ସାତକୋଶିଆରେ ବାଘ ମୃତ୍ୟୁର ତଦନ୍ତ ପାଇଁ ପହଞ୍ଚିଲେ ଏନଟିସିଏ ଟିମ୍ : ମହାବୀର ମୃତ୍ୟୁ ନେଇ ଖୋଳତାଡ଼

ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଜଣାପଡ଼ିବ ମୃତ୍ୟୁର କାରଣ

82

କନକ ବ୍ୟୁରୋ : ସାତକୋଶିଆରେ ଏନଟିସିଏ ଟିମ୍ । ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟରୁ ସାତକୋଶିଆକୁ ଆସିଥିବା ବାଘ ମହାବୀରର ମୃତ୍ୟୁକୁ ନେଇ ତନାଘନା କରିବ ଏହି ଟିମ୍ ।  ଏଥିରେ ଅଛନ୍ତି ଏନଟିସିଏର ଆଇଜି  ଅମିତ ମଲ୍ଲିକ  ଓ ବୌଜ୍ଞାନିକ ଡକ୍ଟର କେ, ରମେଶ । ମହାବୀରକୁ ମାରିଲା କିଏ? ଏଥିପାଇଁ କିଏ ଦାୟୀ? ସେ ନେଇ ସବୁସ୍ତରରେ ତନାଘନା ଆରମ୍ଭ ହୋଇଛି ।

ବାଘ ମୃତ୍ୟୁର କାରଣ ଖୋଜିବାରେ ଲାଗିପଡିଛି ବନବିଭାଗ । ଗତକାଲି ୩ଜଣ ଡାକ୍ତରଙ୍କ ସମେତ ଏନଟିସିଏ ପ୍ରତିନିଧି, ଫିଲ୍ଡ ଡାଇରେକ୍ଟର ଓ ୨ଜଣ ଡିଏଫଓଙ୍କ ଉପସ୍ଥି୍ତିରେ ବାଘର ଶବ ବ୍ୟବଛେଦ ହୋଇଛି । ଶବ ବ୍ୟବଛେଦ ପରେ ବାଘକୁ ପୋଡି ଦିଆଯାଇଛି । ବାଘ ବେକରେ ଘା ଯୋଗୁଁ ମହାବୀରର ମୃତ୍ୟୁ ହୋଇଥିବା କୁହାଯାଉଥିବାବେଳେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପିସିସିଏଫ୍ କହିଛନ୍ତି । ଜୁନ୍ ୨୧ରେ କାହ୍ନା ବ୍ୟାଘ୍ର ପ୍ରକଳ୍ପରୁ ଆସିଥିିବା ମହାବଳ ମହାବୀରର ବୁଧବାର ଦିନ ରାତିରେ ମୃତ୍ୟୁ ହୋଇଥିଲା ।

ସାତକୋଶିଆ ବ୍ୟାଘ୍ର ଅଭୟ୍ୟାରଣ୍ୟରେ ବାଘ ବଂଶ ବୃଦ୍ଧି ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ ( ଏନଟିସିଏ) ଯେଉଁ ଯୋଜନା କରିଥିଲେ ତାକୁ ଶକ୍ତ ଝଟକା ଲାଗିଛି। କାହ୍ନା ବ୍ୟାଘ୍ର ଅଭୟାରଣ୍ୟରୁ ଆସିଥିବା ଯୁବ ମହାବଳ ବାଘ ‘ ମହାବୀର’ ଗତ ବୁଧବାର ଦିନ ଅତି ରହସ୍ୟଜନକଭାବେ ମୃତ୍ୟୁବରଣ କରିଛି।