ବିଜେଡ଼ି ଫେରିବାକୁ ବିକଳ ବରିଷ୍ଠ ନେତା ଦାମ ରାଉତ୍ । ଦେଲେ ବଡ଼ ବୟାନ୍ . . . ବହିଷ୍କାର ଉଠାଇଲେ, ମୁଁ ଏବେ ବି ଦଳରେ ଅଛି ।

1,916

କନକ ବ୍ୟୁରୋ : ଘରକୁ ବାହୁଡ଼ିବାକୁ ଇଚ୍ଛା । ସଦାସର୍ବଦା ଖୋଲା ତୁଣ୍ଡ ପାଇଁ ଚର୍ଚ୍ଚାରେ ରହୁଥିବା ଦାମ ବାବୁ ଏବେ  ଏକା ଅନୁଭବ କରୁଛନ୍ତି । ଯେତେଯାହା କଲେ ବି ମନ ମାନୁନି । ବିଜୁବାବୁଙ୍କ ସ୍ମୁତିକୁ ସାଉଣ୍ଟି ବିଜେଡ଼ି ଫେରିବାକୁ ଚାହୁଁଛନ୍ତି ଦାମୋଦର ରାଉତ୍ । ସିଧାସଳଖ ନହେଲେ ବି ବିଜେଡ଼ି ସୁପ୍ରିମୋଙ୍କ ଉଦ୍ଦେଶ୍ୟରେ କିଛି ଏପରି କହିଛନ୍ତି ବରିଷ୍ଠ ନେତା । ବିଜେଡ଼ିରୁ ବହିଷ୍କାର ପରେ ବିଜେପିରେ ଯୋଗଦେଇଥିଲେ ଦାମ ରାଉତ୍ । ବିଜେପିରେ ଯୋଗ ଦେଇଥିଲେ ସିନା ହେଲେ ମନ କିନ୍ତୁ ବିଜେଡ଼ିରେ ଥିଲା । ମାତ୍ର ୭ ମାସର ସମ୍ପର୍କ ବେଶୀ ଦିନ ତିଷ୍ଠିପାରି ନଥିଲା । ନିର୍ବାଚନ ପରେ ବିଜେପି ଓ ଦାମଙ୍କ ମଧ୍ୟରେ ଦୂରତା ବଢ଼ିଲା । ଆଉ ତା’ପରେ ବିଜେପିରେ କୋଣଠେସା ଅଭିଯୋଗ କରି ଦଳ ଛାଡ଼ିଥିଲେ ଦାମ ରାଉତ । ଆଉ ଏବେ ନିଜ ଦଳକୁ ଫେରିବାକୁ ଚାହଁନ୍ତି ବରିଷ୍ଠ ନେତା ଦାମ ରାଉତ୍  ।

ବିଜୁ ବାବୁଙ୍କ ଅମଳରୁ ବିଜେଡ଼ି ସହ ଦାମଙ୍କ ସମ୍ପର୍କ । ଆଉ ସେ ସମ୍ପର୍କକୁ ଭୁଲପାରୁନାହାନ୍ତି । ଦାମ ରାଉତ କହିଛନ୍ତି,  ମୁଁ ନବୀନ ବାବୁଙ୍କ ବିରୋଧୀ ନୁହେଁ । ଜୀବନରେ କେବେ ବି ନବୀନ ବାବୁଙ୍କୁ ବିରୋଧ କରିନି । ମୁଁ ବିଜେଡି ଲୋକ, ବିଜେଡିର ଜଣେ ପୁରୁଖା ସଦସ୍ୟ । ନବୀନ ବାବୁଙ୍କୁ ମୁଁ ସବୁବେଳେ ସମର୍ଥନ କରିଆସିଛି । ମୁଁ ଦଳରେ ଥିଲି । ମୋତେ ଦଳରୁ ବହିଷ୍କାର କରାଯାଇଥିଲା । ବହିଷ୍କାର ଆଦେଶ ଉଠାଇ ନେବାପରେ ମୁଁ ବିଜୁ ଜନତା ଦଳରେ ହିଁ ଅଛି । ପୂର୍ବରୁ ଅନେକ ବାର ନବୀନ ବାବୁଙ୍କୁ ବିରୋଧ କରିଥିବା ଲୋକଙ୍କୁ ମୋ ହାତରେ ଦଳରୁ ବାହାର କରାଯାଇଛି । ହେଲେ କିଛି ଲୋକଙ୍କ ପ୍ରରୋଚନାରେ ଆସି ମୋତେ ଦଳରୁ ବାହାର କରାଯାଇଥିଲା ।

ଅନ୍ୟପଟେ ଦାମ ଖେଳିଛନ୍ତି ବିଜୁ କାର୍ଡ । ବିଜୁ ବାବୁଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ରାଜନୀତିକୁ ଆସିଥିଲେ । ତାଙ୍କରି ନାଁରେ ତିଆରି ହୋଇଥିବା ବିଜୁ ଜନତା ଦଳକୁ ଆପଣାଇ ନେଇଥିଲେ । ସେ କହିଛନ୍ତି, ମୋତେ ଦୁବଘାସରୁ ଦ୍ରୁମ କରିଛନ୍ତି ବିଜୁ ପଟ୍ଟନାୟକ । ମୋ ରାଜନୀତି ଜୀବନର ପ୍ରଜ୍ଞାପୁରୁଷ ହେଉଛନ୍ତି ବିଜୁ ବାବୁ । ତାଙ୍କୁ ଛାଡ଼ିକି ରହିବା ପାଇଁ ମୋର ନୈତିକ ସାମର୍ଥ୍ୟ ନାହିଁ । ପଦପଦବୀର ଆଶାନରଖି ବିଜୁ ବାବୁଙ୍କ ଅନୁଗତ ରୂପେ ଦଳରେ ରହି ଶେଷ ଜୀବନ କାଟିବାକୁ ଚାହୁଁଛନ୍ତି । ମୁଁ ବିଜୁ ବାବୁଙ୍କ ଲୋକ ବୋଲି ଓଡ଼ିଶା ସାରା ଲୋକେ ଅବଗତ । ମୁଁ ବିଜେଡ଼ିର ଲୋକ ।

ତେବେ ଦଳକୁ ଫେରିଲେ ବି କୌଣସି ପଦପଦବୀର ଲାଳସା ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି  । ମୋର କେବଳ ପରିଚୟ ଅପସାରିତ ହୋଇଯାଇଛି । ସେହି ପରିଚୟ ଫେରିଆସିଲେ ମୁଁ ଅତ୍ୟନ୍ତ ଖୁସି ହେବ । ମୋର ଅନ୍ୟକି ଛିର ଲାଳସା ନାହିଁ । ଅନ୍ୟପଟେ ଆଉ ନିର୍ବାଚନ ଲଢ଼ିବେନି ବରିଷ୍ଠ ନେତା ଦାମୋଦର ରାଉତ ।