ଓଏଏସ‌୍‌ ପରୀକ୍ଷା ଶୀର୍ଷରେ ସୁନ୍ଦରଗଡ଼ର ଦେବାଶିଷ : ଚୂଡ଼ାନ୍ତ ତାଲିକାରେ ୨୧୮ ପ୍ରାର୍ଥୀ, ୭୨ ମହିଳା କୃତକାର୍ଯ୍ୟ

451

କନକ ବ୍ୟୁରୋ : ଓଏଏସ୍ ପରୀକ୍ଷାଫଳ ଗତକାଲି ପ୍ରକାଶ ପାଇଛି । ସୁନ୍ଦରଗଡ଼ର ଦେବାଶିଷ ପଣ୍ଡା ଏହି ପରୀକ୍ଷା‌ରେ ଟପର ହୋଇଥିବା ବେଳେ ଋତୁପର୍ଣ୍ଣା ମହାପାତ୍ର ଦ୍ବିତୀୟ ଓ ଆକାଶ କୁମାର ପଣ୍ଡା ତୃତୀୟ ସ୍ଥାନରେ ରହିଛନ୍ତି । ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ଏହି ନିଯୁକ୍ତି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ୨୧୮ ଜଣ ପ୍ରାର୍ଥୀଙ୍କ ଚୂଡ଼ାନ୍ତ ତାଲିକା ପ୍ରକାଶ କରାଯାଇଛି । ସେମାନଙ୍କ ମଧ୍ୟରେ ୭୨ ଜଣ ମହିଳା ରହିଛନ୍ତି ।

ଏହି ପ୍ରାର୍ଥୀଙ୍କୁ ଓଡ଼ିଶା ସିଭିଲ ସର୍ଭିସେସ୍ (ଗ୍ରୁପ୍-ଏ ଓ ଗ୍ରୁପ୍-ବି) ଅଧୀନରେ ଥିବା ବିଭିନ୍ନ ପଦ ପଦବିରେ ନିଯୁକ୍ତି ପ୍ରଦାନ କରାଯିବ ବୋଲି ଓପିଏସସି ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି । ଓଡ଼ିଶା ସିଭିଲ ସର୍ଭିସେସ୍ ପରୀକ୍ଷା ୨୦୧୮ର ମୁଖ୍ୟ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀଙ୍କ ପାଇଁ ୨୦୧୯ ଡିସେମ୍ବର ୧୭ରୁ ୨୦୧୯ ଡିସେମ୍ବର ୨୮ ପର୍ଯ୍ୟନ୍ତ ପର୍ସନାଲିଟି ଟେଷ୍ଟ ଅନୁଷ୍ଠିତ ହୋଇଥିଲା । ଏହାପରେ ଚୂଡାନ୍ତ ପରୀକ୍ଷା ଫଳ ଆଜି ଓପିଏସସି ପ୍ରକାଶ କରିଛି ।

ସୂଚନାଯୋଗ୍ୟ, ଓସିଏସ୍ ପରୀକ୍ଷା,୨୦୧୮ ପାଇଁ ଓପିଏସସି ପକ୍ଷରୁ ୨୦୧୮ ଅଗଷ୍ଟ ୨୮ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଓଏଏସ୍, ଓପିଏସ୍ ଓ ଓଏଫଏସ୍ ସହିତ ଅନ୍ୟ ବର୍ଗରେ ୨୧୮ଟି ପଦବି ପୂରଣ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ୨୦୧୮ ନଭେମ୍ବର ୨୫ରେ ପ୍ରିଲିମିନାରୀ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ପ୍ରିଲିମିନାରୀ ପରୀକ୍ଷାରେ ୨୬୬୨ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଥିଲେ । ୨୦୧୯ ଜୁଲାଇ ୫ରୁ ୨୦୧୯ ଜୁଲାଇ ୨୯ ତାରିଖ ପର୍ଯ୍ୟନ୍ତ ଲିଖିତ ମୁଖ୍ୟ ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।