କିପରି ପାଇବେ ୫୯ ମିିନିଟରେ ୧ କୋଟି ଟଙ୍କାର ଋଣ ? ଜାଣନ୍ତୁ ପୁରା ପ୍ରକ୍ରିୟା . . .

439

କ୍ଷୁଦ୍ର ଉଦ୍ୟୋଗୀଙ୍କୁ ଦୀପାବଳୀ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀଙ୍କ ପାଇଁ ଆଗୁଆ ଦୀପାବଳି ଉପହାର ଘୋଷଣା କରିଛନ୍ତି ମୋଦି । ଏହି କ୍ଷେତ୍ରର ଉଦ୍ୟୋଗଗୁଡିକୁ ମାତ୍ର ୫୯ ମିନିଟରେ ୧କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇଦେବାକୁ ସେ ଘୋଷଣା କରିଛନ୍ତି । ଦିଲ୍ଳୀରେ ଏମଏସଏମଇ ସହାୟତା କାର୍ଯ୍ୟକ୍ରମକୁ ଉଦ୍ଦଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଏହି କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ଲାଗି ସରକାର ୧୨ଟି ନୀତି ପ୍ରସ୍ତୁତ କରିଛନ୍ତି । ଏହି ନୀତି ଓ ସୁବିଧା ଏମଏସଏମଇ କ୍ଷେତ୍ର ପାଇଁ ଦୀପାବଳି ଉପହାର ବୋଲି ମୋଦି କହିଛନ୍ତି । ଏହି ନୀତି ଦ୍ୱାରା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଗୁଡିକ ସହଜରେ ଋଣ ପାଇପାରିବେ । ଫଳରେ ଏହା ନିଯୁକ୍ତି ସୁଯୋଗ ସୃଷ୍ଟିରେ ସହାୟକ ହେବ ।

ସରକାର କ’ଣ ନିଷ୍ପତ୍ତି ନେଇଛନ୍ତି ?

ସରକାରଙ୍କ ନିଷ୍ପତି ଅନୁଯାୟୀ ୧କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ୨ପ୍ରତିଶତ ସୁଧ ରିହାତି ମିଳିବ । ରପ୍ତାନୀକାରୀଙ୍କ ପାଇଁ ୩ପ୍ରତିଶତ ସୁଧ ରିହାତି ଦିଆଯିବ । ସରକାରୀ ଉଦ୍ୟୋଗଗୁଡିକ ଏମଏସଏମଇରୁ ସଂଗ୍ରହ କରିବେ ୩% ସାମଗ୍ରୀ । ୬୦୦ କୋଟି ବିନିଯୋଗରେ ୨୦ଟି ହବ୍ ଓ ୧୦୦ ଟୁଲ୍ ରୁମ୍ ସ୍ଥାପନ ହେବ । କାରଖାନାକୁ ଇନପେକ୍ଟର ଅନୁଧ୍ୟାନ କରିବାକୁ ଯିବେ ନାହିଁ । କାରଖାନା ସ୍ଥାପନ ପାଇଁ ଗୋଟିଏ ପରିବେଶ ମଞ୍ଜୁରିର ବ୍ୟବସ୍ଥା କରାଯିବ । ଶ୍ରମ ଆଇନ ଓ କେନ୍ଦ୍ରୀୟ ନିୟମ ପାଳନ ଆଇନ କୋହଳ କରାଯିବ ।

କିପରି ଋଣ ଆବେଦନ କରାଯିବ ?

