ଦୋହଲାଇ ଦେଲା କାଳବୈଶାଖୀ ! ଗଛ ପଡ଼ି ବରଗଡ଼ରେ ଗଲା ଜଣଙ୍କର ଜୀବନ, ପାଣିପାଗ ବିଭାଗର ପୂର୍ବାନୁମାନ ୬ଯାଏଁ ରହିବ ପ୍ରଭାବ

52

କନକ ବ୍ୟୁରୋ : ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ତାଣ୍ଡବ । ବିଶେଷ କରି ବରଗଡ଼, କେନ୍ଦୁଝର, ବଲାଙ୍ଗୀର ଜିଲ୍ଲାରେ କାଳବୈଶାଖୀ ଯୋଗୁଁ ଝଡ଼ବର୍ଷା ହୋଇଛି । କୂଆପଥର ବର୍ଷା ଓ ଘଡଘଡ଼ି ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । କାଳବୈଶାଖୀ ପ୍ରଭାବରେ ଗତକାଲି ଆଉ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ବରଗଡ଼ ବ୍ଲକ ଅନ୍ତର୍ଗତ କଣ୍ଟାପାଲି ନିକଟ ପତକାରପଲ୍ଲୀ ଗାଁର ମନେଇ ଗୋଚ୍ଛାୟତ(୪୨) । ଅପରାହ୍ନରେ ଝଡ଼ତୋଫାନ ବହିବା ସମୟରେ ମନେଇ ଆଉ ଜଣେ ବ୍ୟକ୍ତିଙ୍କ ସହ ଗଛ ତଳେ ଆଶ୍ରୟ ନେଇଥିଲେ । ସେହିସମୟରେ ଗଛ ଡ଼ାଳ ଭାଙ୍ଗି ଉଭୟଙ୍କ ଉପରେ ପଡ଼ିଥିଲା । ଏଥିରେ ମନେଇଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣଙ୍କ ଗୁରୁତର ହୋଇଥିଲେ । ତାଙ୍କୁ ଚିକିତ୍ସା ଲାଗି ମେଡ଼ିକାଲରେ ଭର୍ତ୍ତି କରାଯାଇଛି। କାଳବୈଶାଖୀର ପ୍ରଭାବରେ କେନ୍ଦୁଝର ଜିଲ୍ଲାର ମଧ୍ୟ କିଛି ଅଞ୍ଚଳରେ ଆଜି କୁଆପଥର ବର୍ଷା ହୋଇଥିବା ସୂଚନା ମିଳିଛି ।

ବରଗଡ଼ରେ ଜଣଙ୍କର ମୃତ୍ୟୁ ପରେ ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଶନିବାର ନୟାଗଡ଼ ବ୍ଲକ ଅନ୍ତର୍ଗତ ସରପଡ଼ା ଗ୍ରାମର ପୂର୍ଣ୍ଣଚନ୍ଦ୍ର ମହାନ୍ତି(୬୮)ଙ୍କ ମୃତ୍ୟୁ ହୋଇଥିବା ବେଳେ ମାର୍ଚ୍ଚ ୩୦ରେ ଗଜପତି ଜିଲ୍ଲାର ନିଦ୍ରାବତୀ ମଲ୍ଲିକ(୨୮)ଙ୍କର ବଜ୍ରାଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଥିଲା । ଦୁଇ ଦିନ ହେଲା ଉତ୍ତର ଓଡ଼ିଶାରେ କାଳବୈଶାଖୀ ହେଉଥିବା ବେଳେ ଆଜି ସାରା ଓଡ଼ିଶାରେ କାଳବୈଶାଖୀର ପ୍ରଭାବ ପଡ଼ିଛି । ଗତ ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱରରେ ସର୍ବାଧିକ ୪୪ ମିଲିମିଟର ବର୍ଷା ହୋଇଥିବା ଜଣାପଡ଼ିଛି । ଏହାବ୍ୟତୀତ ବାରିପଦାରେ ୧୮, ପାରାଦ୍ୱୀପରେ ୧୫, କୋରାପୁଟରେ ୧୩.୬, କେନ୍ଦୁଝରରେ ୮, ଚାନ୍ଦବାଲିରେ ୬.୮, ସୁନ୍ଦରଗଡ଼ ଓ ବଲାଙ୍ଗିରରେ ୩ ମିମି ଲେଖାଏ ବର୍ଷା ହୋଇଛି। ଏଥିସହ ଭୁବନେଶ୍ୱର, କଟକ, ଝାରସୁଗୁଡ଼ା, ଫୁଲବାଣୀ ପ୍ରଭୃତି ସ୍ଥାନରେ କାଳବୈଶାଖୀର ପ୍ରକୋପ ଦେଖିବାକୁ ମିଳିଛି । ବର୍ଷା ସାଙ୍ଗକୁ ପବନ ହେବାରୁ ଜନଜୀବନ ପ୍ରଭାବିତ ହୋଇଛି। କେତେକ ସ୍ଥାନରେ ଗଛ ଭାଙ୍ଗିପଡ଼ିଥିବା ସୂଚନା ମିଳିଛି । ବିଦ୍ୟୁତ ସଂଯୋଗ ମଧ୍ୟ ବ୍ୟାହତ ହୋଇଥିବା ଆମ ଜିଲ୍ଲା ପ୍ରତିନିଧିମାନଙ୍କଠାରୁ ସୂଚନା ମିଳିଛି ।

