ଶିକ୍ଷା ବିଭାଗରେ ଆସିବ ସଂସ୍କାର : ନିୟମିତ ୭ ଘଣ୍ଟା ଡ୍ୟୁଟି କରିବେ ଅଧ୍ୟାପକ, ୭୫ ପ୍ରତିଶତ ଉପସ୍ଥାନ ନରହିଲେ ଛାତ୍ରଛାତ୍ରୀଙ୍କୁ ମନା

246

କନକ ବ୍ୟୁରୋ : କଠୋର ନିଷ୍ପତ୍ତି ନେଲେ ସରକାର । ଏଣିକି ଆଉ ଠକିପାରିବେନି ଅଧ୍ୟାପକ କି ଛାତ୍ରଛାତ୍ରୀ । ସରକାରୀ ଓ ଅନୁଦାନପ୍ରାପ୍ତ ବେସରକାରୀ କଲେଜରେ କାର୍ଯ୍ୟ କରୁଥିବା ନିୟମିତ ଅଧ୍ୟାପକମାନେ ୭ ଘଣ୍ଟା ଡ୍ୟୁଟି କରିବେ । ଛାତ୍ରଛାତ୍ରୀ ବି ନିୟମିତ ଭାବେ କ୍ଲାସ୍‌ କରିବେ । ଯଦି କୌଣସି ପିଲାର ଉପସ୍ଥାନ ୭୫ପ୍ରତିଶତ ନ ଥିବ, ସେ ବାର୍ଷିକ ପରୀକ୍ଷାରୁ ବଞ୍ଚିତ ହେବେ । ସରକାରୀ କଲେଜଗୁଡ଼ିକରେ ପାସ୍‌ହାର ନୈରାଶ୍ୟଜନକ ହେବା ପରେ ଏଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ଉଚ୍ଚଶିକ୍ଷା ବିଭାଗ । ସପ୍ତାହକ ତଳେ ଏ ନେଇ ସମୀକ୍ଷା କରାଯାଇଥିବା ବେଳେ ଚଳିତ ଶିକ୍ଷାବର୍ଷରୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ଆଜି ବିଜ୍ଞପ୍ତି ଜାରି କରାଯାଇଛି ।

ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ସରକାରୀ ଓ ଅନୁଦାନପ୍ରାପ୍ତ ବେସରକାରୀ କଲେଜରେ କାର୍ଯ୍ୟ କରୁଥିବା ଅଧ୍ୟକ୍ଷ ଓ ଅଧ୍ୟାପକଙ୍କ କ୍ଷେତ୍ରରେ ଏହି ନିୟମ ଲାଗୁ ହେବ । ପ୍ରତି କାର୍ଯ୍ୟ ଦିବସରେ ୭ ଘଣ୍ଟା କାର‌୍ୟ୍ୟ କରିବା ବାଧ୍ୟତାମୂଳକ । ତେବେ ଅତିଥି ଅଧ୍ୟାପକଙ୍କ କ୍ଷେତ୍ରରେ ଏହି ନିୟମ ଲାଗୁ ହେବ ନାହିଁ । ସେମାନେ କ୍ଲାସ ଅନୁଯାୟୀ ଦରମା ନେଉଥିବାରୁ ସେମାନଙ୍କୁ ବାଦ୍‌ ଦିଆଯାଇଛି । ଶିକ୍ଷା‌ଦାନ ଓ ଏଥିସହ ସଂଶ୍ଳିଷ୍ଟ ବିଭିନ୍ନ କାର୍ଯ୍ୟ ସମେତ ଅଧ୍ୟାପକମାନେ ଏଣିକି ଲାଇବ୍ରେରି ଓ ଗବେଷଣା କାର୍ଯ୍ୟରେ ମନୋନିବେଶ କରିବେ । ଏଥିପାଇଁ ସମୟ ଦେବେ । ଯେଉଁ ଛାତ୍ରଛାତ୍ରୀ ପଛରେ ନାମ ଲେଖାଇଥିବେ, ସେମାନଙ୍କ ଲାଗି ଅତିରିକ୍ତ କ୍ଲାସ କରିବେ । ଅଧ୍ୟାପକମାନେ ଛାତ୍ରଛାତ୍ରୀଙ୍କ ଉପସ୍ଥାନର ପର୍ଯ୍ୟାଲୋଚନା କରିବେ। କଲେଜ କର୍ତୃପକ୍ଷଙ୍କୁ ବିଭିନ୍ନ କାର‌୍ୟ୍ୟରେ ସହଯୋଗ କରିବେ ।

 

ଛାତ୍ରଛାତ୍ରୀଙ୍କ ଉପସ୍ଥାନକୁ ବି କଡ଼ାକଡ଼ି ଲାଗୁ କରିବାକୁ ଉଚ୍ଚଶିକ୍ଷା ବିଭାଗ ନିର୍ଦେଶ ଦେଇଛି । କ୍ଲାସ୍‌ ନ କରି ବାରମ୍ବାର ଠକୁଥିବା ଛାତ୍ରଛାତ୍ରୀଙ୍କ ବିରୋଧରେ କଠୋର ହୋଇଛି ବିଭାଗ । ପିଲାମାନେ କ୍ଲାସ୍‌ ନ କରି ପାର୍କ, ସପିଂ ମଲ୍‌ ଆଦି ସ୍ଥାନରେ ବୁଲୁଥିବା ‌ନଜରକୁ ଆସୁଥିଲା । ଏ ନେଇ ଦୁଇ ସପ୍ତାହ ତଳେ ଭୁବନେଶ୍ବରରେ ତନାଘନା‌ କରାଯାଇଥିଲା । ଏବେ ଉପସ୍ଥାନକୁ ନେଇ କଡ଼ା ନିଷ୍ପତ୍ତି ହୋଇଛି । ଯଦି କ୍ଲାସ୍‌ରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ୭୫ପ୍ରତିଶତ ନ ଥିବ, ଶେଷ ସେମିଷ୍ଟର୍‌ ପରୀକ୍ଷା ଦେବାକୁ ବଞ୍ଚିତ ହେବେ ।

ପ୍ରତି ମାସରେ ପିଲାଙ୍କ ଉପସ୍ଥାନର ସମୀକ୍ଷା କରାଯିବ । ଯଦି ଛାତ୍ରଛାତ୍ରୀଙ୍କ ଉପସ୍ଥାନ ପ୍ରତି ମାସରେ ୭୫ ପ୍ରତିଶତ ହେଉ ନ ଥିବ, ତେବେ କଲେଜ କର୍ତୃପକ୍ଷ ଫୋନ୍‌, ଏସ୍‌ଏମ୍‌ଏସ୍‌ ଓ ଡାକ ଯୋଗେ ଅଭିଭାବକଙ୍କୁ ଅବଗତ କରାଇବେ । ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରାଜ୍ୟରେ ଥିବା ସମସ୍ତ ସରକାରୀ ଡିଗ୍ରି, ସ୍ବୟଂଶାସିତ ମହାବିଦ୍ୟାଳୟ ସମେତ ଅନୁଦାନପ୍ରାପ୍ତ ବେସରକାରୀ କଲେଜର ଅଧ୍ୟକ୍ଷମାନେ ଏଥିପ୍ରତି ଦୃଷ୍ଟି ଦେବାକୁ ବିଭାଗୀୟ ସଚିବ ଶାଶ୍ବତ ମିଶ୍ର ନିର୍ଦେଶ ଦେଇଛନ୍ତି । ଏଥିସହ ଉଚ୍ଚଶିକ୍ଷା ନିର୍ଦେଶାଳୟ ଓ ଆଞ୍ଚଳିକ ନିର୍ଦେଶାଳୟ ପକ୍ଷରୁ ପୂର୍ବରୁ ଜାରି ହୋଇଥିବା ଗାଇଡ୍‌ଲାଇନ୍‌ ଓ ନିର୍ଦେଶକୁ ବାତିଲ୍‌ ହେବ ବୋଲି ବିଜ୍ଞପ୍ତିରେ କୁହାଯାଇଛି ।