ଋଣ ପାଇବା ପାଇଁ psbloansin59minutes.com ରେ ପଞ୍ଜିକରଣ କରି ଆବେଦନ କରିବା ପାଇଁ ପଡ଼ିିବ । ଏଥିପାଇଁ ପ୍ରଥମେ ଜିଏସଟିଆଇଏନ୍ ଓ ଜିଏସଟି ୟୁଜର ଆଇଡ଼ି ଓ ପାସୱର୍ଡ଼ ଦେବାକୁ ପଡ଼ିବ । ଅନ୍ୟପଟେ ବ୍ୟବସାୟୀଙ୍କୁ ଆୟକର ରିଟର୍ଣ୍ଣ ଚିଠା ଓ ବ୍ୟାଙ୍କ୍ ଖାତା ଷ୍ଟେଟମେଂଟ ଅପଲୋଡ଼୍ କରିବା ପାଇଁ ନେଟ ବ୍ୟାଙ୍କିଂ ବ୍ୟବହାର କରିବା ପାଇଁ ପଡ଼ିବ । psbloansin59minutes.com  ପ୍ଲାଟଫର୍ମ ସିବିଡ଼ି ଓ ପାଂଚ ସରକାରୀ ବ୍ୟାଙ୍କ ଯଥା ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ, ବ୍ୟାଙ୍କ ଅଫ୍ ବରୋଦା, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍, ଇଣ୍ଡିଆନ୍ ବ୍ୟାଙ୍କ ଓ ବିଜୟ ବ୍ୟାଙ୍କ ମିଳିତ ଭାବେ ତିଆରି କରିଛନ୍ତି ।

ଋଣ ପାଇବାକୁ ହେଲେ କେଉଁ କେଉଁ ଡକ୍ୟୁମେଂଟ ଦାଖଲ କରିବାକୁ ପଡିବ ?

– ଜିଏସଟି ଆଇଡେଂଟିଫିକେସନ ନମ୍ବର
– ଆୟକର ରିଟର୍ଣ୍ଣର ପ୍ରମାଣ ପତ୍ର
– ଶେଷ ଛଅ ମାସର ବ୍ୟାଙ୍କ ଷ୍ଟେଟମେଣ୍ଟ୍
– ନିର୍ଦ୍ଦେଶକ/ ମାଲିକଙ୍କ ସବିଶେଷ ତଥ୍ୟ( ଶିକ୍ଷାଗତ ଓ ମାଲିକାନା ତଥ୍ୟ)
– ଋଣ ଆବେଦନ କରିବାକୁ ହେଲେ ସେହି ସଂସ୍ଥା ସମ୍ପୂର୍ଣ୍ଣ ଭାବେ ଚଳିତ ବ୍ୟାଙ୍କିଙ୍ଗ୍ ସିଷ୍ଟମ ସହିତ କାର୍ଯ୍ୟ କରୁଥିବ ।
– କ୍ଷୁଦ୍ର ବା ମଧ୍ୟମ ଉଦ୍ୟୋଗୀ ବ୍ୟବସାୟ ଋଣ ପାଇଁ ଏକ ସମୟରେ ଏକାଧିକ ବ୍ୟାଙ୍କରେ ଆବେଦନ କରିପାରିବେ ।
– ବାର୍ଷିକ ୫୦୦କୋଟି ଟଙ୍କାର କାରବାର କରୁଥିବା କମ୍ପାନୀମାନେ ବାଧ୍ୟତାମୂଳକ ଭାବେ ଟିଆରଇଡିଏସରେ ସାମିଲ ହେବେ ।

ସଠିକ ଦସ୍ତାବିଜ ସହ ଆବେଦନ କଲେ ମାତ୍ର ୧ ସପ୍ତାହ ଭିତରେ ହିଁ ଆବେଦକଙ୍କ ଖାତାରେ ଋଣ ରାଶି ଜମା ହୋଇଯିବ । ତେବେ ଏଥିରେ କେବଳ କାର୍ଯ୍ୟଦିବସକୁ ହିଁ ସାମିଲ କରାଯାଇଛି । ୫୯ ମିନିଟ୍ ପୋର୍ଟାଲରେ ଆବେଦନ ପରେ ପିଏନବି, ଏସବିଆଇ, କେସିସି ବ୍ୟାଙ୍କ୍, ୟୁକୋ ବ୍ୟରାଙ୍କ, ହିମାଚଳ ଗ୍ରାମୀଣ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା ଓ କାନାରା ବ୍ୟାଙ୍କ ଆଦିରୁ ମିଳିବ ଋଣ ।