ଏଥର ସଂକୁଚିତ ହୋଇଯିବ ଶୀତଋତୁ : ଚଳିତ ବର୍ଷ ଅନୁଭୂତ ହେବନି ଅଧିକ ଶୀତ, ତାପମାତ୍ରା ସ୍ବାଭାବିକଠାରୁ ୧ରୁ ୨ ଡିଗ୍ରି ଅଧିକ ରହିବ

462

କନକ ବ୍ୟୁରୋ :ଏଥର ସଂକୁଚିତ ହୋଇଯିବ ଶୀତଋତୁ । ଯେଉଁ ତିନି ମାସ ଅଧିକ ଥଣ୍ଡା ପଡ଼ିବା କଥା, ତାହା ଏତେ ବେଶି ପଡ଼ିବନି। ତାପମାତ୍ରା ସ୍ବାଭାବିକଠାରୁ ୧ରୁ ୨ ଡିଗ୍ରି ଅଧିକ ରହିବ। ଉତ୍ତର ଭାରତର କିଛି ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ ହେବାର ଥିଲେ ମଧ୍ୟ ତାହାର ପ୍ରଭାବ ଦେଶର ଅନ୍ୟ ଅଞ୍ଚଳଗୁଡ଼ିକ ଉପରେ ପଡ଼ିବ ନାହିଁ। ବିଶେଷକରି ଡିସେମ୍ବରରୁ ଫେବ୍ରୁଆରି ଶେଷ ସୁଦ୍ଧା ଅଧିକ ଥଣ୍ଡା ରହୁଥିବା ଅଞ୍ଚଳ ତଥା କୋର କୋଲ୍ଡ ୱେଭ୍‌ ଜୋନ୍‌(ସିଡବ୍ଲୁଜେଡ୍‌)ଗୁଡ଼ିକ‌ରେ ପ୍ରବଳ ଥଣ୍ଡା ହେବାର ସମ୍ଭାବନା କ୍ଷୀଣ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଆକଳନ ଅନୁଯାୟୀ ଉତ୍ତର ଭାରତ ବ୍ୟତୀତ ଦେଶର ଅନ୍ୟ କୌଣସି ସ୍ଥାନରେ ତାପମାତ୍ରା ଏତେଟା ହ୍ରାସ ପାଇବ ନାହିଁ। ହିମାଳୟ ପାଦଦେଶ‌ରେ ଥିବା ରାଜ୍ୟଗୁଡ଼ିକରେ ସ୍ବାଭାବିକ ଥଣ୍ଡା ଅନୁଭୂତ ହେବ। ସ୍ଥାନେ ସ୍ଥାନେ ଅଧିକ ତୁଷାରପାତ ସହ ପ୍ରବଳ ଥଣ୍ଡା ହୋଇପାରେ। ତେବେ ଉତ୍ତର ଭାରତ ବ୍ୟତୀତ ଅନ୍ୟ ସମସ୍ତ ଅଞ୍ଚଳରେ ଏହି ତିନି ମାସ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବ। ସିଡବ୍ଲୁଜେଡ୍‌ରେ ଆସୁଥିବା ଅଞ୍ଚଳ ଯଥା ଓଡ଼ିଶା, ପଞ୍ଜାବ, ହିମାଞ୍ଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଦିଲ୍ଲୀ, ହରିୟାଣା, ରାଜସ୍ଥାନ, ଉତ୍ତର ପ୍ରଦେଶ, ଗୁଜୁରାଟ, ମଧ୍ୟପ୍ରଦେଶ, ଛତିଶଗଡ଼, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ତେଲେଙ୍ଗାନା ଆଦି ରାଜ୍ୟରେ ତାପମାତ୍ରା ସ୍ବାଭାବିକଠାରୁ ଗୋଟିଏରୁ ଦୁଇ ଡିଗ୍ରି ଅଧିକ ରହିପାରେ। ଜାମ୍ମୁ କାଶ୍ମୀର, ଲାଦାଖ, ମଧ୍ୟ ମହାରାଷ୍ଟ୍ର, ମରାଠୱାଡା, ବିଦର୍ଭ ଓ ସୌରାଷ୍ଟ୍ର ଆଦି ଅଞ୍ଚଳରେ ବି ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ସାମାନ୍ୟ ଅଧିକ ରହିବାର ସମ୍ଭାବନା ରହିଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦେଶକ ଏଚ୍‌ ଆର ବିଶ୍ବାସଙ୍କ କହିବାନୁଯାୟୀ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସାରା ଦେଶର ତଥ୍ୟକୁ ଆଧାର କରି ଏପରି ପୂର୍ବାନୁମାନ କରାଯାଇଛି। ଡିସେମ୍ବରରୁ ଫେବ୍ରୁଆରି ପର୍ଯ୍ୟନ୍ତ ଓଡ଼ିଶାରେ କେଉଁଭଳି ସ୍ଥିତି ରହିବ ତାହା ଅନୁଧ୍ୟାନ କରାଯାଇ ନାହିଁ। ତଥାପି ଏଥର ଶୀତ ପଡ଼ିବାରେ ସାମାନ୍ୟ ବିଳମ୍ବ ହୋଇଛି। ଶୀତ ଦିନ ସଂଖ୍ୟା କମିପାରେ।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ହେଉଛି ଯେ ଚଳିତବର୍ଷ ରାଜ୍ୟରେ ଶୀତ ବିଳମ୍ବିତ ହୋଇଛି। ଶୀତ ଦିନ ସଂଖ୍ୟା କମିବ। ତେବେ ଶୀତର ପ୍ରକୋପ ପ୍ରାୟତଃ ସ୍ବାଭାବିକ ରହିବ। ଅନୁମାନ କରାଯାଉଛି ଯେ କେନ୍ଦ୍ରୀୟ ଭାରତ, ହିମାଳୟ ପା‌ଦଦେଶ, ଗାଙ୍ଗେୟ ଉପତ୍ୟକା ଅଞ୍ଚଳରେ ଡିସେମ୍ବରଠାରୁ ଫେବ୍ରୁଆରି ମଧ୍ୟରେ ଥଣ୍ଡା ସ୍ବାଭାବିକ ବା ଅଧିକ ରହିବ। ଦେଶର ବାକି ଅଞ୍ଚଳରେ ଥଣ୍ଡା ପ୍ରାୟତଃ ସ୍ବାଭାବିକ ରହିବ। ଓଡ଼ିଶାର ମୟୂରଭଞ୍ଜ, ବାଲେଶ୍ବର ଜିଲ୍ଲାରେ ଜାନୁଆରି ଓ ଫେବ୍ରୁଆରିରେ ଥଣ୍ଡା ସ୍ବାଭାବିକଠାରୁ ଅଧିକ ରହିବ। ରାଜ୍ୟର ଅନ୍ୟ ସ୍ଥାନଗୁଡ଼ିକାରେ ଥଣ୍ଡା ସ୍ବାଭାବିକ ରହିବାର ସମ୍ଭାବନା ରହିଛି।

