ଦାଦନ ଶ୍ରମିକଙ୍କୁ ହଟହଟା କରୁଛି ପାଇଖାନା : ଖୋଲାରେ ଶୌଚ କରୁଛନ୍ତି ଫେରନ୍ତା ପ୍ରବାସୀ

245

କନକ ବ୍ୟୁରୋ : ବଲାଙ୍ଗୀର ଜିଲ୍ଲାକୁ ଲକ୍‌ଡାଉନ୍‌ ପୂର୍ବ ଓ ପରବର୍ତ୍ତୀ ସମୟରେ ଫେରିଲେଣି ପାଖାପାଖି ଛଅ ହଜାର ଦାଦନ ଶ୍ରମିକ । ବାହାର ରାଜ୍ୟରୁ ଆସି ବହୁ ଶ୍ରମିକ ହୋମ କ୍ୱାରାଣ୍ଟିନରେ ରହିଥିଲେ। ପରେ ସରକାରଙ୍କ ଦ୍ୱାରା ପ୍ରସ୍ତୁତ କ୍ୱାରାଣ୍ଟିନ୍ ସେଣ୍ଟରରେ ବି ଦାଦନ ଶ୍ରମିକମାନେ ରହୁଛନ୍ତି। ବହୁ ସ୍ଥାନରେ ଦୁଇତିନି ଦିନ ରହି ଘରମୁହାଁ ହେଉଛନ୍ତି । ଆଗକୁ ଆସିବେ ଆହୁରି ଲକ୍ଷାଧିକ ଦାଦନ ଶ୍ରମିକ । ଏପଟେ କିନ୍ତୁ ସମସ୍ତଙ୍କ ପାଇଁ ପର୍ଯ୍ୟାପ୍ତ ଶଯ୍ୟା ଜିଲ୍ଲାରେ ନାହିଁ । ପଞ୍ଚାୟତ ସ୍ତରରେ ୨୧ହଜାର ୫୦୦ ଏବଂ ପୌରାଞ୍ଚଳଗୁଡ଼ିକରେ ପ୍ରାୟ ୩୫୦୦ ଶଯ୍ୟା ରହିଥିବା ସରକାରୀ ରିପୋର୍ଟ କହୁଛି ।

ଏବେ ପ୍ରଶାସନ ଆଉ କିଛି ସ୍ଥାନରେ କ୍ୱାରାଣ୍ଟିନ କେନ୍ଦ୍ର ପାଇଁ ବ୍ୟବସ୍ଥା କରୁଛି। ଏସବୁ ଭିତରେ କିନ୍ତୁ ଫେରନ୍ତା ଦାଦନ ଶ୍ରମିକଙ୍କୁ ହଟହଟା କରୁଛି ପାଇଖାନା। ଉଭୟ ହୋମ୍‌ କ୍ୱାରାଣ୍ଟିନ୍‌ ଓ ସରକାରୀ କ୍ବାରାଣ୍ଟିନରେ ଦେଖା ଦେଇଛି ଏହି ସମସ୍ୟା। କିଛି ଦିନ ତଳେ କୋଟାରୁ ଫେରିଥିବା ଛାତ୍ରଛାତ୍ରୀଙ୍କୁ ପାଇଖାନା ଅବ୍ୟବସ୍ଥା ଯୋଗୁଁ ଅଭିଭାବକମାନେ ନିଜନିଜ ଘରେ ହୋମ୍‌ କ୍ୱାରାଣ୍ଟିନ୍‌ରେ ରଖିବାକୁ ନେଇ ଚାଲିଯାଇଥିଲେ। କୋଟା ଛାତ୍ରଛାତ୍ରୀଙ୍କୁ ସିନା ଘରେ ପାଇଖାନା ଅଛି ବୋଲି ଅଭିଭାବକମାନେ ନେଇଗଲେ, ବାହାରୁ ଫେରୁଥିବା ଦାଦନ ଶ୍ରମିକମାନଙ୍କ ଘରେ ସେ ସୁବିଧା ଖୋଜିଲେ ବି ମିଳୁନି।

ଜିଲ୍ଲାରେ ସ୍ୱଚ୍ଛ ଭାରତ ଯୋଜନାରେ ଲକ୍ଷଲକ୍ଷ ଗରିବ ପରିବାର ପାଖରେ ପାଇଖାନା କେବଳ କାଗଜପତ୍ରରେ। ପ୍ରକୃତରେ ଅଧାରୁ ଅଧିକ କାମ କରୁନି। କେଉଁ ପାଇଖାନା ଗୋଦାମ ଘର ହୋଇଛି ତ ଆଉ କେଉଁ ପାଇଖାନା ବନ୍ଦ ହୋଇ ପଡ଼ିଛି। ଘର ନଥିବା ଅସହାୟ ଗରିବ ପାଇଖାନାରେ ରହୁଥିବା ବି ନଜିର ରହିଛି। ଏଭଳି ସ୍ଥଳେ ବାହାର ରାଜ୍ୟରୁ ଫେରୁଥିବା ଦାଦନ ଶ୍ରମିକ ହଟହଟା ହେଉଛନ୍ତି।

ହୋମ୍‌ କ୍ୱାରାଣ୍ଟିନରେ ରହୁଥିବା ଲୋକମାନେ ବାଧ୍ୟ ହୋଇ ଖୋଲାରେ ଶୌଚ କରୁଛନ୍ତି। ସେପଟେ କ୍ୱାରାଣ୍ଟିନ କେନ୍ଦ୍ରଗୁଡ଼ିକରେ ପ୍ରଶାସନ ଯାହାଙ୍କୁ ରଖୁଛି ସେମାନେ ବି ଦୁଇତିନି ଦିନ ରହି ଘରକୁ ଚାଲିଯାଉଛନ୍ତି। ପ୍ରଶାସନ ବି ଏଥିଲାଗି ଅନୁମତି ଦେଉଛି। ଏହାଯୋଗୁଁ ସଂକ୍ରମଣ ବୃଦ୍ଧିର ଆଶଙ୍କା ରହିଛି। ଗ୍ରାଉଣ୍ଡ ଜିରୋକୁ ଯାଇ ସ୍ଥିତି ପରଖିବା ବେଳକୁ ସ୍ଥିତିର ଗମ୍ଭୀରତା ଦେଖିବାକୁ ମିଳୁଛି।

ପାଟଣାଗଡ଼ ବ୍ଲକ୍‌ ଭାଲୁପିଟା ଗାଁର କଥା। ପତ୍ନୀଙ୍କ ଶେଷକୃତ୍ୟରେ ଯୋଗ ଦେବାକୁ ଗାଁକୁ ଫେରିଥିଲେ ପଙ୍କଜ ମଲ୍ଲିକ। ହେଲେ ତାଙ୍କୁ ସଂଗରୋଧ କେନ୍ଦ୍ରରେ ରହିବାକୁ କୁହାଯାଇଥିଲା। ପରେ ପ୍ରଶାସନ ସବୁ କଥା ଜାଣିବାରୁ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ହୋମ୍‌ କ୍ୱାରାଣ୍ଟିନ୍‌କୁ ପଠାଇଥିଲା। ହେଲେ ତାଙ୍କ ଘରେ ପାଇଖାନାରେ ପାଣି ବ୍ୟବସ୍ଥା ବି ନାହିଁ। କେବଳ ପାଇଖାନାଟିଏ ଅଛି ଓ ସ୍ୱଚ୍ଛ ଭାରତ ମିସନ୍‌ ନିୟମ ଅନୁସାରେ କାନ୍ଥରେ ତାଙ୍କ ନାଁ ଲେଖା ରହିଛି। ସଂଗରୋଧ କେନ୍ଦ୍ରରୁ ଫେରିଥିବାରୁ ଆଉ କାହା ପାଇଖାନା ବ୍ୟବହାର କରିବା ସମ୍ଭବପର ନୁହେଁ। ଏଭଳି ସ୍ଥିତିରେ ସେ ଖୋଲାରେ ଶୌଚ ଯିବା ନିଶ୍ଚିତ।

ଠିକ୍‌ ସେହିପରି ବଙ୍ଗୋମୁଣ୍ଡା ବ୍ଲକ୍‌ ବେଲପଡ଼ା ପଞ୍ଚାୟତର ଫୁଗୁଡ଼ା ଓ ଖୁଜେନବାହାଲ ଗାଁର ଚିତ୍ର। ସ୍ୱଚ୍ଛ ଭାରତ ଯୋଜନା ଏଠି ଫେଲ୍ ମାରିଛି। ଗାଁରେ ନିର୍ମାଣ ହୋଇଥିବା ପାଇଖାନାଗୁଡ଼ିକ ଲୋକଙ୍କ କାମରେ ଆସୁନି। ଗାଁର କିଛି ଶୌଚାଳୟ ଦେଖିବା ପରେ ଲୋକେ ଖୋଲାରେ ଶୌଚ କରୁଥିବା ଜଣାପଡ଼ିଥିଲା। ଶୌଚାଳୟରେ କିଏ ଜାଳକାଠ ରଖିଥିଲେ ତ କିଏ ଆଉ କଣ! ଶୌଚାଳୟ କାହିଁକି ବ୍ୟବହାର ହେଉନି ବୋଲି ପଚାରିବାରୁ କାହାର ପାଣିଟାଙ୍କି ନଥିଲା ତ ଆଉ କାହାର ଅନ୍ୟ କିଛି ସମସ୍ୟା। ଠିକାଦାର ପୋଷା ନୀତିରେ ବିଭାଗୀୟ ଯନ୍ତ୍ରୀମାନେ ଶୌଚାଳୟ ସବୁ ଗାଁରେ ନିର୍ମାଣ କରିଥିବା ବେଳେ ଏହା ଏବେ ସମସ୍ୟାକୁ ଆହୁରି ବଢ଼ାଇଛି।

ବେଲପଡ଼ା ପଞ୍ଚାୟତରେ ୩୭୦ ଜଣ ବାହାରୁ ଆସିଲେଣି। ଫୁଗୁଡ଼ା ଗାଁର ଲୋଚନ ମାଝୀ, ଭିକ ଭୋଇ, ବନମାଳି ମଲ୍ଲିକ ଗତ ସୋମବାର ମୁମ୍ବାଇରୁ ଗାଁକୁ ଫେରିଥିଲେ। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରି ହୋମ୍‌ କ୍ୱାରାଣ୍ଟିନରେ ରହିବାକୁ କୁହାଯାଇଥିଲା। ହେଲେ ପାଇଖାନା ନଥିବାରୁ ସେମାନେ ବାଧ୍ୟ ହୋଇ କ୍ୱାରାଣ୍ଟିନ କେନ୍ଦ୍ରକୁ ଯାଇଥିଲେ। ଗାଁ ଲୋକେ ବି ସେମାନଙ୍କୁ କ୍ୱାରାଣ୍ଟିନରେ ରହିବାକୁ କହିଥିଲେ। ତେବେ କ୍ୱାରାଣ୍ଟିନ କେନ୍ଦ୍ରରେ ରହିବା ଅବଧି ସରିବା ପରେ ସେମାନେ ସଂଗରୋଧରେ ନିଜ ଘରେ ଆହୁରି ୭ ଦିନ ରହିବା ନିୟମ ଅଛି। ସେତେବେଳେ ଗରିବ ଶ୍ରମିକ କଣ କରିବ? ବଲାଙ୍ଗୀର ଜିଲ୍ଲାର ଯେଉଁ ଗାଁକୁ ଗଲେ ପାଇଖାନା ଦୁର୍ନୀତି ଜଳଜଳ ହୋଇ ସାମ୍ନାକୁ ଆସୁଛି। ଅଧିକାଂଶ ସ୍ଥାନରେ ଏଜେନ୍ସି ଲଗାଇ ଆର୍‌ଡବ୍ଲୁଏସ୍‌ଏସ୍‌ ପକ୍ଷରୁ ପାଇଖାନା ସବୁ ନିର୍ମାଣ ହୋଇଥିଲା। ମାତ୍ର ତାହା କେବଳ କାଗଜପତ୍ରରେ ସଂଖ୍ୟା ବଢ଼ାଇବାର ଲକ୍ଷ୍ୟ ରଖି କାମ ହୋଇଥିଲା ବୋଲି ଏବେ ପ୍ରମାଣିତ ହୋଇଛି। ଜିଲ୍ଲାରେ କୋଟି କୋଟି ଟଙ୍କାର ପାଇଖାନା ଦୁର୍ନୀତିର ଅଭିଯୋଗ ହୋଇଛି। ବିଗତ ଦିନରେ କିଛି ଗାଁର ଦୁର୍ନୀତି ଉପରେ ଭିଜିଲାନ୍ସ ବିଭାଗ ବି ହାତ ମାରିଥିଲା। ଏବେ କିନ୍ତୁ କରୋନା ସବୁ ପଦାରେ ପକାଇ ଦେଇଛି।