ରାଜ୍ୟରେ ଲାଗି ରହିବ କାଳବୈଶାଖୀ : ଘୂର୍ଣ୍ଣିଝଡ଼ ସହ କୁଆପଥର ବର୍ଷା ସମ୍ଭାବନା,୪ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

1,642

କନକ ବ୍ୟୁରୋ : ରାଜ୍ୟରେ ଲାଗି ରହିବ କାଳବୈଶାଖୀ। କାଳବୈଶାଖୀ ଜନିତ ଘୂର୍ଣ୍ଣିଝଡ଼ ସହ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ୪ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଓଡ଼ିଶାରେ କିନ୍ତୁ ଲଘୁଚାପ ବର୍ଷା ହେବାର ସମ୍ଭାବନା ନାହିଁ । ମେ’ ଦ୍ବିତୀୟ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ଗରମ ଅନୁଭୂତ ହେବ ନାହିଁ। ଏହି ସମୟରେ ରାଜ୍ୟରେ ଗୋଟିଏ କିମ୍ବା ଦୁଇଟି ସ୍ଥାନ ଛାଡ଼ି ଦେଲେ ଅନ୍ୟ ସବୁ ସ୍ଥାନର ତାପମାତ୍ରା ୪୦ ଡିଗ୍ରି ତଳକୁ ହିଁ ରହିବ। ବାୟୁମଣ୍ଡଳରେ ଅସ୍ଥିରତା ଯୋଗୁଁ ରାଜ୍ୟରେ ଅଧିକାଂଶ ସମୟ କାଳବୈଶାଖୀ ବର୍ଷା ଲାଗିରହିବ। ଏଣୁ ତାପମାତ୍ରା ବି କମ୍‌ ରହିବ ବୋଲି ପାଣିପାଗ ବିଶେଷଜ୍ଞମ‌ାନେ ଅନୁମାନ କରୁଛନ୍ତି।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ ସୂଚନା ଅନୁଯାୟୀ, ଆସନ୍ତା ୩ ତାରିଖଠାରୁ ବଙ୍ଗୋପସାଗରୀୟ ପବନ ଦକ୍ଷିଣ ଓଡ଼ିଶାରେ ସୀମିତ ରହିବ। ୪ ତାରିଖଠାରୁ ଏହା ଦକ୍ଷିଣ ଓଡ଼ିଶା ସହ ସମଗ୍ର ଉପକୂଳରେ ପ୍ରବାହିତ ହେବ। ଆକଳନ କରାଯାଉଛି, ମେ’ ମାସର ପ୍ରଥମ ସପ୍ତାହରେ ଏହି ବର୍ଷା ଉତ୍ତର ଉପକୂଳରେ ଅପେକ୍ଷାକୃତ ଅଧିକ ରହିବ। ଦ୍ବିତୀୟ ସପ୍ତାହରେ ଏହା ସାରା ରାଜ୍ୟକୁ ପ୍ରଭାବିତ କରିବ। ରାଜ୍ୟରେ ଲଘୁଚାପଜନିତ ବର୍ଷା ହେବାର କୌଣସି ସମ୍ଭାବନା ନାହିଁ । କେନ୍ଦ୍ରୀୟ ଓ ଦକ୍ଷିଣ ଓଡ଼ିଶାରେ ମେ’ ପ୍ରଥମ ସପ୍ତାହରେ ତାପମାତ୍ରା କିଛି କମ୍‌ ରହିବ। ଅଳ୍ପ କିଛି ସ୍ଥାନରେ ୪୦ ଡିଗ୍ରିରୁ ଅଧିକ ରହିବ। ଦ୍ବିତୀୟ ସପ୍ତାହରେ ବିଶେଷ କରି ୯ ତାରିଖଠାରୁ ସ୍ୱାଭାବିକ ତାପମାତ୍ରା ପୁଣି କମିବ। ଭୁବନେଶ୍ବରରେ ମେ’ ୧୫ ପର୍ଯ୍ୟନ୍ତ ତାପମାତ୍ରା ୩୭ରୁ ୩୮ ଡିଗ୍ରି ତଳେ ରହିବ ବୋଲି ଶ୍ରୀ ପଶୁପାଳକ କହିଛନ୍ତି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ। ରାଜ୍ୟର ପ୍ରାୟ ଜିଲ୍ଲାରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ଏଥିପାଇଁ କେନ୍ଦ୍ର ପକ୍ଷରୁ ଆସନ୍ତା ୪ ଦିନ ପାଇଁ ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଆଜି ଉତ୍ତର ଉପକୂଳ ଓଡ଼ିଶା ସମେତ ରାଜ୍ୟର ଅନେକ ଜିଲ୍ଲାରେ ଘଡ଼ଘଡ଼ି, ବିଜୁଳି ସହ ବର୍ଷା ହୋଇଥିବାର ସୂଚନା ମିଳିଛି। ୨ ତାରିଖ ଦିନ ଉତ୍ତର ଉପକୂଳ ଜିଲ୍ଲାଗୁଡ଼ିକ ସମେତ କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ମା‌ଲକାନଗିରି, ରାୟଗଡ଼ା, ଗଜପତି, ନବରଙ୍ଗପୁର ଓ ଗଞ୍ଜାମ ଏବଂ ୩ ତାରିଖ ଦିନ ଉପକୂଳ ଜିଲ୍ଲାଗୁଡ଼ିକ ସମେତ କନ୍ଧମାଳ, କେନ୍ଦୁଝର ଓ ‌ମୟୂରଭଞ୍ଜ ଆଦି ଜିଲ୍ଲ‌ାରେ କାଳବୈଶାଖୀ ବର୍ଷା ହେବ। ୪ ତାରିଖ ଦିନ ପବନର ବେଗ ବଢ଼ିବ। ଘଣ୍ଟାପ୍ରତି ୩୦ରୁ ୪୦ କିମି ପବନ ସହ ବଲାଙ୍ଗୀର, ସୋନପୁର, କନ୍ଧମାଳ, ବୌଦ୍ଧ, ନୟାଗଡ଼, ଖୋର୍ଧା, ଅନୁଗୁଳ, ଢେଙ୍କାନ‌ାଳ, କେନ୍ଦୁଝର, ମୟୂରଭଞ୍ଜ, ଗଞ୍ଜାମ, ବାଲେଶ୍ବର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା‌ରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ଏଥିପାଇଁ କେନ୍ଦ୍ର ପକ୍ଷରୁ ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।