ଏବର୍ଷ ସ୍ବାଭାବିକ ବର୍ଷା .. ଜୁଲାଇରେ ଅଧିକ ବର୍ଷିବ, ଅଗଷ୍ଟରେ ଟିକିଏ କମିବ

555

କନକ ବ୍ୟୁରୋ : ଦକ୍ଷିଣ-ପଶ୍ଚିମ ମୌସୁମୀ ଆଜି କେରଳ ଛୁଇଁଛି । ଏହା ଫଳରେ କେରଳରେ ଆସନ୍ତା ଦୁଇ ତିନିଦିନ ଯାଏଁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ସ୍ପଷ୍ଟ କରିଛି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି,  କେରଳରେ ମୌସୁମୀ ପ୍ରବେଶ କରିଛି ଓ ଏହାର ଅଗ୍ରଗତି ପାଇଁ ପରିସ୍ଥିତି ଅନୁକୂଳ ରହିଛି । ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ଚଳିତ ବର୍ଷ ଜୁନରୁ ସେପ୍ଟେମ୍ବର ମଧ୍ୟରେ ମୌସୁମୀ ପ୍ରଭାବ ୯୬ରୁ ୧୦୪ ପ୍ରତିଶତ ମଧ୍ୟରେ ରହିବ ।

ଦେଶର ଉତ୍ତର-ପଶ୍ଚିମାଞ୍ଚଳରେ ହାରାହାରି ୧୦୭ ପ୍ରତିଶତ ବୃଷ୍ଟିପାତ ରହିବ, କେନ୍ଦ୍ରୀୟ ଭାରତରେ ୧୦୩ ପ୍ରତିଶତ, ଦକ୍ଷିଣ ଭାରତରେ ୧୦୨ ପ୍ରତିଶତ ଓ ଉତ୍ତର ଓ ପୂର୍ବଭାରତରେ ୯୭ ପ୍ରତିଶତ ରହିବ ସେହିପରି ଜୁଲାଇରେ ସ୍ବାଭାବିକଠାରୁ ୩ ପ୍ରତିଶତ ଅଧିକ ଓ ଅଗଷ୍ଟରେ ସ୍ବାଭାବିକଠାରୁ ୩ ପ୍ରତିଶତ କମ ବର୍ଷା ହେବ ।

କରୋନା ମହାମାରୀ ଯୋଗୁଁ ଦେଶର ଅର୍ଥନୀତି ମାନ୍ଦାବସ୍ଥା ଦେଇ ଗତି କରୁଥିବାରୁ ସ୍ବାଭାବିକ ବର୍ଷା ସରକାରଙ୍କ ପାଇଁ ଖୁସି ଖବର ଆଣିଦେଇଛି । ଦେଶର ଏକ ବଡ଼ଭାଗ ଚାଷ ଉପରେ ନିର୍ଭର କରୁଥିବାରୁ ମୌସୁମୀ ପ୍ରବାହ ସମଗ୍ର ଦେଶର ଅର୍ଥନୀତିକୁ ପ୍ରଭାବିତ କରିଥାଏ। ଏବର୍ଷ  ଦକ୍ଷିଁଣ-ପଶ୍ଚିମ ମୌସୁମୀ ପ୍ରବାହ ସ୍ବାଭାବିକ ରହିବ ବୋଲି  ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବରୁ ନିଜର ଆଗୁଆ ପୂର୍ବାନୁମାନରେ କୁହାଯାଇଥିଲା ।