ବିନା ମାସ୍କରେ ଆସିଲେ ଗାଡି ଚାଳକଙ୍କୁ ମିଳିବନି ପେଟ୍ରୋଲ : ତେଲ ନେବାବେଳେ ମାସ୍କ ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ପେଟ୍ରୋଲ ଡିଲର ସଂଘ, ଲୋକଙ୍କୁ ସଚେତନ କରିବାକୁ ସଂଘର ପଦକ୍ଷେପ

226

କନକ ବ୍ୟୁରୋ : କରୋନା ଯୋଗୁଁ ରାଜ୍ୟରେ ତାଲାବନ୍ଦ ଅବଧି ଏପ୍ରିଲ ୩୦ ଯାଏଁ ବଢାଯାଇଛି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଥିବାରୁ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର । ସରକାରଙ୍କ ଏହି କଟକଣାକୁ ସମର୍ଥନ କରି , ମାସ୍କ ନପିନ୍ଧିଲେ ପେଟ୍ରୋଲ ପମ୍ପରେ ତେଲ ମିଳିବ ନାହିଁ ବୋଲି ପେଟ୍ରୋଲ ପମ୍ପ ସଂଘ ପକ୍ଷରୁ କୁହାଯାଇଛି । ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପରେ ଏହା ଲାଗୁ କରାଯିବ ବୋଲି ସୂଚନା ଦେଇଛନ୍ତି ଉକ୍ରଳ ପେଟ୍ରୋଲ ପମ୍ପ ଡିଲର ସଂଘର ସାଧାରଣ ସମ୍ପାଦକ । ମହାମାରୀ କରୋନାରୁ ସୁରକ୍ଷା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ପକ୍ଷେପ ନେଇଥିବା ବେଳେ ସଂଘର ଏହି ନିଷ୍ପତି ଜନସାଧାରଣଙ୍କୁ ବହୁମାତ୍ରାରେ ସଚେତନ କରାଇବ ବୋଲି ସେ କହିଛନ୍ତି ।

ସେପଟେ ସାରା ବିଶ୍ୱରେ କରୋନା ମହାମାରୀ ଭୟଙ୍କର ରୂପ ନେଇଥିବାବେଳେ, ସବୁ ଦେଶରେ ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଉଛି । ଆମ ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବା ପାଇଁ ମାସ୍କ ବ୍ୟବହାର ବାଧ୍ୟତାମୂଳକ କରାଯାଇଛି । ଗତକାଲିଠାରୁ ଏହି ନିୟମକୁ କଡାକଡି ଭାବେ ଲାଗୁ କରାଯାଇଛି । ଆଉ ଯେଉଁମାନେ ମାସ୍କ ନପିନ୍ଧିବେ ସେମାନଙ୍କୁ ଜରିମାନା ଦେବାକୁ ପଡିବ । ପ୍ରଥମ ତିନି ଥର ୨ଶହ ଟଙ୍କା ଲେଖାଏ ଫାଇନ କରାଯିବ । ତାପରେ ନିୟମ ନମାନିଲେ ୫ଶହ ଟଙ୍କା ଲେଖାଏଁ ଫାଇନ କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ଏହାପଛରେ କାରଣ ହେଉଛି, ମାସ୍କ ବ୍ୟବହାର ଦ୍ୱାରା ଭୂତାଣୁ ନାକ, ପାଟି ଦେଇ ଆମ ଶରୀର ଭିତରେ ଅନେକ ମାତ୍ରାରେ ପ୍ରବେଶ କରି ପାରିବ ନାହିଁ ।