୧୨୫ରେ ପହଞ୍ଚିଲା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା : ମହାରାଷ୍ଟ୍ରରେ ସର୍ବାଧିକ ସଂକ୍ରମିତ

453

କନକ ବ୍ୟୁରୋ : ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୫କୁ ବୃଦ୍ଧି । ମହାରାଷ୍ଟ୍ରରେ ସର୍ବାଧିକ ସଂକ୍ରମିତ ହୋଇଛନ୍ତି । ସେପଟେ ସାରା ବିଶ୍ୱରେ ୧ଲକ୍ଷ ୭୫ ହଜାର ୫୩୬ ଜଣ ଆକ୍ରାନ୍ତ ହୋଇଛନ୍ତି । ଏବଂ ୭ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ଚୀନରେ ସର୍ବାଧିକ ୩୨୧୩ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଇଟାଲୀରେ ୨ହଜାର ୧୫୮ ଜଣଙ୍କର ମୃତ୍ୟୁ ହୋଇଛି ।

ସେପଟେ କରୋନା ମୁକାବିଲା କ୍ଷେତ୍ରରେ ନୂଆ ସମ୍ଭାବନା ଦେଖାଦେଇଛି । ଆମେରିକାରେ କରୋନା ଭୂତାଣୁର ଟୀକା ନେଇ ପରୀକ୍ଷା ଆରମ୍ଭ ହୋଇଛି । ସିଆଟଲରେ ଜଣେ ସ୍ୱେଛାସେବୀଙ୍କୁ ପରୀକ୍ଷାମୂଳକ ଭାବେ ପ୍ରଥମ ଟୀକା ଦିଆଯାଇଛି । ଏଭଳି ୧୮ରୁ ୫୫ ବର୍ଷ ବୟସ ମଧ୍ୟରେ ଥିବା ୪୫ ଜଣ ସୁସ୍ଥ ବ୍ୟକ୍ତିଙ୍କୁ ଏହି ପରୀକ୍ଷାମୂଳକ ଟୀକା ଦିଆଯିବାର କାର୍ଯ୍ୟକ୍ରମ ରହିଛି । ୬ ସପ୍ତାହ ମଧ୍ୟରେ ଏହି ଟୀକା ପର୍ଯ୍ୟାୟକ୍ରମେ ଦିଆଯିବ ।  ଏବେ ଟୀକା ଦିଆଯାଇଥିବା ବ୍ୟକ୍ତିଙ୍କୁ ନଜରରେ ରଖାଯିବ । ବିଭିନ୍ନ ଷ୍ଟେଜ ଦେଇ ବ୍ୟକ୍ତି ଜଣଙ୍କୁ ଗତି କରିବାକୁ ପଡ଼ିବ ଓ ଏହି ସମୟରେ କରୋନା ଭୂତାଣୁ ଟୀକା କେମିତି କାମ କରୁଛି, ତା ଉପରେ ନଜର ରହିବ । ଏହି ଟୀକାର ନାମ ରହିଛି ଏମ୍ଆରଏନଏ-୧୨୭୩ ।

କରୋନା : କେମିତି କରିବେ ମୁକାବିଲା ?
ସଚେତନା ହିଁ ଏହି ଭୟଙ୍କର ଭୁତାଣୁରୁ ରକ୍ଷା ପାଇବାର ଏକମାତ୍ର ମାଧ୍ୟମ ।
– ବାରମ୍ବାର ସାବୁନରେ କିମ୍ବା ହ୍ୟାଣ୍ଡୱାସରେ ହାତ ଧୁଅନ୍ତୁ ।
– କାଶ, ଛିଙ୍କ ହେଉଥିଲେ ଟିସୁ ପେପର ବ୍ୟବହାର କରନ୍ତୁ ।
– ରୁମାଲ ବ୍ୟବହାର କରୁଥିଲେ ଭଲଭାବେ ସଫା ରଖନ୍ତୁ ।
– ବରିଷ୍ଠ ଲୋକମାନେ ଅଧିକ ସତର୍କ ରୁହନ୍ତୁ
– ଯେଉଁମାନେ କାଶ ବା ଥଣ୍ଡାରେ ଆକ୍ରାନ୍ତ ମାସ୍କ ବ୍ୟବହାର କରନ୍ତୁ । ସମସ୍ତେ ମାସ୍କ ପିନ୍ଧିବା ଆବଶ୍ୟକ ନାହିଁ ।
– ଗୁଜବ ଉପରେ ଆଦୌ ବିଶ୍ୱାସ କରନ୍ତୁ ନାହିଁ ।
– ସଂକ୍ରମଣକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ । ଯଥାସମ୍ଭବ ଲୋକେ ସତର୍କତା ଅବଲମ୍ବନ କରନ୍ତୁ ।
– କାଶ,ଥଣ୍ଡା ହୋଇଥିଲେ ଦୂରେଇ ରୁହନ୍ତୁ

