୁହଁରେ ନିଆ ଟିକେ ଦେଇପାରିଲିନି । ବାପା କହିଥିଲେ , ତୁ ଯେଉଁଠି ବି ଥା, ମୁଁ ମଲାପରେ ମୋ ମୁହଁରେ ନିଆଁ ଦେବୁ । ହେଲେ ମୁଁ ପୁଅର କର୍ତ୍ତବ୍ୟ କରିପାରିଲିନି । ପାଖରେ ଟଙ୍କା ନଥିବାରୁ ମଦୁରାଇରୁ ଓଡ଼ିଶା ଆସିବାକୁ କାକୁତି ମିନତି ହେଉଥିବା ଓଡ଼ିଆ ଯୁବକଙ୍କୁ ସାହା ହେଲେ ସିନେ ଅଭିନେତା ସବ୍ୟସାଚୀ ମିଶ୍ର । ଫଳରେ କ୍ୱାରେଣ୍ଟିନ୍ ସେଣ୍ଟରରେ ହେଉ ପଛେ, ବାପାଙ୍କ ଦଶାହ କର୍ମ ପାଳିଲେ ଯୁବକ ।
ଭଦ୍ରକ ଜିଲ୍ଲା ବାସୁଦେବପୁରର ଯୁବକ କଳାକାର ମଲ୍ଲିକ । ତାମିଲନାଡ଼ୁର ଏକ କମ୍ପାନୀରେ ମେସିନ୍ ଚଳାଇବା କାମ କରୁଥିଲେ । ଗତ ୧୧ ତାରିକରେ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଥିଲା । ବାପାଙ୍କ ମୃତ୍ୟୁ ପରେ ଓଡ଼ିଶା ଫେରିବାକୁ ଚାହୁଁଥିଲେ । କଟକଣା ଭିତରେ ଧୀରେ ଧୀରେ ସ୍ଥିତି ସ୍ୱାଭାବିକ ହେଉଥିଲେ ହେଁ ପାଖରେ ଟଙ୍କା ନଥିବାରୁ ବସରେ ଘରକୁ ଫେରିବା ତାଙ୍କର ପାଇଁ ଅସମ୍ଭବପର ହୋଇପଡ଼ିଥିଲା । ଶେଷର ଅନ୍ୟ ଉପାୟ ନପାଇ ଟ୍ରେନରେ ଆସିବାକୁ ମନସ୍ଥ କରିଥିଲେ କଳାକାର । ହେଲେ ଦୁଇ ଦିନ ପର୍ଯ୍ୟନ୍ତ ଓଡ଼ିଶାକୁ ଟ୍ରେନ୍ ଯିବ ନାହିଁ ଶୁଣି ସେ ଭାଙ୍ଗିପଡ଼ିଲେ । ବାପାଙ୍କ ହରାଇ ସାରିଥିବା ବେଳେ, ସେହି ପଦକ କଥା କାନରେ ବାଜୁଥିଲା । ବାପାଙ୍କ ମୁହଁରେ ନିଆଁ ଦେବା କଥା ଦୂରରେ ଥାଉ ଦଶାହରେ ବି ପହଞ୍ଚି ପାରିବେ କି ନାହିଁ ଚିନ୍ତା କରି ଦିନ ରାତି ଶୋଇପାରୁନଥିଲେ । ହେଲେ ଏତିକିରେ ତାଙ୍କ କଷ୍ଟ ସରିନଥିଲା ପୁଣି ଅଚାନକ୍ ଘୋଷଣା ହେଲା ଓଡ଼ିଶାକୁ ଆଉ ଟ୍ରେନ ଯିବ ନାହିଁ । ଏତିକିରେ ତାଙ୍କର ଧୈର୍ଯ୍ୟଚ୍ୟୁତ ହୋଇଥିଲା । ଏକଥା ଶୁଣି ଛୋଟ ପିଲା ପରି କଇଁ କଇଁ କାନ୍ଦିବାରେ ଲାଗିଥିଲେ ସେ ।
ଘରକୁ ଫେରିବାର ସମସ୍ତ ରାସ୍ତା ବନ୍ଦ ହୋଇଯିବା ପରେ ଶେଷରେ ସବ୍ୟସାଚୀଙ୍କ ସହ ଯୋଗଯୋଗ କରିଥିଲେ । ଆଉ କଳାକାରଙ୍କ ଦୁଃଖ ଶୁଣିବା ପରେ ଶ୍ରମିକଙ୍କ ବନ୍ଧୁ ସବ୍ୟସାଚୀ  ତୁରନ୍ତ ତାଙ୍କ ପାଇଁ ଏକ ବସ୍ ବ୍ୟବସ୍ଥା କରିଥିଲେ ।  ଫଳରେ କେବଳ କଳାକାର ନୁହେଁ ସେଠାରୁ ଓଡ଼ିଶା ଫେରିବାକୁ ଚାହୁଁଥବା ଆଉ ୫୦ ଜଣ ଲୋକ ମଧ୍ୟ ଓଡ଼ିଶା ଫେରିଲେ । ଘରକୁ ଫେରି କ୍ୱାରେଣ୍ଟିନରେ ଥିବା କଳାକାର କହିଛନ୍ତି , ସବ୍ୟସାଚୀ ଭାଇଙ୍କ ପାଇଁ ଓଡ଼ିଶା ଆସିପାରିଲି । ମୋ ଭଳି ଗରିବ ଖଟିଖିଆଙ୍କୁ ଦୁଃଖ ଶୁଣିବାକୁ କେହି ନଥିବା ବେଳେ ଓଡ଼ିଶା ଫେରାଇ ଆଣିଥିବାରୁ ସବ୍ୟ ଭାଇଙ୍କୁ ଅଜସ୍ର ଅଜସ୍ର ଧନ୍ୟବାଦ । ତାଙ୍କ ସାହାଯ୍ୟ ମୁଁ ଜୀବନରେ କେବେ ଭୁଲିବିନି ।