ଫସଲ ଧୋଇ ନେଲା ଅଦିନିଆ ବର୍ଷା ! କାଳବୈଶାଖୀ ବର୍ଷାରେ ଜମିରେ ଶୋଇଲା ପାଚିଲା ଧାନ, କରଜ ସୁଝିବା ଚିନ୍ତାରେ ଚାଷୀ

44

କନକ ବ୍ୟୁରୋ : କାଳବୈଶାଖୀର ପ୍ରଭାବରେ ଏବେ ବେହାଲ ଚାଷୀ । ପୁରୀ ଜିଲ୍ଲାର କଣାସ ଓ ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି ଅଦିନିଆ ବର୍ଷା । ଧାନ କ୍ଷେତରେ ବର୍ଷା ଜଳ ଜମି ରହିବା ଫଳରେ ଧାନ ଅମଳ କରିବା ଚାଷୀଙ୍କ ପାଇଁ ବଡ ସମସ୍ୟା ଭାବରେ ଉଭା ହୋଇଛି ।

ଧାନ ଜମିରେ ଠିଆ ହୋଇଛି ଆଂଠୁଏ ଉଚ୍ଚର ବର୍ଷା ପାଣି । ସୁନାର କ୍ଷେତରେ ବର୍ଷା ପାଣି ଲହଡି ମାରୁଛି । ପାଣିରୁ ବର୍ଷକର ଆହାର ସଂଗ୍ରହ କରୁଛନ୍ତି ଚାଷୀ । ଏସ୍ଥିତି ହେଉଛି କାଳବୈଶାଖୀ ପ୍ରଭାବରେ ଅଦିନିଆ ବର୍ଷା ପରର । ପୁରୀ ଜିଲ୍ଲା କଣାସ ବ୍ଲକ ବିଜିପୁରର ଚାଷୀ ଆଉ ଦିନ କେଇଟା ପରେ କ୍ଷେତରୁ ଧାନ କାଟି ଅମଳ କରିଥାନ୍ତେ । ଚଳିତବର୍ଷ ଡାଳୁଅ ଧାନ ଭଲ ହୋଇଥିବାରୁ ବର୍ଷକ ପାଇଁ ଖାଦ୍ୟ ରଖିବା ସହ ବଳକା ଧାନ ବିକ୍ରି କରି ଧାର କରଜ ସୁଝିବାର ଆଶା ରଖିଥିଲେ ଚାଷୀ । ହେଲେ ଚାଷୀକୂଳର ସେହି ଆଶାକୁ ଧୂଳିସାତ କରି ଦେଇଛି ଧୂଳିଝଡ । ଏଭଳି ସ୍ଥିତିରେ ସରକାରୀ କ୍ଷତପୂରଣକୁ ଅପେକ୍ଷା କରିଛନ୍ତି ଚାଷୀ । ସେପେଟ ଏକ ଟିମ୍ ଗଠନ କରାଯାଇଛି, ଚାଷୀଙ୍କ କ୍ଷୟକ୍ଷତିର ସଠିକ୍ ଆକଳନ କରିବା ପରେ ସରକାରଙ୍କୁ ଏକ ରିପୋର୍ଟ ଜିଲ୍ଲାପାଳଙ୍କୁ ଦିଆଯିବ ବୋଲି କହିଛନ୍ତି ଜିଲ୍ଲା କୃଷି ଅଧିକାରୀ

ବାଲେଶ୍ୱର ଜିଲ୍ଲାରେ କିଛି କମ୍ ତାଣ୍ଡବ କରିନି କାଳବୈଶାଖୀ । ଅଦିନିଆ ବର୍ଷା ସାଙ୍ଗକୁ ପବନରେ ଜମିରେ ଲୋଟି ପଡିଛି ଅମଳ କ୍ଷମ ଧାନ ଗଛ । କେତେକ ସ୍ଥାନରେ ଚାଷୀ ପାଣିରୁ କଟା ଧାନଗଛକୁ ଛାଣି ରାସ୍ତାରେ ସୁଖାଉଛି । ଜିଲ୍ଲାର ଜଳେଶ୍ୱର ଅଂଚଳରେ ବ୍ୟାବକ ଡାଳୁଅ ଧାନ ନଷ୍ଟ ହୋଇଛି । ପବନ ଯୋଗୁଁ କେଣ୍ଡାରୁ ଧାନ ଝଡି ପଡୁଥିବା ବେଳେ କ୍ଷେତରେ ପାଣି ଜମି ରହିଛି । ଜଳେଶ୍ୱର, ନାମ୍ପ, ନହରା, ଛ-ମୌଜା, ବର୍ତନା, ପଶ୍ଚିମବାର୍ଡ ଅଂଚଳରେ ଧାନ ଗଜା ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି ।