ଲକଡାଉନ୍ ମଧ୍ୟରେ ଆମିଷ ଦର ଉପରମୁହାଁ : ଚିକେନ୍ ୧୭୦, ଭାକୁର ୩୦୦

Advertisment
ଲକଡାଉନ୍ ମଧ୍ୟରେ ଆମିଷ ଦର ଉପରମୁହାଁ : ଚିକେନ୍ ୧୭୦, ଭାକୁର ୩୦୦

http://sambad.in/

କନକ ବ୍ୟୁରୋ : କରୋନା ଏମିତି ଆତଙ୍କ ଖେଳାଇଲା ଯେ ଲୋକେ ଏକରକମ ଚିକେନ ଖାଇବା ଛାଡ଼ି ଦେଇଥିଲେ। ଅଣ୍ଡା ବି ଛୁଇଁଲେ ନ‌ାହିଁ । ମାତ୍ର, ସରକାର ଲକ୍‌ଡାଉନ୍‌ ସହ ଯେବେ ଘୋଷଣା କଲେ ଯେ ଚିକେନ୍‌ ଓ ଅଣ୍ଡା ଦୋକାନ ଖୋଲା ରହିବ, ସେବେଠୁ ଯେମିତି ଆମିଷ ଦରରେ ନିଆଁ ଲାଗିଛି । ଆମିଷାଷୀମାନଙ୍କ ଆମିଷ ପ୍ରୀତି ଦେଖି ବ୍ୟବସାୟୀମାନେ ବି କିଛି ଦିନ ତଳେ ସହିଥିବା କ୍ଷତିର ଭରଣା ଉଠାଇବାରେ ଲାଗି ପଡ଼ିଛନ୍ତି । ଯୋଉଠି କୁକୁଡ଼ା ଗୋଟା ପିଛା ୨୦ କି ୩୦ ଟଙ୍କାରେ ଯଚା ଯାଉଥିଲା, ଏବେ ଚିକେନ ଦର କେଜି ପ୍ରତି ୧୭୦ ଟଙ୍କା ଛୁଇଁଲାଣି । ଏଇ ୩ ଦିନ ତଳେ ଚିକେନ୍‌ କେଜି ୧୦୦ଟଙ୍କାରେ ବିକ୍ରି ହେଉଥିଲା । ମାତ୍ର ଆଉ ଦିନ କେଇଟା ପରେ ଏହା ୨ଶହ ଛୁଇଁବ ବୋଲି ବ୍ୟବସାୟୀମାନେ ଇସାରା ଦେଇସାରିଲେଣି ।

ପିପିଲି ଓ ଖୋର୍ଧା ଭଳି ସ୍ଥାନୀୟ କୁକୁଡ଼ା ଫାର୍ମ ବନ୍ଦ ହୋଇଯିବା ପରେ ଚିକେନ୍‌ ଦର ଏପରି ଅଚାନକ ବୃଦ୍ଧି ପାଇଛି। କିଛି ଦିନ ତଳେ ଏଇ କରୋନା ପାଇଁ ଲୋକେ ଆତ୍ମଘୋଷିତ ଭାବେ ଚିକେନ୍‌ ଓ ଅଣ୍ଡା ଖାଇବା ଛାଡ଼ିଦେଲେ। ଏପରିକି ନିକଟ ଅତୀତରେ କିଛି କୁକୁଡ଼ା ଅଚାନକ ମରି ଯାଇଥିଲେ। କରୋନା ଯୋଗୁଁ ଗୋଟା କୁକୁଡ଼ା ଦର ଯେତେବେଳେ ୧୦-୨୦ ଟଙ୍କାକୁ ହ୍ରାସ ପାଇଲା, କୁକୁଡ଼ା ଚାଷୀଙ୍କ ଦାନା ଖର୍ଚ୍ଚ ତ ଦୂରେ ଥାଉ କୁକୁଡ଼ାକୁ ଦୋକାନରେ ପହଞ୍ଚାଇବା ଖର୍ଚ୍ଚ ବି ଚାଷୀ ପାଇଲା ନାହିଁ। କରୋନା ଭୟ ଓ ଅଭାବୀ ବିକ୍ରି ଯୋଗୁଁ ଲୋକେ ଆଉ ଦାନା ଦେଇ ଫାର୍ମ କୁକୁଡ଼ାଙ୍କୁ ବେଶି ଦିନ ବଞ୍ଚେଇ ରଖିବା ଉଚିତ ମନେ କଲେ ନାହିଁ। ତେଣୁ ଗାତ ଖୋଳି କୁକୁଡ଼ାଙ୍କୁ ଜିଅନ୍ତା କବର ଦେଇଦେଲେ। ଏବେ ଯଦିଓ କୁକୁଡ଼ା ୭୦ ଟଙ୍କା ଲେଖାଏଁ କିଣା ଯାଉଛି, କିନ୍ତୁ ଉତ୍ପାଦନ କମି ଯାଇଛି।

