ଟଳିନି ଯୁଦ୍ଧ ପରିସ୍ଥିତି ! ଆମେରିକାକୁ ପୁଣି ଧମକ ଦେଲା ଉତ୍ତର କୋରିଆ, ଦକ୍ଷିଣ କୋରିଆ ସହ ହେବାକୁ ଥିବା ଆଲୋଚନା ରଦ୍ଦ କଲେ କିମ୍ ଜଙ୍ଗ୍ ଉନ୍

36

କନକ ବ୍ୟୁରୋ : ଦକ୍ଷିଣ କୋରିଆ ସହ ହେବାକୁ ଥିବା ଉଚ୍ଚସ୍ତରୀୟ ବୈଠକକୁ ରଦ୍ଦ କରିଛି ଉତ୍ତର କୋରିଆ । ଯାହାର ପ୍ରମୁଖ କାରଣ ହେଲା ଆମେରିକା ଓ ଦକ୍ଷିଣ କୋରିଆ ମଧ୍ୟରେ ଚାଲିଥିବା ସଂଯୁକ୍ତ ସୈନ୍ୟ ଅଭ୍ୟାସ ‘ମ୍ୟାକ୍ସ ଠଣ୍ଡର’ । ଏହା ପୂର୍ବରୁ ଉଭୟ ନେତା କିମ୍ ଜଙ୍ଗ୍ ଉନ୍ ଓ ମୁନ୍ ଜେ ଇନଙ୍କ ମଧ୍ୟରେ ଗତ ମାସ ୨୭ ଅପ୍ରେଲରେ ଆଲୋଚନା ହୋଇଥିଲା । ୧୯୫୩ରେ ହୋଇଥିବା ବିଧ୍ୱଂଶକ କୋରିଆ ଯୁଦ୍ଧର ପାଖାପାଖି ୬ ଦଶକରୁ ଅଧିକ ସମୟ ପରେ କିମ୍ ଜଙ୍ଗ୍ ଉତ୍ତର କୋରିଆର ପ୍ରଥମ ଏପରି ନେତା ଯିଏ ଦକ୍ଷିଣ କୋରିଆ ସହ ସମ୍ମନ୍ଧ ଆଗକୁ ବଢ଼ାଇଥିଲେ । ଆଉ ଆଲୋଚନା ପାଇଁ ସେଠାକୁ ଯାଇଥିଲେ ।

ଦୁଇ କୋରିଆ ମଧ୍ୟରେ ଶାନ୍ତି ସ୍ଥାପନ ପାଇଁ ହୋଇଥିଲା ଐତିହାସିକ ବୈଠକ । ଅହି-ନକୁଳ ସମ୍ପର୍କ ପାଇଁ ପରିଚିତ ଦୁଇ ଦେଶ ଉତ୍ତର କୋରିଆ ଓ ଦକ୍ଷିଣ କୋରିଆ ମଧ୍ୟରେ ସମ୍ପର୍କ ସୁଧାରିବା ପାଇଁ ଆରମ୍ଭ ହୋଇଥିଲା ଉଦ୍ୟମ । ଦୁଇ ଦେଶର ସୀମାରେ ଅବସ୍ଥିତ ଡିମିଲିଟ୍ରାଇଜ୍ ଜୋନ୍ ବା ଅଣସାମରିକ କ୍ଷେତ୍ରରେ ପରସ୍ପରକୁ ଭେଟିଲେ ଉନ୍ ଓ ମୁନ୍ । ଏହି ଐତିହାସିକ ସାକ୍ଷାତ ଆଲୋଚନାକୁ ‘ଇଂଟର କୋରିଆନ୍ ସମିଟ୍’ ଭାବେ ନାମିତ କରାଯାଇଥିଲା । ସେଠାରେ ଉଭୟ ଦେଶର ରାଷ୍ଟ୍ରମୁଖ୍ୟ ହାତ ମିଳାଇଥିଲେ ।

ତେବେ ଉଭୟ ଦେଶ ମଧ୍ୟରେ ଆଲୋଚନା ହେବା ପରେ ମଧ୍ୟ ଏବେ ସ୍ଥିତିରେ ସୁଧାର ଆସିନି । ଆମେରିକା ଓ ଦକ୍ଷିଣ କୋରିଆର ମିଳିିତ ସୈନ୍ୟଅଭ୍ୟାସ ଯୋଗୁଁ କିମ୍ ଖପ୍ପା ଅଛନ୍ତି । ଏଥିପାଇଁ ଦକ୍ଷିଣ କୋରିଆ ସହ ଥିବା ବୈଠକକୁ ରଦ୍ଦ କରିଛନ୍ତି କିମ୍ ଜଙ୍ଗ୍ ଉନ୍ । ଏହା ବ୍ୟତୀତ ଆମେରିକାକୁ ମଧ୍ୟ ଧମକ ଦେଇଛି ଉତ୍ତର କୋରିଆ । ଟ୍ରମ୍ପ ଓ କିମ୍ ଜଙ୍ଗ୍ ଉନଙ୍କ ମଧ୍ୟରେ ହେବାକୁ ଥିବା ବୈଠକକୁ ମଧ୍ୟ ରଦ୍ଦ କରିବା ପାଇଁ ଧମକ ଦେଇଛି ଉତ୍ତର କୋରିଆ ।

ଏହି ସୂଚନା ଦକ୍ଷିଣ କୋରିଆରର ଏକ ନ୍ୟୁଜ୍ ୱେବସାଇଟରୁ ମିଳିଛି । ସୂଚନା ଅନୁସାରେ ଉତ୍ତର କୋରିଆର ନେତା କିମ ଜଙ୍ଗ୍ ଉନ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟରେ ୧୨ ଜୁନରେ ସିଙ୍ଗାପୁରରେ ଆଲୋଚନା ହେବାକୁ ଥିଲା । ତେବେ ଆଗକୁ ଏହି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇପାରିବ କି ନାହିଁ ସନ୍ଦେହ ଉପୁଜିଛି । ଅନ୍ୟପଟେ ଆମେରିକା କହିଛି ଉତ୍ତର କୋରିଆର ସହ ଶିଖର ସମ୍ମିଳନୀର ପ୍ରସ୍ତୁତି ଚାଲିଛି । ଆମେରିକା ତରଫରୁ ସ୍ପଷ୍ଟ କରାଯାଇଛି ଉଭୟ ଦେଶ ମଧ୍ୟରେ ହେବାକୁ ଥିବା ଆଲୋଚନା ନିଶ୍ଚିତ ହେବ ।