ବିଭିନ୍ନ ସମୟରେ ଉତ୍ତର ଭାରତରେ ଗୁରୁଚାପ ବଳୟ ହେତୁ ରାଜ୍ୟକୁ ଉତ୍ତରା ପବନ ବହିପାରୁ ନାହିଁ। ତା’ ବଦଳରେ ସାମୁଦ୍ରିକ ବଙ୍ଗୋପସାଗରୀୟ ପୂର୍ବା ପବନ ବହୁଛି। ବଙ୍ଗୋପସାଗରର ଜଳପତ୍ତନ ଓ ନିମ୍ନ ବାୟୁମଣ୍ଡଳରେ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହୁଛି। ତେଣୁ ରାଜ୍ୟରେ ଥଣ୍ଡା ବଢ଼ିପାରୁ ନାହିଁ। ଅନୁମାନ କରାଯାଉଛି ଯେ ଗୁରୁଚାପ ବଳୟଟି କ୍ରମଶଃ ପଶ୍ଚିମ ଆଡ଼କୁ ଗତି କରି ୪ ତାରିଖ ସୁଦ୍ଧା ପଶ୍ଚିମ ମହାରାଷ୍ଟ୍ରରେ ଅବସ୍ଥାପିତ ରହିବ। ଫଳରେ ରାଜ୍ୟକୁ ଉତ୍ତରା ପବନ ସିଧା ବହିବ ଏବଂ ୫ ତାରିଖ ସକାଳଠାରୁ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଥଣ୍ଡା ବଢ଼ିବ। ସର୍ବନିମ୍ନ ତାପମାତ୍ରା‌ ପ୍ରାୟ ଦୁଇ ଡିଗ୍ରି କମିବାର ସମ୍ଭାବନା ରହିଛି। ଆକାଶ ନିର୍ମଳ ରହିବା ସହ ଉପକୂଳ ଓଡ଼ିଶାରେ କୁହୁଡ଼ି କମିବ। କେନ୍ଦ୍ରୀୟ ଓ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ସବୁଠାରୁ ଅଧିକ କମିବ ଏବଂ ଥଣ୍ଡା ବଢ଼ିବ ବୋଲି ପ୍ରଫେସର ପଶୁପାଳନ ପୂର୍ବାନୁମାନ କରିଛନ୍ତି।