ସ୍ୱାଭାବିକ ହେଲା ଉତ୍କଳ ବିଶ୍ୱବିଦ୍ୟାଳୟ ! ସାଇନ-ଏ-ଡାଏ ପ୍ରତ୍ୟାହାର ସହ ଆଜିଠୁ ପାଠପଢା

29

କନକ ବ୍ୟୁରୋ : ସ୍ୱାଭାବିକ ହେଲା ଉତ୍କଳ ବିଶ୍ୱବିଦ୍ୟାଳୟ । ଆଜି ସାଇନ-ଏ-ଡାଏ ପ୍ରତ୍ୟାହୃତ କରାଯାଇଛି ଏହାସହ ଆଜି ପାଠପଢା ମଧ୍ୟ ଆରମ୍ଭ ହେବ । ଗତକାଲି ପୋଲିସ କମିଶନରଙ୍କ ଅଧ୍ୟକ୍ଷତାରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏଭଳି ନିଷ୍ପତି ନିଆଯାଇଛି । ବିଶ୍ୱବିଦ୍ୟାଳୟର ୮ ଜଣିଆ ଟିମ ସହ ପୁଲିସ କମିଶନରଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି ।

ଏହି ବୈଠକରେ ଉତ୍କଳ ବିଶ୍ୱବିଦ୍ୟାଳୟର ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି । ସେହିପରି କ୍ୟାମ୍ପସରେ ସିସିଟିଭି ଲଗାଇବା ପାଇଁ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଛାତ୍ରଛାତ୍ରୀଙ୍କ ପରିଚୟପତ୍ର ଯାଂଚ ପରେ ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯିବ । କ୍ୟାମ୍ପସ ଖୋଲିବା ପରେ ପୁଣି ଥରେ ଛାତ୍ର ସଂସଦ ନିର୍ବାଚନ କରିବାକୁ ଏକ ଗୋଷ୍ଠୀ ଧମକ ଦେଇଥିବାରୁ ସୁରକ୍ଷାକୁ ବଢାଇଦିଆଯାଇଛି ।

ଗତମାସରେ ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ କ୍ୟାମ୍ପସରେ ଘନ ଘନ ବୋମାମାଡ ହୋଇଥିଲା । ଫଳରେ ରାତିଅଧିଆ କ୍ୟାମ୍ପସକୁ ସାଇନ-ଏ-ଡାଏ ଘୋଷଣା କରାଯାଇଥିଲା । ଏହାକୁ କେନ୍ଦ୍ରକରି କ୍ୟାମ୍ପସରେ ପୋଡାଜଳା ଓ ଭଙ୍ଗାରୁଜା ହୋଇଥିଲା ।