ଜଗନ୍ନାଥ ଧାମକୁ ଅଣଦେଖା କଲା କେନ୍ଦ୍ର : ଦେଶର ୧୭ଟି ଆକର୍ଷଣୀୟ ପର୍ଯ୍ୟଟନ କ୍ଷେତ୍ରରେ ସ୍ଥାନରେ ପାଇନି ଓଡ଼ିଶା

122

କନକ ବ୍ୟୁରୋ : ପୁରୀରେ ଚାଲିଛି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଅଥଚ ୨୦୧୯ ନିର୍ବାଚନୀ ଇସ୍ତାହାରେ ପୁରୀକୁ ଆଧ୍ୟାତ୍ମିକ ରାଜଧାନୀ ଭାବେ ବିକାଶ କରିବା ପାଇଁ ବିଜେପି ଦେଇଥିବା ପ୍ରତିଶ୍ରୁତି ଭୁଲି ଯାଇଛି । ଖାଲି ସେତିକି ନୁହେଁ, କେନ୍ଦ୍ର ସରକାରଙ୍କ ୨୦୧୯-୨୦ ଆର୍ଥିକ ବର୍ଷ ବଜେଟରେ ଘୋଷଣା ହୋଇଥିବା ଦେଶର ୧୨ଟି ରାଜ୍ୟର ୧୭ ଅନନ୍ୟ ଆକର୍ଷଣୀୟ ପର୍ଯ୍ୟଟନ କ୍ଷେତ୍ର ଭିତରେ ଓଡ଼ିଶାର ଗୋଟିଏ ବି ପର୍ଯ୍ୟଟନ କ୍ଷେତ୍ର ସ୍ଥାନ ପାଇନି । କେନ୍ଦ୍ର ସରକାରଙ୍କ ଏପରି ଅବହେଳା ସାମାନାକୁ ଆସିବା ପରେ ତେଜିଛି ବିବାଦ ।

୨୦୧୯ ସାଧାରଣ ନିର୍ବାଚନରେ ପୁରୀକୁ ଭାରତର ଆଧ୍ୟାତ୍ମିକ ରାଜଧାନୀ ରୂପେ ବିକଶିତ କରିବା ପାଇଁ ବିଜେପି ତାର ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲା । ଏବେ ସେ ପ୍ରତିଶ୍ରୁତି ପାଣିର ଗାର ପ୍ରମାଣିତ ହୋଇଛି । ଗତ ୪ ତାରିଖରେ ମହାପ୍ରଭୁ ଜଗନ୍ନାଥଙ୍କ ଶ୍ରୀ ଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେଲା । ତା ପରଦିନ ଅର୍ଥାତ ଗତ ୫ ତାରିଖରେ ଲୋକସଭାରେ କେନ୍ଦ୍ର ଅର୍ଥମନ୍ତ୍ରୀ ସୀତାରମଣ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଲୋକସଭାରେ ବଜେଟ ଆଗତ କରିଥିଲେ । ବଜେଟରେ ଦେଶର ୧୨ଟି ରାଜ୍ୟର ୧୭ଟି ଅନନ୍ୟ ଆକର୍ଷଣ ଥିବା ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଅର୍ଥ ବରାଦ କରାଯାଇଛି ।

