ପାକିସ୍ତାନକୁ ସେନାମୁଖ୍ୟଙ୍କ କଡ଼ା ଚେତାବନୀ : ଆଉ ଚଳିବନି ଲୁଚକାଳି ଖେଳ, ଆବଶ୍ୟକ ପଡିଲେ ନିୟନ୍ତ୍ରଣ ରେଖା ଅତିକ୍ରମ କରିବ ଭାରତ

2,739

କନକ ବ୍ୟୁରୋ : ନିୟନ୍ତ୍ରଣ ରେଖା ପାର୍ କରିବ ଭାରତୀୟ ସେନା । ଭାରତରେ ହିଂସା ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ପାକିସ୍ତାନକୁ ଟାର୍ଗେଟ କରିଛନ୍ତି ସେନାମୁଖ୍ୟ । ଏକ ସାକ୍ଷାତକାରରେ ପାକିସ୍ତାନକୁ ସେନାମୁଖ୍ୟ ଜେନେରାଲ୍ ବିପିନ ରାଓ୍ଵତ କଡ଼ା ଚେତାବନୀ ଦେଇଛନ୍ତି  ।  ବାଲାକୋଟରେ ଆତଙ୍କବାଦୀ କ୍ୟାମ୍ପଗୁଡିକୁ  ପାକିସ୍ତାନ ପୁଣି ସକ୍ରିୟ କରୁଥିବା ଖବର ଆସିବା ପରେ ସେନାମୁଖ୍ୟ ବିପିନ ରାୱତ ବଡ ବୟାନ ଦେଇଛନ୍ତି । 

ଜାତୀୟ ଗଣମାଧ୍ୟମକୁ  ସାକ୍ଷାତକାର ଦେଇ ସେ କହିଛନ୍ତି, ସୀମାରେ  ଲୁଚକାଳି ଖେଳ ଆଉ ଚାଲିବ ନାହିଁ ।   ଆତଙ୍କବାଦକୁ ସଫା କରିବା ଲାଗି ଏଲଓସିକୁ ଯଦି ଅତିକ୍ରମ କରିବାକୁ ପଡିବ ତେବେ ତାହା କରାଯିବ । ଭାରତ ଏବଂ ପାକିସ୍ତାନ ମଧ୍ୟସ୍ଥ ନିୟନ୍ତ୍ରଣ ରେଖା ଅତି ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ଇସଲାମାବାଦ ଭାରତରେ ଅସ୍ଥିରତା ସୃଷ୍ଟି କରିବାକୁ ଚେଷ୍ଟାକଲେ ଭାରତୀୟ ସେନା ନିୟନ୍ତ୍ରଣ ରେଖା ଟପିବାକୁ ଦ୍ୱିଧାବୋଧ କରିବେ ନାହିଁ । ୨୦୧୬ ସର୍ଜିକାଲ୍ ଷ୍ଟ୍ରାଇକ୍ ଏବଂ ୨୦୧୯ ବାଲାକୋଟ୍ ବିମାନ ଆକ୍ରମଣ ପାକିସ୍ତାନକୁ ସ୍ପଷ୍ଟ ବାର୍ତ୍ତା ଦେଇଛି ଯେ ଭାରତର ଆଉ ଲୁଚକାଳି ଖେଳିବାରେ ଆଗ୍ରହ ନାହିଁ । ଆବଶ୍ୟକ ପଡ଼ିଲେ ଆତଙ୍କବାଦୀ ଏବଂ ସେମାନଙ୍କ ସମର୍ଥକମାନଙ୍କୁ ନିପାତ କରିବାକୁ ଭାରତୀୟ ସେନା ନିୟନ୍ତ୍ରଣ ରେଖା ଟପିବାକୁ ଚାହୁଁଛି । 

 

ଆକାଶମାର୍ଗ ହେଉ କିମ୍ବା ସ୍ଥଳଭାଗ ଯଦି ଆବଶ୍ୟକ ପଡେ ଏଲଓସି ଅତିକ୍ରମ କରାଯିବ । ସେନାମୁଖ୍ୟ ଆହୁରି କହିଛନ୍ତି, ପାକିସ୍ତାନ ଭାରତକୁ  ଆତଙ୍କବାଦୀ ପଠାଇବାକୁ ବ୍ୟଗ୍ର ହେଉଛି ।  କାଶ୍ମୀରରେ ଶାନ୍ତ ପରିବେଶକୁ ବିଗାଡିକୁ ଉଦ୍ୟମ କରୁଛି । କିନ୍ତୁ ଏହି ଉଦ୍ୟମକୁ ସଫଳ କରିବାକୁ ଦିଆଯିବ ନାହିଁ ।