ଧୁମଧାମରେ ପାଳିତ ହେଲା ଗଣପର୍ବ ନୂଆଁଖାଇ : ପିଠାପଣାର ମହକରେ ମହକିଲା ପଶ୍ଚିମ ଓଡ଼ିଶା

154

କନକ ବ୍ୟୁରୋ : ପଶ୍ଚିମ ଓଡ଼ିଶାର ପୁରପଲ୍ଲୀରେ ସର୍ବତ୍ର ଆନନ୍ଦ ଉଲ୍ଲାସ ଓ ଭାଇଚାରାର ସହ ପାଳିତ ହୋଇଛି ଗଣପର୍ବ ନୂଆଁଖାଇ । କୁହାଯାଏ, ପେଟପାଟଣାର ପର୍ବ, ଜୀବନଜୀବିକାର ପର୍ବ, ଚାଷ ଓ ଚାଷୀର ପର୍ବ ହେଉଛି ନୂଆଁଖାଇ । ପୁଣି ଭାଇଚାରା ଓ ମିଳନର, ସ˚ସ୍କୃତି ଓ ସ୍ବାଭିମାନର ପର୍ବ ନୂଆଁଖାଇ । ସମସ୍ତଙ୍କ ମନରେ ଖୁସି । ନିଜର ପହିଲି ଫସଲ ଇଷ୍ଟଦେବୀଙ୍କୁ ଅର୍ପଣ କରିଛନ୍ତି । ଆଉ ତାଙ୍କ ଆଶୀର୍ବାଦ ନେଇ ପରିବାରର ସମସ୍ତଙ୍କ ସହ ମିଶି ନୂଆଁ ଖାଇଛନ୍ତି । ଆଗକୁ ପୂରା ବର୍ଷ ଭଲରେ କଟିବ ବୋଲି ସମସ୍ତେ ଆଶାପୋଷଣ କରିଛନ୍ତି ।

ପୂର୍ବ ନିର୍ଧାରିତ ଲଗ୍ନ ଅନୁଯାୟୀ ମଙ୍ଗଳବାର ସକାଳ ଠିକ୍‌ ୧୦ଟା ୫ରୁ ୧୦ଟା ୨୦ ମଧୢରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ବରୀଙ୍କଠାରେ ନବାନ୍ନ ଭୋଗ ଲାଗି ହୋଇଥିଲା । ନବାନ୍ନ ଭୋଗ ଓ ପୂଜା ସାମଗ୍ରୀକୁ ଘଣ୍ଟ ଶଙ୍ଖ ବଜାଇ ପଟୁଆରରେ ନେଇ ପୂଜକଗଣ ମନ୍ଦିରରେ ପହଞ୍ଚିଥିଲେ । ନିର୍ଧାରିତ ଲଗ୍ନରେ ମନ୍ଦିର ଭିତରୁ ଶଙ୍ଖ ଧ୍ବନି ଶୁଭିବା ମାତ୍ରେ ଘଣ୍ଟ, ଶଙ୍ଖ, ନିସାନ୍‌, ମାଦଲ୍‌ ଆଦି ବାଦ୍ୟ ଧ୍ବନିରେ ପରିସର ଦୁଲୁକି ଉଠିଥିଲା । ମାଁଙ୍କ ପାଖରେ ଭୋଗ ଲାଗିଲା ପରେ ପୂଜକମାନେ ବେଢ଼ା ପୂଜା ସହ ପାର୍ଶ୍ବ ଦେବଦେବୀଙ୍କୁ ନବାନ୍ନ ଲାଗି କରିଥିଲେ। ଏହାପରେ ମାଁଙ୍କ ନିକଟରେ ସ୍ବତନ୍ତ୍ର ଆଳତି କରା ଯାଇଥିଲା । ନବାନ୍ନ ଅର୍ପଣ ପରେ ମନ୍ଦିରର ଦ୍ବାର ସାଧାରଣ ଭକ୍ତଙ୍କ ଦର୍ଶନ ନିମନ୍ତେ ଖୋଲି ଦିଆ ଯାଇଥିଲା ।