– ମୁକ୍ତ ବାୟୁ ଚଳାଚଳ କରୁଥିବା ଏବଂ ଏସି ଲଗାଯାଇନଥିବା କକ୍ଷ ବ୍ୟବହାର କରନ୍ତୁ
– ସନ୍ଦିଗ୍ଧ ସଂକ୍ରମିତ ବ୍ୟକ୍ତି ସ୍ୱତନ୍ତ୍ର ଶୌଚାଳୟ ବ୍ୟବହାର କରିବା ଉଚିତ
– ରୋଗୀର ବାସନ, ବିଛଣାପତ୍ର ଓ ଅନ୍ୟାନ୍ୟ ଜିନିଷ ଅନ୍ୟମାନେ ବ୍ୟବହାର କରିବା ଅନୁଚିତ
– ନିଜର ପରିଚ୍ଛନ୍ନତା ପାଇଁ ଧ୍ୟାନ ଦିଅନ୍ତୁ
– ସଂକ୍ରମିତ ଚାଦର, ଗାମୁଛା ଏବଂ ଅନ୍ୟାନ୍ୟ କପଡାକୁ ଭଲ ଭାବରେ ସାବୁନରେ ସଫାକରି ଖରାରେ ଶୁଖାନ୍ତୁ
– ଭୁତାଣୁ ନାଶକ ଦ୍ୱାରା ଆସବାବ ପତ୍ର, ହାତଧୂଆ ବେସିନ ଏବଂ ଶୌଚାଳୟକୁ ସଫା ରଖନ୍ତୁ
– ଦିନ ବେଳା ଝରକା ଖୋଲା ରଖନ୍ତୁ
– ବାରମ୍ବାର ଭଲଭାବରେ ସାବୁନରେ ହାତ ଧୁଅନ୍ତୁ
– କାଶ ବା ଛିଙ୍କ ସମୟରେ ମୁହଁକୁ କହୁଣୀ ବା ରୁମାଲ ବା ଟିସୁ ପେପର ଦ୍ୱାରା ଘୋଡାଇ ରଖନ୍ତୁ
– ଘରକୁ କୀଟାଣୁ ନାଶକ ଦ୍ରବଣ ଦ୍ୱାରା ସଫା କରନ୍ତୁ
– ଯଦି ଆପଣ କର୍ମଜୀବୀ ତେବେ ଆପଣ କାମ କରୁଥିବା ପରିବେଶକୁ ପରିସ୍କାର ପରିଚ୍ଛନ୍ନ ରଖନ୍ତୁ
– ହ୍ୟାଣ୍ଡସେକରୁ ଦୂରେଇ ରୁହନ୍ତୁ
– ଅଧିକ ଲୋକଙ୍କ ସଂସ୍ପର୍ଶରେ ଆସନ୍ତୁ ନାହିଁ
କରୋନା ଭୁତାଣୁ ସଂକ୍ରମଣ ରୋକିବା ପାଇଁ ସ୍ୱଚ୍ଛତା, ସାବଧାନତା ଏବଂ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି । ଜ୍ୱର, କାଶ କିମ୍ବା ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କଲେ ଭୟଭୀତ ନହୋଇ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଇଛି ।