କନକ ବ୍ୟୁରୋ : ନୂଆଁଖାଇ ଆଉ ଓଡ଼ିଶା କିମ୍ବା ପଶ୍ଚିମ ଓଡ଼ିଶାରେ ସୀମିତ ରହିନାହିଁ । ଦେଶର ବିଭିନ୍ନ କୋଣରେ ନୂଆଁଖାଇ ପାଇଁ ଏବେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଏମିତିକି ନୂଆଁଖାଇର ପ୍ରଚାର ପ୍ରସାର ପାଇଁ ବିଦେଶ ମାଟିରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ଜୋରସୋରରେ ଉଦ୍ୟମ କରୁଛନ୍ତି । ଆସନ୍ତା ୨୦ ତାରିଖରେ ଦୁବାଇ ଏବଂ ଆସନ୍ତା ୮ ତାରିଖରେ ବାଙ୍ଗାଲୋରରେ ପାଳିତ ହେବାକୁ ଯାଉଛି ନୂଆଁଖାଇ ପର୍ବ । ଆଉ ତା ପୂର୍ବରୁ ଆସିଛି ନୂଆଁଖାଇ ବାର୍ତ୍ତା ।

Advertisment

ବିଗତବର୍ଷ ଗୁଡ଼ିକରେ ଯେଉଁ ଭଳି ଉତ୍ସାହ ଓ ଉଦ୍ଦୀପନା ଭିତରେ ବିଦେଶ ମାଟିରେ ନୂଆଁଖାଇ ଉତ୍ସବ ପାଳନ ହୋଇଆସୁଥିଲା, ଚଳିତବର୍ଷ ଆହୁରି ଧୁମଧାମରେ ପାଳିତ ହେବାକୁ ଯାଉଛି । ଆଉ ଏଥିପାଇଁ ପ୍ରସ୍ତୁତ ହେଉଛନ୍ତି ଦୁବାଇରେ ରହୁଥିବା ପ୍ରବାସୀ ଓଡ଼ିଆ । ଗ୍ଲୋବାଲ ଓଡ଼ିଆ ଫର୍ ଓଡ଼ିଶାସ୍ ଡେଭଲପ୍ମେଂଟ ବା ଗୁଡ୍ ପକ୍ଷରୁ ଏଥର ନୂଆଁଖାଇ ପାଳନ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ଆସନ୍ତା ୨୦ ତାରିଖରେ ଦୁବାଇରେ ପାଳିତ ହେବ ନୂଆଁଖାଇ ଉତ୍ସବ ।

କେବଳ ବିଦେଶରେ ନୁହେଁ ଭାରତର ବିଭିନ୍ନ ସହରରେ ମଧ୍ୟ ନୂଆଁଖାଇ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି । ଚଳିତବର୍ଷ ବାଙ୍ଗାଲୋର ଜୁହାର ପରିବାର ପକ୍ଷରୁ ଏକ ବଡ଼ଧରଣର ଉତ୍ସବ ପାଇଁ ସମସ୍ତ ପ୍ରସ୍ତୁତି ହେଉଛି । ଏଥରର ନୂଆଖାଇ ପାଳନ ଉତ୍ସବରେ ଚର୍ଚ୍ଚିତ ଗାୟକ ମଂଟୁ ଛୁରିଆ, ହାସ୍ୟ ଅଭିନେତା ଯୋଶେପ ଜୋଜୋ, ସମ୍ବଲପୁରୀ ରାପର୍ ଜେଆର୍ଏମ୍ ପ୍ରମୁଖ ସାମିଲ ହେଉଛନ୍ତି । ବାଙ୍ଗାଲୋରରେ ଆସନ୍ତା ୮ ତାରିଖରେ ପାଳିତ ହେବ ଚଳିତବର୍ଷର ନୂଆଁଖାଇ ଉତ୍ସବ ପାଳନ । ପୂର୍ବବର୍ଷ ଭଳି ପୁଣି ଜମିବ ସମ୍ବଲପୁରୀ ନାଚ-ଗୀତର ଆସର ।