ଗଡିବନି ଟ୍ରେନ ଉଡିବନି ବିମାନ ! ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ମେ ୩ ଯାଏ ଦେଶବ୍ୟାପୀ ଗଡିବନି ଟ୍ରେନ, ଅନ୍ତର୍ଜାତୀୟ ଓ ଘରୋଇ ବିମାନ ଚଳାଚଳ ଉପରେ କଟକଣା

786

କନକ ବ୍ୟୁରୋ : ମେ ୩ ଯାଏ ଦେଶବ୍ୟାପୀ ଗଡିବନି ଟ୍ରେନ । ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ସମସ୍ତ ଯାତ୍ରୀ ପରିବହନକାରୀ ଟ୍ରେନ ଚଳାଚଳକୁ ବାତିଲ କରାଯାଇଛି । ମେଲ୍, ଏକ୍ସପ୍ରେସ୍, ପାସେଞ୍ଜର, ସୁବୁରବାନ ଟ୍ରେନ, ମେଟ୍ରୋ ରେଳବାଇକୁ ବାତିଲ କରାଯାଇଛି । ଏହି ସମୟରେ ଯାତ୍ରା ପାଇଁ ସଂରକ୍ଷିତ ହୋଇଥିବା ଟିକେଟର ମୂଲ୍ୟ ଯାତ୍ରୀମାନଙ୍କୁ ଫେରସ୍ତ କରି ଦିଆଯିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି ।

ଏହା ସହିତ ପରବର୍ତି ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ କୌଣସି ନୂଆ ସଂରକ୍ଷଣ କରାଯିବ ନାହିଁ । ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଛି । ତେବେ ଏହି ସମୟରେ ପୂର୍ବ ପରି ମାଲବାହୀ ଟ୍ରେନ୍ ଚଳାଚଳ କରିବ । ମାର୍ଚ୍ଚ ୨୫ରୁ ଦେଶବ୍ୟାପି ଲକଡାଉନ ଘୋଷଣା ପରେ ଦେଶରେ ଟ୍ରେନ୍ ଚଳାଚଳ ବନ୍ଦ ରହିଛି ।

ସେପଟେ ମେ ୩ ତାରିଖ ଯାଏଁ ଦେଶର ସମସ୍ତ ଅନ୍ତର୍ଜାତୀୟ ଓ ଘରୋଇ ବିମାନ ଚଳାଚଳ ଉପରେ କଟକଣାକୁ ବୃଦ୍ଧି କରାଯାଇଛି । ମେ ୩ ରାତି ୧୨ଟା ଯାଏଁ ସମସ୍ତ ବିମାନ ଚଳାଚଳ ବନ୍ଦ ରହିବ । ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ମାର୍ଚ୍ଚ ୨୫ରୁ ଦେଶବ୍ୟାପି ଲକଡାଉନ ଘୋଷଣା ହେବା ପରେ ଏହି ସେବାକୁ ବନ୍ଦ ରଖାଯାଇଛି ।