କିନ୍ତୁ ଓଡ଼ିଶାର ଗୋଟିଏ ବି ପର୍ଯ୍ୟଟନ କ୍ଷେତ୍ର ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଦୃଷ୍ଟି ପଡ଼ିଲାନି । ଏହାକୁ ନେଇ କେନ୍ଦ୍ର ପର୍ଯ୍ୟଟନ ମନ୍ତଣାଳୟ ବିରୋଧରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି । କେନ୍ଦ୍ର ସରକାରଙ୍କ ତାଲିକାରେ ଉତ୍ତରପ୍ରଦେଶର ତାଜମହଲ, ଫତେପୁର ସିକ୍ରି, ମହରାଷ୍ଟ୍ରର ଅଜନ୍ତା ଓ ଏଲୋରା, ନୂଆ ଦିଲ୍ଲୀର ହୁମାୟୁନ୍ ଟମ୍ବ୍, ଲାଲ କିଲ୍ଲା ଓ କୁତୁବ ମୀନାର ସ୍ଥାନ ପାଇଛି । ଏହାସହିତ ଗୋଆର କୋଲାବା ତଟ, ରାଜସ୍ଥାନର ଆମିର ଦୁର୍ଗ, ଗୁଜରାଟର ସୋମନାଥ ଓ ଢୋଲାବିରା, ମଧ୍ୟପ୍ରଦେଶର ଖଜୁରାଓ, କର୍ଣ୍ଣାଟକର ହାମ୍ପି, ତାମିଲନାଡ଼ୁର ମହାବଳିପୁରମ୍, ଆସାମର କାଜିରଙ୍ଗା, କେରଳର କୁମାରକମ୍ ଏବଂ ବିହାରର ମହାବୋଧୀ ପର୍ଯ୍ୟଟନ କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରାଯାଇଛି । ଏସବୁ ପର୍ଯ୍ୟଟନ କ୍ଷେତ୍ର ପାଇଁ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଅଧିକ ରାସ୍ତା ସଂଯୋଗୀକରଣ କରାଯିବା ସହ ଅନ୍ୟାନ୍ୟ ଆକର୍ଷଣୀୟ ବିକାଶ କରାଯିବ ।

ତେବେ ବିଶ୍ବ ଐତିହ୍ୟ ତାଲିକାରେ ଥିବା କୋଣାର୍କ ମନ୍ଦିରକୁ ବି କେନ୍ଦ୍ର ସରକାରଙ୍କ ନଜର ପଡ଼ିଲାନି । ସେହିପରି ଭିତର କନିକା, ଏସିଆର ସର୍ବବୃହତ୍ତମ ପ୍ରାକୃତିକ ହ୍ରଦ ଚିଲିକା ଓ ସିମିଳିପାଳ ଅଭୟାରଣ୍ୟ ମଧ୍ୟ ୟୁନେସ୍କୋ ତାଲିକାରେ ସ୍ଥାନ ପାଇଛନ୍ତି । ବୌଦ୍ଧ ସଂସ୍କୃତିର କୀର୍ତ୍ତିମାନ ପ୍ରତୀକ ଲଳୀତଗିରି, ରତ୍ନଗିରି ଏବଂ ଉଦୟଗିରି ସର୍କିଟ୍ ଦେଶ ବିଦେଶର ଲକ୍ଷାଧିକ ପର‌୍ୟ୍ୟଟକମାନଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛନ୍ତି । ଏତେସବୁ ପର‌୍ୟ୍ୟଟନ ସ୍ଥଳ ଥାଇ ବି କେନ୍ଦ୍ର ସଂସ୍କୃତି ବିଭାଗର ଆଖି କାହାରି ଉପରେ ବି ପଡ଼ିଲାନି ।

 

ଏ ନେଇ ଗଭୀର ଅସନ୍ତୋଷ ପ୍ରକାଶ କରି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀଙ୍କ ପାଖକୁ ଚିଠି ଲେଖିଛନ୍ତି । ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ତୁରନ୍ତଏଥିରେ ହସ୍ତକ୍ଷେପ କରି କେନ୍ଦ୍ର ସରକାରଙ୍କୁ ପୁରୀ ସମେତ କୋଣାର୍କୁ ଅନନ୍ୟ ଆର୍ଷଣୀୟ ପର୍ଯ୍ୟଟନ କ୍ଷେତ୍ରରେ ସାମିଲ କରିବାକୁ ଦାବି ଜଣାଇବାକୁ ଅନୁରୋଧ କରିଛନ୍ତି । କେନ୍ଦ୍ର ସରକାରଙ୍କ ଏପରି ନିଷ୍ପତ୍ତି ବିରୋଧରେ ପ୍ରତିକ୍ରିୟା ରଖି ରାଜ୍ୟ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କହିଛନ୍ତି, କେନ୍ଦ୍ର ସରକାରଙ୍କ ଏପରି ଓଡ଼ିଶା ପ୍ରତି ଅବହେଳା ଦୁର୍ଭାଗ୍ୟଜନକ । ବିଜେଡିର ସାଂସଦମାନେ ଲୋକସଭା ଓ ରାଜ୍ୟସଭାରେ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଜବାବ ମାଗିବେ ।