ସେହିପରି ଯାଜପୁର ମ୍ୟୁନିସପାଲଟିର ୧୫୦ତମ ପୂର୍ତ୍ତି ଉପଲକ୍ଷେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବାବେଳେ କାଳବୈଶାଖୀ ପ୍ରଭାବରେ ମଞ୍ଚ ଭୁଶୁଡ଼ି ପଡ଼ିଛି । ଯେଉଁଥିପାଇଁ ସଂଧ୍ୟାରେ ହେବାକୁ ଥିବା ‘ସୋନୁ ନିଗମ୍‌ ନାଇଟ୍‌’ କାର୍ଯ୍ୟକ୍ରମ ବାତିଲ୍‌ ହୋଇଯାଇଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ କହିଛନ୍ତି ଯେ, ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଜାରି ରହିବ । କେନ୍ଦୁଝର, ବାଲେଶ୍ୱର, ବଲାଙ୍ଗୀରରେ ଆଜି ବର୍ଷା ଓ ପବନ ହୋଇଛି। ୬ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶା ସମେତ ଗଜପତି, କେନ୍ଦୁଝର, ମୟୂରଭଞ୍ଜରେ କାଳବୈଶାଖୀ ପ୍ରଭାବ ରହିବ । କେତେକ ସ୍ଥାନରେ ଘଣ୍ଟା ପ୍ରତି ୫୦ରୁ ୬୦ କି.ମି. ବେଗରେ ପବନ ବହିବା ସହ କୁଆପଥର ବର୍ଷା ହୋଇପାରେ ବୋଲି ଶ୍ରୀ ସାହୁ କହିଛନ୍ତି ।

ପାଣିପାଗ ବିଜ୍ଞାନୀ ତଥା ଓୟୁଏଟି କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ କହୁଛି ଯେ ୬ ତାରିଖ ଯାଏ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେବ । କିନ୍ତୁ ରବିବାର ଅପେକ୍ଷା କମ୍‌ ସ୍ଥାନରେ ବର୍ଷା ହେବ। ମୁଖ୍ୟତଃ ଦକ୍ଷିଣ ଉପକୂଳବର୍ତୀ ଜିଲ୍ଲାଗୁଡ଼ିକରେ ବର୍ଷାର ସମ୍ଭାବନା ଅଧିକ ରହିଛି । ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳରେ ଆସନ୍ତା ୪ ଓ ୫ ତାରିଖରେ ଅଧିକ ବର୍ଷା ହୋଇପାରେ । ଉତ୍ତର ଓଡ଼ିଶାର ସୀମାନ୍ତବର୍ତ୍ତୀ ଜିଲ୍ଲାଗୁଡ଼ିକରେ ୫ରୁ ୭ ତାରିଖ ଯାଏ ତାପମାତ୍ରା ବଢ଼ିପାରେ । ଅଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ୯ ଓ ୧୦ ତାରିଖ ବେଳକୁ ବର୍ଷାର ସମ୍ଭାବନା ରହିଛି । ରବିବାର ସାରା ଓଡ଼ିଶାରେ ବଙ୍ଗୋପସାଗରୀୟ ପବନ ଉତ୍ତର ଭାରତକୁ ପ୍ରବାହିତ ହୋଇଥିଲା ।

ଆସନ୍ତାକାଲିଠାରୁ ଉତ୍ତର ଓଡ଼ିଶାରେ ବାୟୁ ମୁଖ୍ୟତଃ ଉତ୍ତର ପୂର୍ବ ଦିଗରୁ ବହିବାର ସମ୍ଭାବନା ଥିବାରୁ ବର୍ଷା ସମ୍ଭାବନା କମ୍‌ ରହିଛି । ୧୪ ତାରିଖ ପର୍ଯ୍ୟନ୍ତ ପାଗ ଆଂଶିକ ମେଘୁଆ ରହିବ । ସ୍ଥାନେ ସ୍ଥାନେ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ସହ ପବନ ହେଲେ ଆମ୍ବ ସମେତ କେତେକ ଫସଲ ନଷ୍ଟ ହୋଇପାରେ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି । ଅନ୍ୟପକ୍ଷରେ ଆଜି ସୋନପୁରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୧.୨ ଡିଗ୍ରି ରେକର୍ଡ ହୋଇଛି । ବଲାଙ୍ଗୀରରେ ୩୯.୨, ଭବାନୀପାଟଣାରେ ୩୯, ଅନୁଗୁଳରେ ୩୮.୭, ସମ୍ବଲପୁର ଓ ମାଲକାନଗିରିରେ ୩୮ ଡିଗ୍ରି ଲେଖାଏ ରେକର୍ଡ ହୋଇଛି ।