ସୀମିତ ସଂଖ୍ୟାରେ କୁକୁଡ଼ା ଆସୁଥିବାରୁ ଚିକେନ୍‌ ଦର ବୃଦ୍ଧି ପାଇଛି ବୋଲି ଚିକେନ ବ୍ୟବସାୟୀ ସଂଘର ସମ୍ପାଦକ ପ୍ରଶାନ୍ତ କୁମାର ମଲିଆ କହିଛନ୍ତି। ତାଙ୍କ କହିବା ମୁତାବକ, ବଡ଼ କୁକୁଡ଼ା ଆଉ ନାହିଁ, ଯାହା ଅଛି ୧ କେଜିରୁ ୧୧୦୦ ଗ୍ରାମ ଓଜନ ବିଶିଷ୍ଟ। ତାହା ବି କମ୍‌ ଥିବାରୁ କୁକୁଡ଼ା ଫାର୍ମ ବ୍ୟବସାୟୀଙ୍କଠାରୁ ୭୦ଟଙ୍କାରେ କିଣା ଯାଉଛି। ସେଥିରୁ ମାତ୍ର ୬୦ ପ୍ରତିଶତ ମାଂସ ବାହାରୁଛି। ତେଣୁ ମାଂସର ଦର ବୃଦ୍ଧି କରିବାକୁ ବାଧ୍ୟ ହୋଇଛୁ। ଆଗାମୀ କିଛି ମାସ ମଧ୍ୟ ଚିକେନ୍‌ ଦର ଆହୁରି ବୃଦ୍ଧି ପାଇବ ‌ବୋଲି ସେ କହିଛନ୍ତି। ଖାଲି ଚିକେନ୍‌ ନୁହେଁ, ଅଣ୍ଡା ଦର ବି ଗୋଟା ୭ ଟଙ୍କାରେ ପହଞ୍ଚିଛି। ଆନ୍ଧ୍ର ଉପରେ ଅଣ୍ଡା ପାଇଁ ଓଡ଼ିଶା ନିର୍ଭରଶୀଳ ଥିବା ବେଳେ ଆବଶ୍ୟକତାଠାରୁ କମ୍‌ ଆସୁଛି। ତେଣୁ ମୂଲ୍ୟ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି।

ମଟନ୍‌ ଦର ୭୦୦ ଟଙ୍କାରେ ପହଞ୍ଚିଥିଲେ ହେଁ ଏଥିରେ ଏତେଟା ଫରକ ପଡ଼ି ପାରିନାହିଁ । ମାତ୍ର ମାଛ ‌ଦର ବି ଅଚାନକ ବଢ଼ି ଯାଇଛି। ଭାକୁର ମାଛ କେଜି ୩୦୦ ଓ ରୋହି ମାଛ କେଜି ୨୦୦ ଟଙ୍କାରେ ବିକ୍ରି ହୋଇଛି । ୪ ନମ୍ବରରେ ୨ଶହ ଦୋକାନ ମଧ୍ୟରୁ ମାତ୍ର ୧୫ରୁ ୨୦ଟି ଦୋକାନ ଖୋଲିଥିବା ବେଳେ ଲୋକଙ୍କୁ ମାଛ ଯୋଗାଇବା ସମ୍ଭବ ନଥିଲା । ମାଛ ଗାଡ଼ି ଓଡ଼ିଶାରେ ପହଞ୍ଚି ନଥିବାରୁ ଯେତିକି ମାଛ ମହଜୁଦ୍‌ ଥିଲା ଏବଂ ଦେଶୀ ମାଛ ଯେତିକି ଆସିଥିଲା, ତାହା ଅଧିକ ଦରରେ ବିକ୍ରି ହୋଇଥିଲା ବୋଲି ଖୁଚୁରା ମାଛ ବ୍ୟବସାୟୀ ସଂଘର ସଭାପତି । ସଭାପତିଙ୍କ କହିବା ମୁତାବକ, ମାଛ ପାଇଁ ଆନ୍ଧ୍ର ଉପରେ ଓଡ଼ିଶା ୯୦ ପ୍ରତିଶତ ନିର୍ଭରଶୀଳ। ଏହା ବ୍ୟତୀତ ଭୁବନେଶ୍ବରକୁ ନିକଟସ୍ଥ ବାଳକାଟୀରୁ ମାତ୍ର ୧୦ ପ୍ରତିଶତ ମାଛ ଆସ‌େ। ଏବେ ଲକ୍‌ଡାଉନ୍‌ ଥିବାରୁ ଆନ୍ଧ୍ରରେ ଅନେକ ମାଛ ଚାଷୀଙ୍କଠୁ ନେଇ, ମାଛ ଧରା ଲୋକେ, ଟ୍ରକ୍‌ କର୍ମଚାରୀମାନେ କରୋନା ଭୟରେ ଘରୁ ବାହାରୁନାହାନ୍ତି। ଫଳରେ ମାଛ ଯାହା ବି ଓଡ଼ିଶା ବଜାରକୁ ଆସୁଛି, ତାହା ଆବଶ୍ୟକତା ପୂରଣ କରିପାରୁନାହିଁ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe