ସରିଲା ବିଜେପୁର ଲଢେଇର ପ୍ରସ୍ତୁତି : ନେତା ଓ ସମର୍ଥକଙ୍କ ସହ ବିଶାଳ ପଟୁଆରରେ ଆସି ନାମାଙ୍କନ ଭରିଲେ ବିଜେଡ଼ି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ

539

କନକ ବ୍ୟୁରୋ : ସରିଲା ବିଜେପୁର ଲଢେଇର ପ୍ରସ୍ତୁତି । ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଆଜି ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ମୋଟ ୭ ଜଣ ପ୍ରାର୍ଥୀ ବିଜେପୁର ଆସନ ପାଇଁ ନାମାଙ୍କନ ଭରିଛନ୍ତି । ବିଜେଡି ପ୍ରାର୍ଥୀ ରୀତା ସାହୁ ଆଜି ବହୁ ବରିଷ୍ଠ ବିଜେଡି ନେତା ତଥା କର୍ମୀଙ୍କ ଗହଣରେ ବିଶାଳ ଶୋଭାଯାତ୍ରାରେ ନାମାନଙ୍କନ ପାଇଁ ଆସିଥିଲେ । ମନ୍ତ୍ରୀ ନବ ଦାସ, ମନ୍ତ୍ରୀ ସୁଶାନ୍ତ ସିଂ, ପୂର୍ବତନ ମନ୍ତ୍ରୀ ସଂଜୟ ଦାସ ବର୍ମା, ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗୀନ ଛୁରିଆ ଓ ପୂର୍ବତନ ବିଧାୟକ ଡାକ୍ତର ରାସେଶ୍ୱରୀ ପାଣ୍ରିଗ୍ରାହୀ ପ୍ରମୁଖ ରୀତା ସାହୁଙ୍କ ନାମାଙ୍କନ ଦାଖଲ ବେଳେ ଉପସ୍ଥିତ ଥିଲେ । ଅଂଚଳ ବିକାଶ ପ୍ରସଙ୍ଗ ନେଇ ଲୋକଙ୍କ ପାଖରେ ପହଂଚିବେ ବୋଲି ରୀତା ନିଜ ପ୍ରତିକ୍ରିୟାରେ କହିଛନ୍ତି ।

 

ସେପଟେ ବିଜେପି ପ୍ରାର୍ଥୀ ସନତ ଗଡତିଆ ମଧ୍ୟ ଏକ ବିଶାଳ ପଟୁଆରରେ ଆସି ନାମାନଙ୍କନ ଦାଖଲ କରିଛନ୍ତି । ସନତଙ୍କ ସହ ବହୁ ବରିଷ୍ଠ ନେତା ଓ କର୍ମୀ ସାମିଲ ହୋଇଥିଲେ ଏବଂ ସମସ୍ତେ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚିଥିଲେ । ସେଠାରେ ବିଜେପୁର ବିଧାନସଭା ଉପନିର୍ବାଚନ ପାଇଁ ବିଜେପୁରର ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ସନତ ଗଡତିଆ । ଏହି ଅବସରରେ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଥିଲେ ସନତ । ବିଜେଡି କେବଳ ଭୋଟ ଆସିଲେ ବିଭିନ୍ନ ପ୍ରତିଶ୍ରୁତି ଦେଇଥାଏ ଏବଂ ଏହା କେବେ ପୂରଣ କରି ନଥାଏ ବୋଲି ସେ କହିଛନ୍ତି ।

ଅନ୍ୟପଟେ ନିରାଡମ୍ବର ଭାବେ ଆସି ଉପଜିଲ୍ଳାପାଳଙ୍କ ଅଫିସରେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡା । ଆସନ୍ତା ୨୧ ତାରିଖରେ ବିଜେପୁର ଉପ-ନିର୍ବାଚନ ପାଇଁ ପଡ଼ିବ ଭୋଟ୍ । ମତଦାନର ୩ ଦିନ ପରେ ଅର୍ଥାତ୍ ୨୪ ତାରିଖରେ ଭୋଟ୍ ଗଣତି ହେବ । ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁରରୁ ଆସନରୁ ଲଢ଼ି ବିପୁଳ ଭୋଟରେ ବିଜୟୀ ହୋଇଥିଲେ । ତେବେ ନବୀନ ଉଭୟ ହିଞ୍ଜିଳି ଓ ବିଜେପୁରରୁ ବିଜୟୀ ହୋଇଥିଲେ । ପରେ ବିିଜେଡି ସୁପ୍ରିମୋ ବିଜେପୁର ଆସନ ଛାଡ଼ିଥିଲେ, ଫଳରେ ଏଠାରେ ଉପ ନିର୍ବାଚନ କରାଯାଉଛି ।