ସେହିପରି ପାଟଣାଗଡ଼ରେ ମାଁ ପାଟଣେଶ୍ବରୀଙ୍କଠାରେ ଅତ୍ୟନ୍ତ ନିଷ୍ଠାର ସହ ନବାନ୍ନ ଭୋଗ ଲାଗି ହୋଇଥିଲା । ବଲାଙ୍ଗୀରରେ ମାଁ ସମଲେଶ୍ବରୀଙ୍କୁ ଭାବ ଓ ଭକ୍ତିର ସହ ନୂଆଁ ଭୋଗ ଅର୍ପଣ କରା ଯାଇଥିଲା । ସୋନପୁରରେ ଅଧିଷ୍ଠତ୍ରୀ ଦେବୀ ସୁରେଶ୍ବରୀଙ୍କଠାରେ ନୀତି ନିଷ୍ଠାର ସହ ନୂଆ ଅନ୍ନ ଲାଗି ହୋଇଥିଲା । ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ନୂଆପଡ଼ା, ଦେବଗଡ଼, ବୌଦ୍ଧ, ବରପାଲି ସମେତ ବିଭିନ୍ନ ସହର ଓ ଗାଁରେ ସେଠାକାର ଇଷ୍ଟ ଦେବାଦେବୀଙ୍କୁ ନବାନ୍ନ ଭୋଗ ଅର୍ପଣ କରା ଯାଇଥିଲା । ଗାଁମାନଙ୍କରେ ଝାଙ୍କରମାନେ ଗ୍ରାମ ଦେବଦେବୀଙ୍କୁ ପୂଜା କରିଥିଲେ । ଚାଷୀମାନେ ନିଜ କ୍ଷେତ (ବିଲ)କୁ ଯାଇ ଧରଣୀ ମାତାଙ୍କୁ ପୂଜା କରିଥିଲେ ।

ନୂଆଁଖାଇ ଅବସରରେ ଗୋମାତାଙ୍କୁ ବି ପୂଜାର୍ଚନା କରା ଯାଇଥିଲା । ନୂଆ ଭୋଗର ଦେବାର୍ପଣ ପରେ ପ୍ରତି ପରିବାରରେ ନୂଆଁଖାଇ ପର୍ବ ଆରମ୍ଭ ହୋଇଥିଲା । ପରିବାର ସମସ୍ତ ସଦସ୍ୟ ନୂଆ ପୋଷାକ ପିନ୍ଧି ଏକାଠି ବସିବା ପରେ ସବୁଠୁ ବୟୋଜ୍ୟେଷ୍ଠ ସଦସ୍ୟ ସମସ୍ତଙ୍କୁ ନୂଆଁ ଅନ୍ନ ପ୍ରସାଦ ବାଣ୍ଟି ଥିଲେ । ତାହାକୁ ସମସ୍ତେ ଏକା ସାଙ୍ଗରେ ସେବନ କରିଥିଲେ । ନୂଆଁ ଖାଇ ସାରିବା ପରେ ଗୁରୁଜନମାନଙ୍କୁ ଜୁହାର‌୍‌, ମୁଣ୍ତିଆ ମାରି ଆଶୀର୍ବାଦ ନେବାର ନିଆରା ପର˚ପରା ଆରମ୍ଭ ହୋଇଥିଲା । ସାନମାନେ ବଡ଼ମାନଙ୍କୁ ଜୁହାର ଭେଟ୍‌ ହୋଇଥିଲେ। ପରିବାର ସଦସ୍ୟଙ୍କ ପରେ ଗାଁ, ପଡ଼ାର ବନ୍ଧୁ, ପଡେ଼ାଶୀଙ୍କୁ ଭେଟି ଜୁହାର‌୍‌ ଭେଟ୍‌ ହୋଇଥିଲେ ।