କମାଅ ଛାତ୍ରଛାତ୍ରୀଙ୍କ ବସ୍ତାନି ବୋଝ ! ମାଡ୍ରାସ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

45

କନକ ବ୍ୟୁରୋ : ଛାତ୍ରଛାତ୍ରୀଙ୍କ ବସ୍ତାନି ବୋଝ କମାଅ । ଏଭଳି ଏକ ଗୁରୁତ୍ୱପୂର୍ଣ ରାୟ ଦେଇଛନ୍ତି ମାଡ୍ରାସ ହାଇକୋର୍ଟ । ସ୍କୁଲ ଯାଉଥିବା ଛାତ୍ରଛାତ୍ରୀ ମାନେ ଭାର ଉତ୍ତୋଳନକାରୀ ନୁହଁନ୍ତି । ଏବଂ ସେମାନଙ୍କ ସ୍କୁଲ ବ୍ୟାଗ୍ ଓଜନ ବହନକାରୀ କଂଟେନର ନୁହେଁ । ତେଣୁ ସେମାନଙ୍କର ବହି ବସ୍ତାନୀର ଓଜନ ହାଲୁକା କରାଯାଉ ବୋଲି ନିର୍ଦ୍ଦେଶ ଦେଇଛନ୍ତି ମାଡ୍ରାସ ହାଇକୋର୍ଟ । ପିଲାଙ୍କ ଓଜନ ଠାରୁ ସ୍କୁଲ ବ୍ୟାଗର ଓଜନ ୧୦ ପ୍ରତିଶତରୁ ଅଧିକ ହେବା ଉଚିତ ନୁହେଁ ।

ଏହା ସହ ଦ୍ୱିତୀୟ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ହୋମୱାର୍କ ମଧ୍ୟ ଦିଆଯିବା ଉଚିତ ନୁହେଁ ବୋଲି ହାଇକୋର୍ଟ ପରାମର୍ଶ ଦେଇଛନ୍ତି । ଏ ସଂପର୍କିତ ନିୟମାବଳୀ ପ୍ରସ୍ତୁତ କରି ଏହାକୁ ପାଳନ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସରକାର ଏକ ଶିଶୁ ସ୍କୁଲ ବ୍ୟାଗ୍ ନୀତି ଆଣିବା ଉଚିତ ବୋଲି ହାଇକୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ଏହା ସହ ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଦ୍ୱାରା ପ୍ରକାଶିତ ପୁସ୍ତକ ପ୍ରଚଳ ବାଧ୍ୟତାମୂଳକ କରିବା ଉଚିତ ବୋଲି କହିଛନ୍ତି ମାଡ୍ରାସ ହାଇକୋର୍ଟ ।

ଏହା ବ୍ୟତୀତ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ଛାତ୍ରଛାତ୍ରୀମାନେ କେବଳ ଗଣିତ ଓ ସାହିତ୍ୟ ପଢ଼ିବା ଦରକାର ବୋଲି କୋର୍ଟ କହିଛନ୍ତି । ଏହି ନିଷ୍ପତ୍ତିକୁ ଲାଗୁ କରିବା ପାଇଁ ରାଜ୍ୟ ବୋର୍ଡ଼କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏବଂ ଏହା ସହ ତୃତୀୟରୁ ପଂଚମ ଶ୍ରେଣୀ ଛାତ୍ରଛାତ୍ରୀମାନେ ସାହିତ୍ୟ, ଗଣିତ ଏବଂ ପରିବେଶ ବିଜ୍ଞାନ ପଢିବାକୁ କହିଛନ୍ତି କୋର୍ଟ ।